ଟିଏମସିକୁ ମୋଦୀଙ୍କ ଜୋରଦାର ଟାର୍ଗେଟ, କହିଲେ- ‘କରିବୁ ଟୋଲାମୁକ୍ତ ଏବଂ ରୋଜଗାର ଯୁକ୍ତ ବେଙ୍ଗଲ’
22/02/2021 at 6:47 PM

କୋଲକାତା ୨୨/୦୨: ପଶ୍ଚିମବଙ୍ଗର ହୁଗଳିରେ ନିର୍ବାଚନ ରାଲିକୁ ସମ୍ବୋଧନ ବେଳେ ଟିଏମସି ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ମୋଦୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁ ନନେଇ ଟାର୍ଗେଟ କରିବା ସହ ଦୁର୍ନୀତି ଅଭିଯୋଗ କରିଥିଲେ। ପୂର୍ବରୁ ଲୋକଗୀତରେ କୋଲକାତାର ଗୁଣ ଗାନ କରାଯାଉଥିଲା। କୋଲକାତା ତମାମ ରାଜ୍ୟ ପାଇଁ ଆଦର୍ଶ ଥିଲା। କିନ୍ତୁ ଆଜି ବେଙ୍ଗଲର ଯୁବକ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି ସେମାନଙ୍କୁ ରୋଜଗାର ଦରକାର ବୋଲି ମୋଦୀ କହିଛନ୍ତି।
ଏହା ସହ ଟିଏମସିର ରାଜରେ ନେତାଙ୍କ ତେଜ ବଢ଼ିଥିବା ବେଳେ ଗରିବଙ୍କ ଚିନ୍ତା ବଢ଼ିଛି। ଟିଏମସି ପାଇଁ ‘ଟୋଲାବାଜ୍’ ଶବ୍ଦ ବ୍ୟବହାର କରି ମୋଦୀ କହିଛନ୍ତି, ମା, ମାଟି, ମାନୁଷର ସ୍ଥାନ ଏବେ ଟୋଲାବାଜ ନେଇଛି। ପିଏମ ମୋଦୀ କହିଛନ୍ତି, କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ଦେବାକୁ ହୋଇଥିବା ପିଏମ କିଷାନ ସମ୍ମାନ ନିଧି ଯୋଜନା ଉପରେ ବି ଏହି ସରକାର ପ୍ରଶ୍ନ କରୁଛି। ଦେଶର ପ୍ରତି ଘରେ ନଳ ଯୋଜନା କାର୍ଯ୍ୟକ୍ଷମ ହୋଇଛି କିନ୍ତୁ ପଶ୍ଚିମବଙ୍ଗରେ ବିକାଶ ଅଟକିଛି। ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଉଥିବା ଆୟୁଷ୍ମାନ ଯୋଜନାରୁ ପଶ୍ଚିମବଙ୍ଗର ଗରିବ ଲୋକ ଆଜି ବି ବଞ୍ଚିତ ରହିଛନ୍ତି ବୋଲି ନରେନ୍ଦ୍ର ମୋଦୀ କହିଛନ୍ତି।
ମୋଦୀ ଆହୁରି କହିଛନ୍ତି, ଝୋଟ ଦାମ ବଢ଼ାଇବାକୁ କେନ୍ଦ୍ର ସରକାର କାର୍ଯ୍ୟ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିଏମସିକୁ ୧୭୦୦ କୋଟି ଟଙ୍କା ଦିଆଯାଇଥିଲା। କିନ୍ତୁ ସେମାନେ କେବଳ ୬୦୦ କୋଟି ଟଙ୍କା ଖର୍ଚ୍ଚ କଲେ। ପଶ୍ଚିମବଙ୍ଗରେ କଟ୍ ଏବଂ ସିଣ୍ଡିକେଟ୍ ପ୍ରଥା ଚାଲିଛି। ଏଥିପାଇଁ ବେଙ୍ଗଲର ବିକାଶ ଅଟକିଛି। ଏଠାରେ ନିବେଶ କମ୍ ହେଉ ନାହିଁ କିନ୍ତୁ କଟ ଏବଂ ସିଣ୍ଡିକେଟ୍ ଯୋଗୁ ପ୍ରଭାବ ପଡ଼ିଛି। ସିଣ୍ଡିକେଟ୍କୁ କଟ ଦେବା ବିନା ଏଠାରେ ଭଡ଼ାରେ ବିଲ୍ଡିଂ ବି ନେଇ ହେଉନି ବୋଲି ନରେନ୍ଦ୍ର ମୋଦୀ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରାହ୍ଣ ୪.୦୨ ସମୟରେରେ ହୁଗଳିରେ ପହଞ୍ଚିଥିଲେ। କିଛି ସମୟ ମଧ୍ୟରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏଠାରେ ନରେନ୍ଦ୍ର ମୋଦୀ ଅନେକ ରେଲଓ୍ବେ ପ୍ରୋଜେକ୍ଟସ୍ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଗୋଟିଏ ମାସରେ ମୋଦୀଙ୍କ ଏହା ତୃତୀୟ ବେଙ୍ଗଲ ଗସ୍ତ। ମୋଦୀଙ୍କ ଗସ୍ତର ଦୁଇ ଦିନ ପରେ ମମତା ବାନାର୍ଜୀ ହୁଗଳିର ଜନସଭାରେ ସାମିଲ ହେବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।