ନଦୀକୁ ଗାଧୋଇବାକୁ ଯାଇ ଯୁବତୀ ନିଖୋଜ, କୁମ୍ଭୀର ଭିଡିନେଇଥିବା ଆଶଙ୍କା
2/11/2019 at 7:09 PM

କେନ୍ଦ୍ରାପଡା ୨।୧୧: କେନ୍ଦ୍ରାପଡା ନରଣପୁର ଗାଁରେ ଅଘଟଣ। ଶନିବାର ନଦୀକୁ ଗାଧୋଇଯାଇଥିବା ଜନୈକା ଯୁବତୀ ନିଖୋଜ ହୋଇଯାଇଛନ୍ତି। ଗାଁ ଲୋକେ ଯୁବତୀଙ୍କୁ କୁମ୍ଭୀର ଟାଣି ନେଇଥିବା ଆଶଙ୍କା କରୁଛନ୍ତି। ଏଣୁ ଓଡ୍ରାଫ ଟିମ୍ ପହଞ୍ଚି ନଦୀରେ ଖୋଜା ଖୋଜି କରୁଥିଲେ ହେଁ ସନ୍ଧ୍ୟା ସୁଦ୍ଧା ଯୁବତୀଙ୍କର କୌଣସି ସନ୍ଧାନ ମିଳିପାରିନାହିଁ।

ମିଳିଥିବା ସୂଚନା ଅନୁସାରେ ଗାଁର ଚାରୁଲେଖା ସେଠୀ ଗୋବରୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ଧରି ନଫେରିବାରୁ ଘର ଲୋକେ ଖୋଜା ଖୋଜି କରିଥିଲେ ହେଁ ତାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ। ଘଟଣା ଗାଁରେ ପ୍ରଚାରିତ ହେବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ଗାଁ ଲୋକେ ନଦୀରେ ଗାଧୋଉଥିବା ବେଳେ ହୁଏତ ଚାରୁକୁ କୁମ୍ଭୀର ଟାଣି ନେଇଛି ବୋଲି ଗାଁ ଲୋକେ ସନ୍ଦେହ କରୁଥିବା ବେଳେ ଓଡ୍ରାଫ ବାହିନୀକୁ ସୂଚନା ଦେଇଥିଲେ।

ଗାଁ ଲୋକଙ୍କ ସୂଚନା ଆଧାରରେ ଓଡ୍ରାଫ ଟିମ୍ ପହଞ୍ଚି ନଦୀରେ ଦୀର୍ଘ ସମୟ ଲାଗି ଖୋଜାଖୋଜି କରିଛନ୍ତି। ହେଲେ ଯୁବତୀଙ୍କର ସନ୍ଧାନ ମିଳିପାରିନାହିଁ। କେନ୍ଦ୍ରାପଡା ଜିଲ୍ଲାର ନଦୀମାନଙ୍କରେ କୁମ୍ଭୀର ଭୟ ରହିଛି। ଏଣୁ ଚାରୁ ହୁଏତ କୁମ୍ଭୀରର ଶିକାର ହୋଇଥାଇପାରେ ଗାଁ ଲୋକେ ଆଶଙ୍କା କରୁଛନ୍ତି।