ଆସୁଛି ଅକ୍ସଫୋର୍ଡର କରୋନା ଭାକସିନ, ଜାଣନ୍ତୁ କ’ଣ ରହିଛି ଏହାର ନାମ, କେତେ ରହିଛି ଦାମ୍
21/07/2020 at 10:51 PM

ନୂଆଦିଲ୍ଲୀ ୨୧।୦୭: କୋଭିଡ୍ -୧୯ ମହାମାରୀର ମୁକାବିଲା ପାଇଁ ଭାକସିନ୍ ପ୍ରକ୍ରିୟାରେ ଜୁଟିଥିବା ସମଗ୍ର ଦୁନିଆର ଅନେକ ସଂସ୍ଥାକୁ ଅଲଗା ଅଲଗା ପର୍ଯ୍ୟାୟରେ ସଫଳତା ମିଳିଛି। ଏହି ମାମଲାରେ ୟୁକେର ଅକ୍ସଫୋର୍ଡ ୟୁନିଭର୍ସିଟି କରୋନା ଭାକସିନ ପ୍ରସ୍ତୁତିରେ ସର୍ବାଗ୍ରେ ରହିଛି। ଏହି ଭାକସିନର ଅନ୍ତିମ ପର୍ଯ୍ୟାୟ ସଫଳ ହେଲେ ଏହାର ନିର୍ମାଣ ଦୁନିଆର ସବୁଠୁ ବଡ ଭାକସିନ ନିର୍ମାତକାରୀ କମ୍ପାନୀ କରିବ। ଖୁସିର କଥା ଏହି କମ୍ପାନୀ ଆଉ କେହି ନୁହେଁ ବରଂ ଭାରତର ସିରମ ଇନଷ୍ଟିଚ୍ୟୁୟଟ୍। ଅକ୍ସଫୋର୍ଡ ଭାକସିନ ଗ୍ରୁପର ନିର୍ଦ୍ଦେଶକ ଆଣ୍ଡ୍ର୍ୟୁ ଜେ ପୋଲାର୍ଡ ଓ ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁୟଟ୍ ଅଫ ଇଣ୍ଡିଆର ସିଇଓ ଅଦାର ପୁନାଓ୍ଵାଲ ଏହାକୁ ନେଇ ସବିଶେଷ ତଥ୍ୟ ଦେଇଛନ୍ତି.

କେଉଁ ନାମରେ ଆସିବ ଭାକସିନ

ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଔଷଧ ନିର୍ମାତା କମ୍ପାନୀ ଏଷ୍ଟ୍ରାଜେନେକାର ମିଳିତ ଉଦ୍ୟମରେ ବିକଶିତ କରାଯାଉଥିବା କୋଭିଡ୍-୧୯ ଭାକସିନକୁ କୋଭିସିଲ୍ଡ(Covishield) ନାମ ଦିଆଯାଇଛି। ଯଦି ଏହାର ମଣିଷଙ୍କ ଉପରେ ଅନ୍ତିମ ପରୀକ୍ଷଣ ସଫଳ ରହେ ତେବେ ଏହାକୁ ଯଥା ଶୀଘ୍ର ବଜାରକୁ ଛାଡିବା ପାଇଁ ଉଦ୍ୟମ କରାଯିବ, ଯେମିତି ସମଗ୍ର ଦୁନିଆରେ ଏହାର ଡୋଜ୍ ଉପଲବ୍ଧ କରାଯାଇ ପାରିବ।
ଭାରତରେ ହିଁ ରହିବ ଟିକାର ୫୦ ପ୍ରତିଶତ ଡୋଜ୍

ସିରମ ଇନଷ୍ଟିଚ୍ୟୁୟଟ ଅଫ ଇଣ୍ଡିଆର ସିଇଓ ଅଦାର ପୁନାଓ୍ଵାଲା କହିଛନ୍ତି ତାଙ୍କ କମ୍ପାନୀ ଅକ୍ସଫୋର୍ଡର କରୋନ ଭାକସିନ ବଡ ପରିମାଣରେ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ ହୋଇ ରହିଛି। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା କୋଭିସିଲ୍ଡର ୩୦ରୁ ୪୦ କୋଟି ଡୋଜ୍ ପ୍ରସ୍ତୁତ କରାଯିବ। କମ୍ପାନୀ ଚଳିତ ସପ୍ତାହରେ ଭାରତୀୟ ଔଷଧ ନିୟାମକଙ୍କଠାରେ କୋଭିସିଲ୍ଡ ପାଇଁ ଲାଇସେନ୍ସ ଆବେଦନ କରିବ। କମ୍ପାନୀ ନିଜଠାରେ ପ୍ରସ୍ତୁତ ୫୦ ପ୍ରତିଶତ ଭାକସିନ୍ ଭାରତ ପାଇଁ ହିଁ ସଂରକ୍ଷିତ ରଖିବେ, ବାକି ଅଧା ଦୁନିଆର ଅନ୍ୟ ଦେଶକୁ ଯୋଗାଣ କରାଯିବ।
କେତେ ରହିବ ଭାକସିନର ମୂଲ୍ୟ

