ସିଦ୍ଧରମେୟା ଜଣେ ଆତଙ୍କବାଦୀ, ତାଙ୍କ ସଂସ୍କୃତି ତାଲିବାନୀ ଭଳି: କର୍ଣ୍ଣାଟକ ବିଜେପି ଅଧ୍ୟକ୍ଷ ନଳିନ କୁମାର

Published By : Prameya-News7 Bureau | September 29, 2021 IST

ବେଙ୍ଗାଲୁରୁ ୨୯/୦୯ : କର୍ଣ୍ଣାଟକ ଭାରତୀୟ ଜନତା ପାର୍ଟିର ରାଜ୍ୟ ଅଧ୍ୟକ୍ଷ ନଳିନ କୁମାର କତିଲ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ନଳିନ କୁମାରଙ୍କ ବୟାନ ପରେ ବିବାଦ ଛିଡା ହୋଇଛି। ବିଜେପି ନେତା ନଳିନ କୁମାର ବୁଧବାର ଦିନ କଂଗ୍ରେସ ନେତା ସିଦ୍ଧରମେୟାଙ୍କୁ ଆତଙ୍କବାଦୀ କହିଛନ୍ତି। ସେ କହିଛନ୍ତି, ମୋତେ ଲାଗୁଛି ସିଦ୍ଧରମେୟା ନିଜେ ମଧ୍ୟ ଜଣେ ଆତଙ୍କବାଦୀ। ସେ ଏହିଭଳି ବୟାନ ଏଥିପାଇଁ ଦେଉଛନ୍ତି କାରଣ କଂଗ୍ରେସରେ ତାଙ୍କ ସ୍ଥିତି ବହୁତ ଦୟନୀୟ। ସିଦ୍ଧରମେୟାଙ୍କ ସଂସ୍କୃତି ତାଲିବାନୀ ଭଳି। ତାଙ୍କ କାର୍ଯ୍ୟକାଳ ସମୟରେ ସବୁଠାରୁ ଅଧିକ ହତ୍ୟା ହୋଇଛି।"

ବିଜେପି ନେତା ଦୀପକ ରାଓ ହତ୍ୟାକାଣ୍ଡ, ଶରଦ ମଦିବାଲା ଓ ପ୍ରଶାନ୍ତ ପୂଜାରୀ ହତ୍ୟାକାଣ୍ଡ ବିଷୟରେ କହିଛନ୍ତି। ସେ ଆରୋପ ଲଗାଇଛନ୍ତି ଯେ ସିଦ୍ଧରମେୟାଙ୍କ କାର୍ଯ୍ୟକାଳ ସମୟରେ ୨୪ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ହୋଇଛି। ଆଗକୁ ସେ କହିଛନ୍ତି, ଏଟିଏମ ମେସିନ ପାଖରେ ଯାଏ ମହିଳାଙ୍କୁ ହମଲା କରାଯାଇଥିଲା, ସୁଲିଆରେ କଲେଜ ଯାଉଥିବା ଜଣେ ଛାତ୍ରୀଙ୍କ ଉପରକୁ ହମଲା ହୋଇଥିଲା, ଏସବୁ ସିଦ୍ଧରମେୟା କାର୍ଯ୍ୟକାଳ ସମୟରେ ଘଟିଥିଲା। ଏହା ତାଲିବାନୀ ସଂସ୍କୃତି।

ସେ କହିଛନ୍ତି, ସେଥିପାଇଁ ମୁଁ କହୁଛି ଯେ ସିଦ୍ଧରମେୟା ଜଣେ ଆତଙ୍କବାଦୀ। ଅଧିକ ହତ୍ୟା, ଡକାୟତି, ଗୋହତ୍ୟା ଆଦି ତାଙ୍କ ଶାସନକାଳରେ ହୋଇଥିଲା। ତାଙ୍କ ପାଖରେ ନୈତିକତା ଅଛି କି ? ବିଜେପି ନେତା କଂଗ୍ରେସକୁ ବୁଡ଼ିଯାଉଥିବା ଜାହାଜ ବୋଲି କହିଛନ୍ତି। ନଳିନ କୁମାର ଦାବି କରିଛନ୍ତି ଯେ କଂଗ୍ରେସର ଅନେକ ନେତା ବିଜେପିରେ ସାମିଲ ହେବାକୁ ପ୍ରସ୍ତୁତ ହୋଇସାରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସର ଅନେକ ନେତା ଓ କର୍ମୀ ତାଙ୍କ ସମ୍ପର୍କରେ ଅଛନ୍ତି। କିନ୍ତୁ ତରତର ହେବାର କିଛି ଆବଶ୍ୟକତା ନାହିଁ। ଆଗାମୀ ନିର୍ବାଚନ କଂଗ୍ରେସ ଜିତିବ ବୋଲି ଲୋକଙ୍କୁ ଆଉ ବିଶ୍ୱାସ ନାହିଁ। ଏଭଳି ସ୍ଥିତିରେ କିଏ କଂଗ୍ରେସକୁ ଯିବାକୁ ଚାହିଁବ ? ୨୦୨୩ ବିଧାନସଭା ନିର୍ବାଚନରେ ବିଜେପି ଜିତିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.