ମହାରାଷ୍ଟ୍ର ମେଣ୍ଟ ସରକାରର ଗତି କେଉଁଆଡେ ? 'ଆଗାମୀ ନିର୍ବାଚନରେ ଏକା ଲଢିବ କଂଗ୍ରେସ' : ନାନା ପଟୋଲେ

Published By : Prameya-News7 Bureau | June 14, 2021 IST

ନୂଆଦିଲ୍ଲୀ ୧୪/ ୦୬ : ଦେଶର ବିଭିନ୍ନ ରାଜ୍ୟରେ ଅଚାନକ ରାଜନୀତି ସରଗରମ ହୋଇଯାଇଛି । ରାଜନୈତିକ ଗତିବିଧି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ପଞ୍ଜାବ, ରାଜସ୍ଥାନ ସମେତ ଉତ୍ତର ପ୍ରଦେଶରେ ମଧ୍ୟ ମାହୋଲ ସରଗରମ ହେବାରେ ଲାଗିଛି । ମହାରାଷ୍ଟ୍ରରେ ମଧ୍ୟ ସମାନ ପରିସ୍ଥିତି । ଏହାରି ମଧ୍ୟରେ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ ଏକ ବଡ ବୟାନ ଦେଇଛନ୍ତି ।


ନାନା ନଟୋଲେ କହିଛନ୍ତି, ମହାରାଷ୍ଟ୍ରରେ ଆଗାମୀ ଦିନରେ କଂଗ୍ରେସ ପାର୍ଟି ଏକାକୀ ବିଧାନସଭା ନିର୍ବାଚନ ଲଢିବ । କେବଳ ସେତିକି ନୁହେଁ, ସେ କହିଛନ୍ତି ଯଦି ହାଇକମାଣ୍ଡ ନିଷ୍ପତ୍ତି ନିଅନ୍ତି ତେବେ ସେ ଦଳର ମୁଖ୍ୟମନ୍ତ୍ରୀ ଚେହେରା ମଧ୍ୟ ହୋଇପାରିବେ । ବଡ କଥା ହେଉଛି ବର୍ତ୍ତମାନ ମହାରାଷ୍ଟ୍ରରେ ମେଣ୍ଟ ସରକାର ଚାଲିଛି । ଶିବ ସେନା ସହିତ ଏପସିପି ଏବଂ କଂଗ୍ରେସ ଦଳ ମେଣ୍ଟ ସରକାରରେ ଭାଗିଦାରୀ ଅଛନ୍ତି ।


ଏହାରି ମଧ୍ୟରେ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷଙ୍କ ଏପରି ବୟାନ ପରେ ମେଣ୍ଟ ସରକାରରେ କିଛି ଠିକ୍‌ ଠାକ ନଥିବା ଆଲୋଚନା ହେଉଛି । ସେଠାରେ ମେଣ୍ଟ ସରକାର ଚାଲିଥିଲେ ମଧ୍ୟ ଆଗାମୀ ନିର୍ବାଚନ ପାଇଁ ଏବେ ଠାରୁ ରୋକଠୋକ ଶୁଣାଇଦେଇଛଇ କଂଗ୍ରେସ । ଭବିଷ୍ୟତକୁ ନେଇ କେବଳ କଂଗ୍ରେସ ନୁହେଁ ବରଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ବା ଏନସିପି ମଧ୍ୟ ବୟାନ ଦେଇଛି । ଏନସିପି ନେତା ନଓ୍ବାବ୍‌ ମଲିକ କହିଛନ୍ତି, ମହାରାଷ୍ଟ୍ରରେ ଥିବା ମେଣ୍ଟ ସରକାର ତାର ପୂରା କାର୍ଯ୍ୟକାଳ ପୂରଣ କରିବାରେ ସକ୍ଷମ ହେବ କିନ୍ତୁ ଆସନ୍ତା ନିର୍ବାଚନରେ ୩ ଦଳ ଏକାଠୀ ନିର୍ବାଚନ ଲଢିବ କି ନାହିଁ ତାହା ସ୍ପଷ୍ଟ ଭାବେ କହିହେବ ନାହିଁ ।
ସୂଚନାଯୋଗ୍ୟ, ଗତ କିଛି ଦିନ ହେଲା ମହାରାଷ୍ଟ୍ରରା ରାଜନୈତିକ ଉଷ୍ମତା ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା ମଧ୍ୟ କରିଥିଲେ । ଏହା ପରେ ଶିବସେନା ସାଂସଦ ସଞ୍ଜୟ ରାଉତ ମଧ୍ୟ ମୋଦିଙ୍କ ତାରିଫ୍‌ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.