ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବନ୍ଦ ରହିବ ନନ୍ଦନକାନନ, ବାତିଲ୍ ହୋଇପାରେ ରେଳ ସେବା

Published By : Prameya-News7 Bureau | May 01, 2019 IST

ଭୁବନେଶ୍ବର ୧|୫: ସାମୁଦ୍ରିକ ବାତ୍ୟା ‘ଫନି’ ଉଗ୍ର ହେଉଛି । ‘ଫନି’ର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ବାତ୍ୟା କବଳରୁ ରକ୍ଷା କରିବା ପାଇଁ ଲୋକମାନଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବା ନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।

କେବଳ ମନୁଷ୍ୟ ନୁହେଁ, ପଶୁ ପକ୍ଷୀଙ୍କ ସୁରକ୍ଷା ପାଇଁ ମଧ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଉପକଣ୍ଠରେ ଥିବା ନନ୍ଦନକାନନ ଜାତୀୟ ଉଦ୍ୟାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲିଠାରୁ ୪ ତାରିଖ ପର୍ଯ୍ୟନ୍ତ ଚିଡିଆଖାନା ବନ୍ଦ ରହିବ । ପଶୁପକ୍ଷୀ ଓ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏପରି ପଦକ୍ଷେପ ନେଇଛନ୍ତି ।

ଅନ୍ୟପଟେ ଆସନ୍ତାକାଲି ସନ୍ଧ୍ୟା ପରଠାରୁ ରେଳ ସେବା ବାତିଲ୍ କରାଯିବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ । ତେବେ ଯାତ୍ରୀମାନେ ସେହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏନେଇ ଆଜି ସନ୍ଧ୍ୟାରେ ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.