ମେ ୩ ଯାଏଁ ବଢିଲା ଲକଡାଉନ୍, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ଘୋଷଣା

Published By : Prameya-News7 Bureau | April 14, 2020 IST

ନୂଆଦିଲ୍ଲୀ, ୧୪|୦୪:   ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହାସହ ସେ ଏକ ବଡ ଘୋଷଣା କରିଛନ୍ତି । ଦେଶରେ ଗତ ମାର୍ଚ୍ଚ ୨୫ରୁ ଲାଗୁ ହୋଇଥିବା ଲକଡାଉନକୁ ମେ ୩ ଯାଏଁ ବୃଦ୍ଧି କରାଯାଇଥିବା ସେ କହିଛନ୍ତି । ଦେଶବାସୀଙ୍କ ହିତକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି ।

ସାରାଦେଶରେ କରୋନା ସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ୨୧ଦିନିଆ ଲକ୍ଡାଉନ୍ ଘୋଷଣା କରିଥିଲେ । ଯାହା ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ଅପ୍ରେଲ୍ ୧୪ପର୍ଯ୍ୟନ୍ତ ଥିଲା । ତେବେ ଗତ ୨୬ଦିନ ମଧ୍ୟରେ ଦେଶବାସୀଙ୍କୁ ଚାରିଥର ସମ୍ବୋଧନ କରିଛନ୍ତି ।

ମୋଦୀ କହିଛନ୍ତି ଯେ, କରୋନା ମୁକାବିଲା ଭାରତ ଭଲ ଭାବେ କରୁଛି । ଦେଶବାସୀଙ୍କ ତ୍ୟାଗ ପାଇଁ ଭାରତ କରୋନା ସଂକ୍ରମଣକୁ କମ କରିଛି । ଜନତା ଦେଶକୁ ରକ୍ଷା କରିଛନ୍ତି । ଅନେକ ଅସୁବିଧାରେ ମଧ୍ୟ ଜନତା ସାମ୍ନା କରୁଛନ୍ତି । ଏଥିପାଇଁ ମୋଦୀ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଜି ବାବା ସାହେବ ଆମ୍ବେଦକରଙ୍କ ଜନ୍ମଦିନରେ ଏହା ହେଉଛି ପ୍ରକୃତ ଶ୍ରଦ୍ଧାଞ୍ଜଳି । ଦେଶର ଭିନ୍ନ ପ୍ରାନ୍ତରେ ଉତ୍ସବ ପାଳନ ସମୟରେ ମଧ୍ୟ ଜନତା ସଂଯମତା ରକ୍ଷା କରୁଛନ୍ତି । ସେମାନେ ଘରେ ରହି ହିଁ ଏହାକୁ ପାଳନ କରୁଛନ୍ତି । ଫଳରେ ଅନ୍ୟ ଦେଶ ତୁଳନାରେ ଭାରତ ସଂକ୍ରମଣ ରୋକିବା ପାଇଁ ପ୍ରୟାସ କରିଛି । ବିମାନ ବନ୍ଦରରେ ସ୍କ୍ରିନିଂ, ବିଦେଶୀଙ୍କୁ ୧୪ ଦିନର ଲକଡାଉନ ଆଦି ବ୍ୟବସ୍ଥା କରାଯାଇଥିଲା । କରୋନାର ୫୫୦ଟି ମାମଲା ଥିବା ବେଳେ ୨୧ ଦିନ ଲକଡାଉନ କରାଯାଇଥିଲା । ସମସ୍ୟା ବୃଦ୍ଧିକୁ ଅପେକ୍ଷା କରାଯାଇ ନଥିଲା ।

