ପିଲାଙ୍କ ଲାଗି ନାଜାଲ୍ ସ୍ପ୍ରେ : କରୋନାରୁ କରିବ ରକ୍ଷା, ସେପ୍ଟେମ୍ବର ୧୫ ସୁଦ୍ଧା ବଜାରକୁ ଆସିବ

Published By : Prameya-News7 Bureau | June 14, 2021 IST

ମସ୍କୋ, ୧୪/୦୬: ୮ରୁ୧୨ ବର୍ଷ ବୟସର ପିଲାମାନଙ୍କୁ କରୋନାରୁ ରକ୍ଷା କରିବା ସକାଶେ ରୁଷ ଏକ ସ୍ୱତନ୍ତ୍ର ନାଜାଲ ସ୍ପ୍ରେ ପ୍ରସ୍ତୁତ କରିଛି । ଏହାର ପରୀକ୍ଷଣ ଶେଷ ହୋଇସାରିଛି । ପରୀକ୍ଷଣରୁ ଟିକା ନେବା ପରେ ପିଲାମାନଙ୍କ ଦେହରେ କୌଣସି ପ୍ରକାର ପାଶ୍ୱର୍ପ୍ରତିକ୍ରିୟା ଦେଖାଯାଉନଥିବାର କୁହାଯାଇଛି ।

ଆସନ୍ତା ସେପ୍ଟେମ୍ବର ୧୫ ସୁଦ୍ଧା ଏହା ବଜାରକୁ ଆସିବ ବୋଲି ସେଠାକାର ଜଣେ ବୈଜ୍ଞାନିକ ଆଲେକଜାଣ୍ଡାର ଗିଣ୍ଟସବର୍ଗ ସୂଚନା ଦେଇଛନ୍ତି । ସ୍ଫୁଟନିକ୍‌-ଭି ଟିକା ପ୍ରସ୍ତୁତ କରିବାରେ ବି ଗିଣ୍ଟସବର୍ଗଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଛି ।

ଭାରତ ମଧ୍ୟ ନାଜାଲ୍‌ ଭ୍ୟାକସିନ୍‌ ଟ୍ରାଏଲ ପାଇଁ ଭାରତ ବାୟୋଟେକକୁ ଅନୁମତି ଦେଇଛି। ନାଜାଲ୍‌‌ ଭ୍ୟାକ୍‌ସିନ୍‌ର ପ୍ରଥମ ଓ ଦ୍ବିତୀୟ ଚରଣ ଟ୍ରାଏଲ ପାଇଁ ଅନୁମତି ମିଳିଛି। ନାଜାଲ୍‌ ଭ୍ୟାକ୍‌ସିନ୍‌ ନାକରେ ଦିଆଯିବ। କିନ୍ତୁ ଏବେ ଭାରତରେ ବ୍ୟବହୃତ ହେଉଥିବା ଭ୍ୟାକ୍‌ସିନ୍‌ ଇଞ୍ଜେକ୍ସନ ଦ୍ବାରା ହାତରେ ଦିଆଯାଉଛି। ନାଜାଲ୍‌‌ ଭ୍ୟାକ୍‌ସିନର ଟ୍ରାଏଲ ନାଗପୁରରେ ହେବ ବୋଲି କୁହାଯାଉଛି। ଭାରତ ବାୟୋଟେକ୍‌ର  ଡାକ୍ତର କୃଷ୍ଣା ଇଲ୍ଲା କହିଛନ୍ତି, ତାଙ୍କ କମ୍ପାନୀ ଓ୍ବାଶିଂଟନ୍‌ ୟୁନିଭର୍ସିଟି ସହିତ ବୁଝାମଣା କରିଛି। ନାଜାଲ୍‌‌ ଭ୍ୟାକ୍‌ସିନ୍‌ ଆସିଯିବା ପରେ ଲୋକଙ୍କୁ କେବଳ ଗୋଟିଏ ଲେଖାଏଁ ଡୋଜ୍‌ ଦିଆଯିବ।

ତେବେ ଏହି ଭ୍ୟାକ୍‌ସିନ୍‌ ଅନ୍ୟ ଗୁଡ଼ିକଠାରୁ ଭଲ କାମ କରିବ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି। ଇଞ୍ଜେକ୍ସନରେ ନିଆଯାଉଥିବା ଭ୍ୟାକ୍‌ସନ ଠାରୁ ନାଜାଲ୍‌ ଭ୍ୟାକ୍‌ସିନ୍‌ ବହୁତ ଭଲ ବୋଲି ଜଣାପଡ଼ିଛି। ତେବେ ଏହି ଟିକାର ଟ୍ରାଏଲ ଭୁବନେଶ୍ବର-ପୁନେ-ନାଗପୁର-ହାଇଦ୍ରାବାଦରେ ହୋଇପାରେ । ଏଥିପାଇଁ ୧୮ରୁ ୬୫ ବର୍ଷ ବର୍ଷୀୟ ପାଖାପାଖି ୪୦-୪୫ ସ୍ବେଚ୍ଛାସେବୀଙ୍କୁ ଚୟନ କରାଯିବ।

ଓ୍ବାଶିଂଟନ ସ୍କୁଲ୍‌ ଅଫ ମେଡିସିନ୍‌ର ରିସର୍ଚ୍ଚ ମୁତାବିକ, ଯଦି ନାକରେ କରୋନା ଟିକା ଦିଆଯାଏ ତେବେ ଶରୀରରେ ରୋଗ ପ୍ରତିରୋଧକ  ଶକ୍ତି ବୃଦ୍ଧି ପାଇବ । ନାକ ଦ୍ବାରା ହେବାକୁ ଥିବା କୌଣସି ପ୍ରକାର ସଂକ୍ରମଣକୁ ଏହି ଟିକା ରୋକିବ। ନାଜାଲ୍‌ ଟିକାର ଟ୍ରାଏଲକୁ ଅନୁମତି ଦେବା ପୂର୍ବରୁ ବିଶେଷଜ୍ଞମାନେ କହିଥିଲେ ଏହି ଟିକା କରୋନା ଭାଇରସ୍‌ ସହ ଲଢ଼େଇରେ ଗେମ ଚେଞ୍ଜର ହୋଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.