ଶ୍ରୀହୀନ ହେବାକୁ ବସିଲାଣି ନନ୍ଦନକାନନ, ବହୁ ପଶୁପକ୍ଷୀ ଖୁଆଡ ପଡିଛି ଫାଙ୍କା, ପର୍ଯ୍ୟଟକ ନିରାଶ

Published By : Prameya-News7 Bureau | January 31, 2019 IST

ବାରଙ୍ଗ୩୧|୧: ନନ୍ଦନକାନ ପ୍ରାଣୀ ଉଦ୍ୟାନରେ ଏବେ ଖାଲି ପଡ଼ିଛି ଅନେକ ପଶୁ ପକ୍ଷୀଙ୍କ ଖୁଆଡ଼ ।  ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ନନ୍ଦନକାନନ ଆସୁଥିବା ବେଳେ ଏସବୁ ଖାଲି ଖୁଆଡ଼କୁ ଦେଖି ସେମାନଙ୍କୁ ନିରାଶ ହେବାକୁ ପଡ଼ୁଛି । ତେବେ ଏ ସମ୍ପର୍କରେ ଆମେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଥିବା ବେଳେ ସେ ସେଣ୍ଟ୍ରାଲ ଜୁ ଅଥରିଟିଙ୍କ ଉଦାସୀନ ମନୋଭାବକୁ ଦାୟୀ କରିଥିଲେ । ତେବେ ନନ୍ଦନ କାନନରେ କେଉଁ କେଉଁ ପଶୁ ପକ୍ଷୀଙ୍କ ଖୁଆଡ଼ ଖାଲି ପଡ଼ିଛି ଚାଲନ୍ତୁ ତା’ ଉପରେ ଟିକେ ନଜର ପକାଇବା । ….

{"id":80287}

ଗଲା କିଛି ବର୍ଷ ହେଲା ନନ୍ଦନକାନନରେ ଅନେକ ପଶୁପକ୍ଷୀଙ୍କ ଖୁଆଡ଼ ଖାଲି ପଡ଼ିଛି । ଏଠାକୁ ପ୍ରତିଦିନ ଆସୁଥିବା ହଜାର ହଜାର ପର୍ଯ୍ୟଟକ କେବଳ ଏସବୁ ଖୁଆଡ଼ ବାହାରେ ଲାଗିଥିବା ପଶୁପକ୍ଷୀଙ୍କ ନାଁ ଓ ଏମାନଙ୍କ ସମ୍ପର୍କରେ ଲେଖାଯାଇଥିବା କେଇ ଧାଡ଼ିକୁ ଦେଖି ନିରାଶ ହୋଇ ଫେରୁଛନ୍ତି । ଠିକ୍‌ ଯେମିତି ଖାଲି ପଡ଼ିଛି କାସୁଆରୀ ବାର୍ଡ଼ଙ୍କ ପିଞ୍ଜରା । ୨୦୧୧ରେ ୨ଟି କାସୁଆରୀ ପକ୍ଷୀ ନନ୍ଦନକାନନକୁ ଆସିଥିଲେ । ଏମାନଙ୍କ ମୁଣ୍ଡ ଓ ବେକ ଦେଖିବାକୁ ଭାରି ସୁନ୍ଦର । ଏମାନେ ଦୃତଗତିରେ ଦୌଡ଼ିବା ସହ ଅନ୍ୟକୁ ଆକ୍ରମଣ କରିବାରେ ବେଶ୍‌ ପାରଙ୍ଗମ୍‌ । ହେଲେ ୨୦୧୪ରେ ଦୁଇ ପକ୍ଷୀଙ୍କ ମୃତ୍ୟୁ ହେବା ପରେ ଖାଲି ପଡ଼ିଛି ଖୁଆଡ଼ ।

{"id":80288,"width":595,"height":334}

ସେହଭଳି ଦିନେ ନନ୍ଦନକାନନର ୧୦୦ନମ୍ବର ଖୁଆଡ଼ରେ ଚାରି ଚାରିଟି ଜେବ୍ରାଙ୍କୁ ଦେଖିବାକୁ ମିଳୁଥିବା ବେଳେ ଏବେ ଖାଲି ପଡ଼ିଛି ଖୁଆଡ଼ । କ’ଣ ହେଲା କେଜାଣି ୨୦୧୪ରେ ଇସ୍ରାଏଲରୁ ଆସିଥିବା ସବୁ ଜେବ୍ରା ଗୋଟାକ ପରେ ଗୋଟିଏ ମରିଗଲେ । ଏବେ କେବଳ ଏହି ବୋର୍ଡ଼ ଦେଖି ଏଠାରେ ଜେବ୍ରା ଥିଲେ ବୋଲି ଜାଣୁଛନ୍ତି ଏଠାକୁ ଆସୁଥିବା ପର୍ଯ୍ୟଟକ ।

{"id":80289,"width":593,"height":333}

୪୦ବର୍ଷ ଧରି ଯେଉଁ ଖୁଆଡ଼ରେ ଲୋକେ ଗଣ୍ଡା ଦେଖିବାକୁ ସୁଯୋଗ ପାଉଥିଲେ, ଗଲା ୨ବର୍ଷ ହେଲା ସେ ଖୁଆଡ଼ ଖାଲି ପଡ଼ିଛି । ପୂର୍ବରୁ ଥିବା ଗଣ୍ଡାର ମୃତ୍ୟୁ ହୋଇଥିବା ବେଳେ ଆଉ ଗଣ୍ଡା ଆଣିବାର ବ୍ୟବସ୍ଥା ହୋଇନାହିଁ ।

{"id":80290,"width":591,"height":332}

ଗିବନ୍‌  । ଏହି ଜନ୍ତୁର ନାଁ ଶୁଣିଲେ ଅନେକଙ୍କ ମନରେ ଏହି ବିରଳ ପ୍ରଜାତିର ମାଙ୍କଡ଼କୁ ଦେଖିବାକୁ କୌତୂହଳ ସୃଷ୍ଟି ହୋଇଥାଏ । ହେଲେ ନନ୍ଦନକାନନରେ ଏହି ଜୀବକୁ ଦେଖିବାକୁ ସୁଯୋଗ ପାଉନାହାନ୍ତି ପର୍ଯ୍ୟଟକ । ମିଜୋରାମ୍‌ ଚିଡ଼ିଆଖାନାରେ ୧୭ଟି ଗିବନ୍‌ ଅଛନ୍ତି । ତେବେ ସେଣ୍ଟ୍ରାଲ ଜୁ ଅଥରିଟିଙ୍କ ଅନୁମତି ମିଳିଲେ ସେଠାରୁ ଗିବନ୍‌ ଅଣାଯିବ ବୋଲି କହୁଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

{"id":80291,"width":592,"height":333}

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏଭଳି ଅବସ୍ଥାକୁ ନେଇ ସେଣ୍ଟ୍ରାଲ ଜୁ ଅଥରିଟିଙ୍କ ଉପରେ ଦୋଷ ଲଦି ଚୁପ୍‌ ବସିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ସେପଟେ  ବିଭିନ୍ନ ଉତ୍ସବରେ ଯୋଗ ଦେଇ ନିଜର ବାହାଦୁରି ଦେଖାଇବାକୁ ଚେଷ୍ଟା କରୁଥିବା ବିଭାଗୀୟ ମନ୍ତ୍ରୀ ମଧ୍ୟ ଏ ସମ୍ପର୍କରେ କୌଣସି ପଦ​କ୍ଷେପକୁ ଜରୁରୀ ଭାବୁନଥିବା ବେଶ୍‌ ଅନୁମାନ କରି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.