ସେ କହିଛନ୍ତି ପୂରା ଦୁନିଆ କୋଭିଡ୍-୧୯ ସହ ସଂଘର୍ଷ କରୁଛି ତେଣୁ ସଂପ୍ରତି ଏହାର ମୂଲ୍ୟ କମ ରହିବ। ଔଷଧ ଉପରେ ପ୍ରାରମ୍ଭରେ କୌଣସି ଲାଭ ରଖାଯିବ ନାହିଁ। ଆନୁମାନିକ ଭାବେ ଭାରତରେ ଭାକସିନର ମୂଲ୍ୟ ୧୦୦୦ ଟଙ୍କା, ଏଥିରୁ ଟିକେ ଅଧିକ କିମ୍ବା କମ ରହିପାରେ ବୋଲି ପୁନାଓ୍ଵାଲା କହିଛନ୍ତି।
କଣ ସରକାର ମାଗଣାରେ ଯୋଗାଇ ଦେବେନି ଟିକା

ଭାରତ ସରକାର ପୋଲିଓ, ମାଲେରିଆ ପରି ରୋଗର ମୂଳଉତ୍ପାଟନ ପାଇଁ ଜୋରଦାର ଅଭିଯାନ ଚଳାଇଥିଲେ। ଏହି କାରଣରୁ ଆଜି ଭାରତ ଏହି ସବୁ ରୋଗରୁ ପ୍ରାୟତଃ ମୁକ୍ତ ହୋଇ ସାରିଛି। କୋଭିଡ୍-୧୯ ମହାମାରୀର ଚ୍ୟାଲେଞ୍ଜ ଏହି ରୋଗଗୁଡିକଠୁ ବି ଅଧିକ ଚ୍ୟାଲେଞ୍ଜିଂ ରହିଛି। ଏମିତିରେ ପୂରା ସମ୍ଭାବନା ଯେ, ସରକାର କୋଭିଡ୍୦-୧୯ ଟୀକାକରଣ ଅଭିଯାନ ମଧ୍ୟ ଚଳାଇ ପାରନ୍ତି। ଏହି ଅଭିଯାନରେ ଲୋକଙ୍କୁ ମାଗଣାରେ କିମ୍ବା କମ୍ ଦରରେ ଟିକା ଦେବାର ନୀତି ସ୍ଥିର କରାଯାଇପାରେ। ଅଦାର ପୁନାଓ୍ଵାଲା କହିଛନ୍ତି ଅଧିକାଂଶ ଭାକସିନ ସରକାରଙ୍କ ଦ୍ଵାରା ହିଁ କ୍ରୟ କରାଯିବ ଏବଂ ଲୋକଙ୍କୁ ଟୀକାକରଣ କାର୍ଯ୍ୟକ୍ରମ ଅଭିଯାନରେ ମାଗଣାରେ ଟିକା ଦିଆଯିବ।
କେତେ ପ୍ରଭାବଶାଳୀ ହେବ ଏହି ଟିକା ?

ଏ ପର୍ଯ୍ୟନ୍ତ ହୋଇଥିବା ପରୀକ୍ଷାରେ କୋଭିସିଲ୍ଡ ବହୁତ ପ୍ରଭାବଶାଳୀ ରହିଛି। ଅକ୍ସଫୋର୍ଡ ଭାକସିନ ଗ୍ରୁପର ନିର୍ଦ୍ଦେଶକ ଆଣ୍ଡ୍ର୍ୟୁ ଜେ ପୋଲାର୍ଡ କହିଛନ୍ତି, ଆଣ୍ଟିବଡିର ପ୍ରତିକ୍ରିୟାରୁ ଜଣା ପଡୁଛି କୋଭିସିଲ୍ଡ ଭାକସିନ ବହୁତ ଉପାଦାୟୀ ହେବ। ପରୀକ୍ଷଣରେ ସଫଳ ହେବା ପରେ ମଧ୍ୟ ଏହାର ବାସ୍ତବ ପ୍ରଭାବ ତେବେ ଜଣା ପଡିବ ଯେବେ ବଡ ପରିମାଣରେ ଏହାର ବ୍ୟବହାର ହେବ।
କଣ ପାର୍ଶ୍ଵ ପ୍ରତିକ୍ରିୟା ରହିବ
ଆଣ୍ଡ୍ର୍ୟୁ ପୋଲାର୍ଡ କୋଭିଡ୍ ଭାକସିନର ଦୀର୍ଘ ସମୟ ପାର୍ଶ୍ଵ ପ୍ରତିକ୍ରିୟା ଆଶଙ୍କା ଉପରେ କହିଛନ୍ତି ଏହା ଉପରେ ଲମ୍ବା ଅବଧିର ପରୀକ୍ଷଣ ହୋଇ ନାହିଁ। ତେଣୁ ଏବେଠୁ କହିବା ମୁସ୍କିଲ ଯେ ଏହାର ଲମ୍ବା ସମୟ ପାର୍ଶ୍ଵ ପ୍ରତିକ୍ରିୟା ହେବ କି ନାହିଁ।