ନାଲିବତୀ ଗାଡିରେ ବୁଲୁଥିଲେ ନକଲି ଡିଏସପି, ସବୁ ଖେଳ ବିଗାଡି ଦେଲା ମଦ...

Published By : Prameya-News7 Bureau | June 21, 2021 IST

ଭୁବନେଶ୍ୱର, ୨୧/୦୬ : ଖାଲି ଫେସ୍‌ବୁକ୍‌ ପୋଷ୍ଟ ନୁହେଁ, ଚାରିଆଡ଼େ ନିଜକୁ ଡିଏସ୍‌ପି ର‍୍ୟାଙ୍କ ପୁଲିସ ପରିଚୟରେ ବୁଲୁଥିଲା। ଏକ କଳା ରଙ୍ଗର ସ୍କର୍ପିଓରେ ନାଲିବତୀ ଲଗାଇ ରାଜଧାନୀରେ ଚକ୍କର କାଟୁଥିଲା । ଲକ୍‌ଡାଉନ, ସଟ୍‌ଡାଉନ୍‌ର ନାକା ପଏଣ୍ଟ ଚେକିଂ କଥା ଛାଡନ୍ତୁ ବଡ଼ ବଡ଼ ପୁଲିସ ଅଧିକାରୀଙ୍କୁ ବି ଚକ୍‌ମା ଦେଇଯାଉଥିଲା। କମିଶନରେଟ୍‌ ପୁଲିସ୍‌ ଏମିତି ଏକ ନକଲି ଡିଏସ୍‌ପି ସାଜିଥିବା ଯୁବକକୁ ଅଟକ ରଖିଛି । ସପ୍ତାହନ୍ତ ସଟ୍‌ଡାଉନ୍‌ରେ ରାଜଧାନୀର ରାଜରାସ୍ତାରେ ମଦ ପିଇବା ବେଳେ ପୁଲିସ ତାକୁ ଧରିଛି।

ସୂଚନା ମୁତାବକ, ଯୁବକର ନାଁ ଜାକେଶ କୁମାର ମହାନ୍ତି। ଘର କୋରାପୁଟ ଅଞ୍ଚଳରେ। ତା’ ବାପା ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ। କିଛି ଦିନ ହେଲା ଜାକେଶ ଏକ ସ୍କର୍ପିଓ କାର (ଓଡି୦୨ଜି ୩୨୬୫)ରେ ନାଲିବତୀ ଲଗାଇ ବୁଲୁଥିଲା। ନାକା ପଏଣ୍ଟରେ ଚେକିଂ ବେଳେ ବଡ଼ ଅଫିସର ଭାବି ପୁଲିସ କର୍ମଚାରୀ ଉକ୍ତ ଗାଡି଼କୁ ଛାଡି଼ ଦେଉଥିଲେ। ଏମିତିକି ସ୍କର୍ପିଓଟି ବାରିକେଡ୍‌ ଡେଇଁବା ବେଳେ ପୁଲିସ୍‌ମାନେ ତାକୁ ସ୍ୟାଲୁଟ୍‌ ମାରୁଥିଲେ। ରବିବାର ୟୁନିଟ୍‌ -୯ ଅଞ୍ଚଳର ଏକ ଗଳିରେ ଉକ୍ତ ସ୍କର୍ପିଓଟି ରାସ୍ତା ମଝିରେ ଅଟକିଥିଲା। ୨-୩ଜଣ ସାଙ୍ଗ ସହ ସେ ସ୍କର୍ପିଓ ଭିତରେ ମଦ ପିଉଥିଲେ। ସେମାନେ ନିଶାରେ ଚୁର୍‌ ହୋଇ ହୋ-ହଲ୍ଲା କରୁଥିଲେ । ସେଠାକାର ଜଣେ ବାସିନ୍ଦା ଏନେଇ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଜଣାଇଥିଲେ। ଘଟଣାସ୍ଥଳକୁ ପିସିଆର ଭ୍ୟାନ୍‌ ପହଞ୍ଚିବା ଦେଖି ଯୁବକମାନେ ଆହୁରି ଚିଲ୍ଲାଇଥିଲେ । ନିଜକୁ ଆଇପିଏସ୍‌ ଅଧିକାରୀ ବୋଲି କହିବା ସହ ସେଠାରୁ ଯିବାକୁ ଧମକ ଦେଇଥିଲେ।

ତେବେ ଜାକେଶର ଚାଲିଚଳଣ ଉପରେ ପିସିଆର ଭ୍ୟାନ୍‌ କର୍ମଚାରୀଙ୍କ ସନ୍ଦେହ ଉପୁଜିଥିଲା। ଏନେଇ ସେମାନେ କଣ୍ଟ୍ରୋଲ ରୁମ୍‌କୁ ଖବର ଦେବା ପରେ ଅନ୍ୟ ପୁଲିସ୍‌ ଅଧିକାରୀମାନେ ସେଠାକୁ ଯାଇ ଯୁବକଙ୍କ ପରିଚୟ ପଚାରିଥିଲେ। ଜାକେଶ କୌଣସି ପ୍ରକାର ପୁଲିସ୍‌ ଆଇ-କାର୍ଡ ଦେଖାଇ ପାରିନଥିଲେ। ପୁଲିସର ସନ୍ଦେହ ଉପୁଜିବାରୁ ତାକୁ ସହିଦନଗର ଥାନାକୁ ଅଣାଯାଇଥିଲା। ଜେରା ବେଳେ ଜାକେଶର କଳା କରାନାମା ସମ୍ପର୍କରେ ପୁଲିସ୍‌ ଜାଣିବାକୁ ପାଇଲା। ପୁଲିସ ଯୁବକଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.