ହନିଟ୍ରାପ୍‌ରେ ଓଲି : ଚୀନ ମହିଳା ରାଷ୍ଟ୍ରଦୂତଙ୍କ ମାୟାଜାଲରେ ଫସିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ, ଉଠ୍‌ବସ୍ ମଧ୍ୟ ହେଉଛନ୍ତି

Published By : Prameya-News7 Bureau | July 07, 2020 IST

କାଠମାଣ୍ଡୁ, ୦୭।୦୭: କଣ ପାଇଁ ଚୀନ୍ ପ୍ରତି ନେପାଳର ଏତେ ଦରଦ ? କାହିଁକି ଚୀନ କଥାରେ ଏବେ କିଛି ଦିନ ହେବ ବସ୍ ଉଠ୍ ହେଉଛି ନେପାଳ ଓ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ? ଏହି ପ୍ରସଙ୍ଗ ମଧ୍ୟରେ ଏକ ସାଙ୍ଘାତିକ ଖବର ସାମ୍ନାକୁ ଆସିଛି । ଚୀନ ମହିଳା ରାଷ୍ଟ୍ରଦୂତଙ୍କ ମାୟାଜାଲରେ ଓଲି ଫସିଥିବା କୁହାଯାଉଛି ।

ସୂଚନାନୁସାରେ, ନେପାଳର ରାଜଧାନୀ କାଠମାଣ୍ଡୁରେ ରହିଛି ଏହି ମାୟାଜାଲ । ଯାହାର ଝଲକ ଦେଖିବାକୁ ମିଳିଥିଲା ଏକ କାର୍ଯ୍ୟକ୍ରମରେ । ଏହି କାର୍ଯ୍ୟକ୍ରମରେ ଚୀନର ମହିଳା ରାଷ୍ଟ୍ରଦୂତ ହୋଉ ୟାଙ୍କି ନାଚୁଥିଲେ । ତାଙ୍କ ସହ ପାଦ ମିଳାଇ ନାଚୁଥିଲେ ନେପାଳ ସରକାରର ଅନେକ ବରିଷ୍ଠ ଅଧିକାରୀ । ଏପରିକି ବୈଦେଶିକ ବିଭାଗର ମଧ୍ୟ ଅନେକ ଅଧିକାରୀ ସାମିଲ ଥିଲେ ।

ଚୀନର ମାଷ୍ଟର ପ୍ଲାନ୍

ଚୀନ ନେପାଳରେ ରାଷ୍ଟ୍ରଦୂତ ଭାବେ ୟାଙ୍କିଙ୍କୁ ନିଯୁକ୍ତ କରିଛି । ଏହାପୂର୍ବରୁ ସେ ପାକିସ୍ତାନରେ ରାଷ୍ଟ୍ରଦୂତ ଭାବେ  ନିଯୁକ୍ତ ହୋଇଥିଲେ । ୟାଙ୍କିଙ୍କୁ ଚୀନ କଡା ନିର୍ଦ୍ଦେଶ ଦେଇଛି । ଯେପରି ନେପାଳ ଓ ଭାରତ ମଧ୍ୟରେ ଥିବା ସମ୍ପର୍କ ଛିନ୍ନ ହେବ । ଚୀନ ଆଡକୁ ଢଳିବ ନେପାଳ । ଯାହା ଏବେ ଦେଖିବାକୁ ମିଳିଛି । କାରଣ ଚୀନ ପାଇଁ ନେପାଳର କମ୍ୟୁନିଷ୍ଟ୍ ସରକାର ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହି ସରକାର ଭାଙ୍ଗିଲେ ଚୀନ ଉପରେ ବିପଦ ବଢିବ । ପୁଣି ଭାରତ ଓ ନେପାଳ ନିକଟତର ହେବେ । ଏପରି ହେବାକୁ ଚାହୁଁନି ଚୀନ । ରାଜନୈତିକ ଉଷ୍ମତାକୁ ଥଣ୍ଡା କରିବା ପାଇଁ ୟାଙ୍କିକୁ ଦାୟିତ୍ୱ ମିଳିଛି । ଏପରିକି ଓଲି ଓ ପ୍ରଚଣ୍ଡଙ୍କ ମଧ୍ୟରେ ତାଳିପକା ଉଦ୍ୟମ ମଧ୍ୟ କରୁଛନ୍ତି ୟାଙ୍କି ।

ଓଲିଙ୍କ ବିରୋଧୀଙ୍କ ଅଭିଯୋଗ ଅନୁସାରେ, ୟାଙ୍କି ନେପାଳର ବଡ ଶତ୍ରୁ । ସେହି ରାଜନୈତିକ ଝଡ ପାଇଁ ଦାୟୀ । ଆହୁରି ମଧ୍ୟ ଓଲିଙ୍କ ସହ ୟାଙ୍କିଙ୍କ ଅନେକ ଆପତ୍ତିଜନକ ଭିଡିଓ ଥିବା ମଧ୍ୟ ସେମାନେ ଅଭିଯୋଗ କରୁଛନ୍ତି । ତେବେ ନେପାଳ ଚୀନ ଆଡକୁ ଢଳିବା ପରେ ନେପାଳବାସୀ ବିବ୍ରତ । ସେମାନେ ନେପାଳକୁ ଆଉ ଏକ ପାକିସ୍ତାନ ଭାବେ ଦେଖିବାକୁ ଚାହୁଁନାହାଁନ୍ତି । ଏପରିକି ଓଲିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସୂଚନାଯୋଗ୍ୟ, ନେପାଳ କମ୍ୟୁନିଷ୍ଟ ଦଳର ୪୪ଜଣ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ୨୯ଜଣ ଓଲିଙ୍କୁ ବିରୋଧ କରୁଛନ୍ତି । ମାତ୍ର ୧୫ଜଣଙ୍କ ସମର୍ଥନ ରହିଛି । ଅର୍ଥାତ ପ୍ରାୟ ଦ୍ୱିଗୁଣ ସଦସ୍ୟ ଓଲିଙ୍କ ବିରୋଧରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.