ଆରବ ଜଗତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ : ପ୍ରଫେସର ନଲଜା ଶାସନରେ ଅଭିଜ୍ଞତା ନଥାଇ ହେଲେ ଟ୍ୟୁନିସିଆ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | September 30, 2021 IST

ନୂଆଦିଲ୍ଲୀ, ୩୦।୦୯ : ଟ୍ୟୁନିସିଆର ନୂଆ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତି କେସ୍ ସୟିଦ ଦେଶର ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜର ଭୂବିଜ୍ଞାନର ଅଧ୍ୟାପିକା ନଜଲା ବୌଡେନ୍ ରୋମଧାନେଙ୍କୁ ବୁଧବାର ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରିଛନ୍ତି । ନଜଲା ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଅଟନ୍ତି । ରାଷ୍ଟ୍ରପତି ନିଜର ପୂର୍ବତନ ଅଧିକାରୀଙ୍କୁ ବହିଷ୍କାର କରିବା ପରେ ଏକ ଅନ୍ତରୀଣ ସରକାରର ନେତୃତ୍ୱ ନେବାକୁ ନଜଲାଙ୍କୁ ପଦରେ ଅବସ୍ଥାପିତ କରିଛନ୍ତି ।  

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ବୟାନ ଅନୁସାରେ, ସୟିଦ ନୂଆ ପ୍ରଧାନମନ୍ତ୍ରୀଙ୍କୁ ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଦ୍ୱାରା ଜୁଲାଇ ୨୫ରେ ସଂସଦ ଭଙ୍ଗ କରିବା ପରେ ଶାସନ କ୍ଷମତା ନିଜ ହାତକୁ ନେବା ପରେ ପ୍ରଧାନମନ୍ତ୍ରୀ ପଦ ଖାଲିଥିଲା । ତେବେ ତାଙ୍କର ଏହି ପଦକ୍ଷେପ ପରେ ଇସଲାମବାଦ ପାର୍ଟି ବିଦ୍ରୋହ ଘୋଷଣା କରିଛି । ଏପରିକି ଅନେକ ରାଜନୈତିକ ସମୀକ୍ଷକ ମଧ୍ୟ ସୟିଦଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।

ରାଜନୈତିକ ସମୀକ୍ଷକଙ୍କ କହିବାନୁସାରେ, ଏହା ଟ୍ୟୁନିସିଆ ଗଣତନ୍ତ୍ର ପ୍ରତି ବିପଦ । କିନ୍ତୁ ରାଷ୍ଟ୍ରପତି କହିଛନ୍ତି ଯେ, ଦେଶକୁ ଆର୍ଥିକ ଓ ସାମାଜିକ ସଙ୍କଟକୁ ମୁକୁଳାଇବା ପାଇଁ ଏପରି ପଦକ୍ଷେପ ନେବା ଜରୁରୀ ଥିଲା । ସେ ନଜଲାଙ୍କୁ ଭେଟିଛନ୍ତି । ଏହାର ଭିଡିଓ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଛି ।

ସୟିଦ ଆହୁରି କହିଛନ୍ତି ଯେ, ନୂଆ ସରକାର ପ୍ରଥମେ ଦୁର୍ନୀତି ଓ ଭ୍ରଷ୍ଟାଚାର ରୋକିବା ଦିଗରେ କାର୍ଯ୍ୟ କରିବେ । ନୂଆ ସରକାର ସ୍ୱାସ୍ଥ୍ୟ, ପରିବହନ, ଶିକ୍ଷା ଆଦି କ୍ଷେତ୍ରରେ ଜନତାଙ୍କର ଯାହା ଦାବି ରହିଛି ତା ଉପରେ ଗୁରୁତ୍ୱ ଦେବେ । ୨୦୧୧ରେ ଦେଶରେ ଦେଖାଦେଇଥିବା ବିଦ୍ରୋହ ପରେ ନଲଜା ଟ୍ୟୁନେସିଆର ଦଶମ ପ୍ରଧାନମନ୍ତ୍ରୀ ହେବେ ।  ଦଶବର୍ଷ ପୂର୍ବେ ଜନତା ଦୀର୍ଘ ସମୟ ଧରି ଶାସନ କରୁଥିବା ତାନାଶାହୀ ଜୀନ ଅଲ୍ ଓବିଦିନ ବେନ ଅଲ୍ଲୀଙ୍କ ସରକାରକୁ ବରଖାସ୍ତ କରିଥିଲେ । ଏହାପରେ ଆରବ ସ୍ପ୍ରିଂ ବିଦ୍ରୋହ ମୁଣ୍ଡ ଟେକିଥିଲା ।

ସୂଚନାଯୋଗ୍ୟ, ଆରବ ଦେଶରେ ମହିଳାଙ୍କୁ ରାଜନୈତିକ କ୍ଷେତ୍ରରେ କୌଣସି ବଡ ପଦବୀ ଦିଆଯାଇ ନଥାଏ । ଟ୍ୟୁନିସିଆ ଏକ ଆରବୀୟ ଦେଶ ହୋଇଥିଲେ ମଧ୍ୟ  ଜଣେ ମହିଳାଙ୍କୁ ପ୍ରଧାନମନ୍ତ୍ରୀ କରି ନୂଆ ଉଦାହରଣ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.