ମୋଦୀ ଆହୁରି କହିଛନ୍ତି ଯେ, ଏହି ସଙ୍କଟକୁ ଅନ୍ୟ କୌଣସି ଦେଶ ସହ ତୁଳନା କରିବା ଅନୁଚିତ । ଶକ୍ତିଶାଳୀ ଦେଶ ଅନୁସାରେ ଭାରତର ସ୍ଥିତି ଭଲ ରହିଛି । ଗୋଟିଏ ମାସ ପୂର୍ବରୁ ଅନେକ ଦେଶ କରୋନା ସଂକ୍ରମଣ ମାମଲାରେ ଭାରତ ସହ ସମାନ ଥିଲେ । କିନ୍ତୁ ଏବେ ସେହି ଦେଶରେ କରୋନା ତାଣ୍ଡବ ରଚିଛି । ୨୫ରୁ ୩୦ ଗୁଣା ବୃଦ୍ଧି ପାଇଛି । ହଜାର ହଜାର ବ୍ୟକ୍ତି ପ୍ରାଣ ହରାଉଛନ୍ତି । ତେବେ ଭାରତ ନେଇଥିବା କଡା ନିଷ୍ପତ୍ତି ପାଇଁ ସ୍ଥିତି ଭଲ ରହିଛି । ସାମାଜିକ ଦୂରତା ଓ ଲକଡାଉନ ଜରୁରୀ ଅଟେ । ଆର୍ଥିକ ଦୃଷ୍ଟିରୁ ଏହା ମହଙ୍ଗା ହେଲେ ମଧ୍ୟ ଭାରତବାସୀଙ୍କ ଜୀବନ ଆଗରେ ଏହାର ତୁଳନା ନାହିଁ । ଏହି ପ୍ରୟାସ ସତ୍ୱେ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଯାହା ସରକାରଙ୍କୁ ସତର୍କ କରିଛି । ଭାରତରେ ମଧ୍ୟ କରୋନା ଲଢେଇ ପାଇଁ ରାଜ୍ୟ ସହ ଆଲୋଚନା ହୋଇଛି । ଅନେକ ଲକଡାଉନକୁ ବୃଦ୍ଧି କରିବା ପାଇଁ କହିଛନ୍ତି । କେତେକ ଏହାକୁ ଲାଗୁ ମଧ୍ୟ କରିଦେଇଛନ୍ତି । ସମସ୍ତଙ୍କ ପରାମର୍ଶକୁ ନଜରରେ ରଖି ଭାରତରେ ଲକଡାଉନକୁ ମେ ୩ ଯାଏଁ ବୃଦ୍ଧି କରାଯାଇଛି ।

ତେବେ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଥିବା ସମୟ ସମ୍ପର୍କରେ

ପ୍ରଥମ ସମ୍ବୋଧନ : ୧୯ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରି ୨୨ ମାର୍ଚ୍ଚରେ ସାଧାରଣ କର୍ଫ୍ୟୁ ଲାଗୁ କରିବା ବିଷୟରେ କହିଥିଲେ। ଏହି ଦିନ ସାରା ଦେଶରେ ସବୁକିଛି ବନ୍ଦ ରହିଲା | ସନ୍ଧ୍ୟାରେ ଲୋକମାନେ କରୋନା ଯୋଦ୍ଧାମାନଙ୍କୁ  ଘଣ୍ଟ ବଜାଇ ଧନ୍ୟବାଦ ସହ ନିଜର ସମର୍ଥନ ଜଣାଇଥିଲେ ।

ଦ୍ୱିତୀୟ ସମ୍ବୋଧନ : ୨୪ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିତୀୟ ଥର ପାଇଁ  ସମ୍ବୋଧିତ କରି କରୋନା ସଂକ୍ରମଣକୁ ରୋକିବା ପାଇଁ ୨୫ ମାର୍ଚ୍ଚରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରିଥିଲେ। ସେ କହିଥିଲେ ଯେ କରୋନା ଶୃଙ୍ଖଳା ଭାଙ୍ଗିବା ପାଇଁ ଲୋକମାନେ କିଛି ଲକ୍ଷ୍ମଣ ରେଖାଙ୍କୁ ଅନୁସରଣ କରିବା ଉଚିତ୍।

ତୃତୀୟ ସମ୍ବୋଧନ : ପ୍ରଧାନମନ୍ତ୍ରୀ ମୋଦୀ ୩ ଅପ୍ରେଲରେ ଏକ ଭିଡିଓ ବାର୍ତ୍ତା ପ୍ରକାଶ କରିଛନ୍ତି। ଏଥିରେ, ଅପ୍ରିଲ ୫ ତାରିଖ ରାତି ୯ଟା ସମୟରେ ଦୀପ, ମହମବତୀ ଏବଂ ମୋବାଇଲ ଲାଇଟର ଆଲୋକ ୯ ମିନିଟ ଧରି ଏକତା ପ୍ରଦର୍ଶନ କରିବାକୁ ଲୋକଙ୍କୁ ନିବେଦନ କରାଯାଇଥିଲା। ଆଜିର ସମ୍ବୋଧନରେ ସେ ଲକଡାଉନ୍ ବୃଦ୍ଧି ବାବଦରେ କହିଛନ୍ତି ।

ଚତୁର୍ଥ ସମ୍ବୋଧନ: ମେ ୩ ଯାଏଁ ଲକଡାଉନ୍ ବୃଦ୍ଧି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.