‘ଡ୍ରଗ୍ସ ନିଅନ୍ତି ରାହୁଲ ଗାନ୍ଧି, ତସ୍କରୀରେ ବି ସାମିଲ’ : ବିଜେପି ନେତାଙ୍କ ବିବାଦୀୟ ବୟାନ ପରେ ସରଗରମ ରାଜନୀତି

Published By : Prameya-News7 Bureau | October 19, 2021 IST

ବେଙ୍ଗାଲୁରୁ ୧୯/୧୦ : ଡ୍ରଗ୍ସ ନେଉଛନ୍ତି ରାହୁଲ ଗାନ୍ଦି । କେବଳ ଡ୍ରଗ୍ସ ନୁହେଁ ତସ୍କରୀରେ ମଧ୍ୟ ସାମିଲ ଅଛନ୍ତି । ଏଭଳି ବୟାନ ଦେଇ ବିବାଦରେ ଫସିଛନ୍ତି କର୍ଣ୍ଣାଟକ ବିଜେପି ମୁଖ୍ୟ ନଲୀନ କୁମାର କତୀଲ । ମଙ୍ଗଳବାର ଏକ ସଭାରେ ସେ କହିଛନ୍ତି, ‘ରାହୁଲ ଗାନ୍ଧି କିଏ ? ମୁଁ ତାହା କହୁନାହିଁ । ରାହୁଲ ଗାନ୍ଧି ଜଣେ ଡ୍ରଗ୍ସ ଆଡିକ୍ଟ । ସେ ରୀତିମତ ନିଶା ସେବନ କରନ୍ତି ଏବଂ ଡ୍ରଗ୍ସ କାରବାର କରନ୍ତି ।’

କର୍ଣ୍ଣାଟକ ବିଜେପି ମୁଖ୍ୟଙ୍କ ଏଭଳି ବୟାନ ପରେ ରାଜନୀତି ସରଗରମ ହେବାରେ ଲାଗିଛି । କର୍ଣ୍ଣାଟକ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ କରାଯାଇଥିବା ଏକ ଟ୍ବିଟ୍‌ ପରେ ଏଭଳି ବୟାନ ପ୍ରକାଶ ପାଇଛି । କଂଗ୍ରେସ ପକ୍ଷରୁ କରାଯାଇଥିବା ଟ୍ବିଟ୍‌ରେ କୁହାଯାଇଥିଲା ଯେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଅଶିକ୍ଷିତ ।’ ଏଭଳି ଟ୍ବିଟ୍‌ କନ୍ନଡ ଭାଷାରେ କରାଯାଇଥିଲା ।

ଏବେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ଅବଶ୍ୟ କଂଗ୍ରେସ ପକ୍ଷରୁ କରାଯାଇଥିବା ଟ୍ବିଟ୍‌ ପରେ ହଟାଇ ଦିଆଯାଇଥିଲା । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାର କହିଥିଲେ, ଦଳର ସୋସିଆଲ ମିଡିଆ ଟିମ ପ୍ରଧାନମନ୍ତ୍ରୀଙ୍କୁ ନେଇ କରାଯାଇଥିବା ବିବାଦୀୟ ଟ୍ବିଟ୍‌କୁ ତୁରନ୍ତ ହଟାଇଦେଇଛନ୍ତି । ଦଳ ତରଫରୁ କ୍ଷମା ପ୍ରାର୍ଥନା ମଧ୍ୟ କରାଯାଇଥିଲା ।

ତେବେ ବର୍ତ୍ତମାନ ବିଜେପି ଚିଫ୍‌ ନଲୀନ କୁମାର କତୀଲଙ୍କ ଏଭଳି ମୟାନ ପରେ ଚିହିକି ଉଠିଛି କର୍ଣ୍ଣାଟକ କଂଗ୍ରେସ । ବିଜେପି ନେତାଙ୍କ ଏଭଳି ବୟାନକୁ ନେଇ କଡା ପ୍ରତିକ୍ରିୟା ରଖିଛି ରାଜ୍ୟ କଂଗ୍ରେସ । କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଟ୍ବିଟ୍ କରି କହିଛନ୍ତି, ‘ରାଜନୈତିକ ଚର୍ଚ୍ଚାରେ ନାଗରିକ ଏବଂ ସଂସଦୀୟ ଭାଷା ରହିବା ଉଚିତ । ଆମ ବିରୋଧୀ ମଧ୍ୟ ତାହା ଜାଣିବା ଉଚିତ । ତେଣୁ ରାହୁଲ ଗାନ୍ଧିଙ୍କୁ ନେଇ ବିଜେପି ମୁଖ୍ୟ ଦେଇଥିବା ବିବାଦୀୟ ବୟାନ ପାଇଁ ସେ କ୍ଷମା ପ୍ରାର୍ଥନା କରିବେ ବୋଲି ଆଶା ।’

କଂଗ୍ରେସ ପକ୍ଷରୁ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବିବାଦୀୟ ଟ୍ବିଟ୍ କରାଯିବା ପରେ ଏବେ ବିଜେପି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍‌ କରିଛି । କର୍ଣ୍ଣାଟକରେ ଉଭୟ ଦଳ ମଧ୍ୟରେ ଟ୍ବିଟର ଓ୍ବାର୍‌ ଜୋରଦାର ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.