ମୋଦୀଙ୍କ ‘ବାଲସେନା’: କରିବେ କରୋନା ସଚେତନ, ମହାମାରୀର ମୁକାବିଲା ନେଇ ପରିବାରକୁ ବୁଝାଇବେ
26/03/2020 at 4:03 PM

ନୂଆଦିଲ୍ଲୀ, ୨୬|୦୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିଥିଲେ । ଏହାସହ କରୋନା ଭାଇରସର ମୁକାବିଲା ପାଇଁ ଏହି ୨୧ ଦିନ ଯାଏଁ ଘରୁ ନ ବାହାରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଥିଲେ । ନିକଟରେ ସେ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ ସେ ଲକଡାଉନକୁ ସଫଳ କରିବା ପାଇଁ ‘ବାଲସେନା’କୁ ଅପିଲ କରିଛନ୍ତି ।

ଟ୍ୱିଟରେ ମୋଦୀ ଲେଖିଛନ୍ତି ଯେ, ବାଲସେନା ଉପରେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି । ସେମାନେ ଲୋକମାନଙ୍କୁ ଲକଡାଉନ ସମୟରେ ଘରେ ରହିବା ପାଇଁ ପରାମର୍ଶ ଦେବେ । ଯାହା କୋଭିଦ-୧୯କୁ ସଫଳତାର ସହ ସାମ୍ନା କରିବାରେ ସହାୟକ ହେବ ।
ଏହି ଭିଡିଓ ଟ୍ୱିଟରେ ଏକ ଛୋଟ ଝିଅ ନିଜ ପିତାଙ୍କୁ ବାହାରକୁ ଯିବା ବେଳେ ଅଟକାଉଥିବା ଦେଖିବାକୁ ମିଳିଛି । ୧୪ ଘଣ୍ଟା ତଳେ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ୭୫ହଜାର ଜଣ ଲାଇକ କରିଥିବା ବେଳେ ୧୫ ହଜାର ଥର ରିଟ୍ୱିଟ୍ କରିଛନ୍ତି ।