ନଭେମ୍ବର ୫ରେ ପ୍ରଧାନମନ୍ତ୍ରୀଙ୍କ କେଦାରନାଥ ଗସ୍ତ, ୨୫୦ କୋଟି ପ୍ରକଳ୍ପର କରିବେ ଶୁଭାରମ୍ଭ

Published By : Prameya-News7 Bureau | October 16, 2021 IST

ଡେରାଡୁନ୍‌ ୧୬/୧୦: ନଭେମ୍ବର ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦରନାଥ ଯାତ୍ରା କରିବେ। ସେଠାରେ ସେ ବାବା କେଦାରନାଥଙ୍କ ପୂଜାର୍ଚ୍ଚନା କରିବା ସହ ୨୫୦ କୋଟି ଟଙ୍କାର କେଦାରପୁରୀ ପୁନଃନିର୍ମାଣ ପ୍ରକଳ୍ପର ଶୁଭାରମ୍ଭ କରିବେ। ଗୋଟିଏ ମାସରେ ତାଙ୍କର ଏହା ଦ୍ବିତୀୟ ଉତ୍ତରାଖଣ୍ଡ ଯାତ୍ର ହେବ। ଏହା ପୂର୍ବରୁ ଅକ୍ଟୋବର ୭ରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷୀକେଶରେ ଥିବା ଅଖିଳ ଭାରତୀୟ ଆୟୁର୍ବାଜ୍ଞାନ ସଂସ୍ଥାନ (ଏମ୍ସ)  ଯାଇଥିଲେ ଏବଂ ସେଠାରେ ଏକ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ କରିଥିଲେ।

ଆସନ୍ତା ମାସ ମୋଦୀଙ୍କ କେଦାରନାଥ ଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି କହିଛନ୍ତି, ପ୍ରଧାନମନ୍ତ୍ରୀ କେଦାରନାଥ ମନ୍ଦିର ଦର୍ଶନ କରିବା ବ୍ୟତୀତ ୨୫୦ କୋଟି ଟଙ୍କାର କେଦାରପୁରୀ  ପୁନଃନିର୍ମାଣ ପ୍ରକଳ୍ପର ଉଦଘାଟନ କରିବେ । ଯେଉଁଥିରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି ସମ୍ବନ୍ଧିତ ପ୍ରକଳ୍ପ ମଧ୍ୟ ସାମିଲ ରହିଛି। ଏହା ସହ ମୋଦୀ ଅନେକ ଯୋଜନାର ଶିଳାନ୍ୟାସ କରିପାରନ୍ତି ବୋଲି ଧାମି କହିଛନ୍ତି। ଏହି ସବୁ ପ୍ରକଳ୍ପରେ ୧୫୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି।  

୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀ ଅନେକ ବାର କେଦାରନାଥ ଯାତ୍ରା କରିଛନ୍ତି। ଗତବର୍ଷ କରୋନା ମହାମାରୀ କାରଣରୁ ସେ କେଦାରନାଥ ଯାଇପାରିନଥିଲେ। ମହାମାରୀ ଏବେ ନିୟନ୍ତ୍ରଣାଧୀନ ଥିବା ଯୋଗୁଁ ସେ କେଦରନାଥ ଯାଇପାରନ୍ତି ବୋଲି କୁହାଯାଉଛି। ଅନ୍ୟପଟେ ଅତ୍ୟଧିକ ଥଣ୍ଡା ଯୋଗୁଁ ନଭେମ୍ବର ୬ରୁ କେଦାରନାଥ ଧାମର କବାଟ ବନ୍ଦ ହେବା ପାଇଁ ଧାର୍ଯ୍ୟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.