ଥାନା ଭିତରେ ନାଗିନ ଡ୍ୟାନ୍ସ ପଡିଲା ମହଙ୍ଗା, ଏଏସଆଇ ସସପେଣ୍ଡ
6/04/2021 at 10:21 PM

ଯାଜପୁର ୦୬।୦୪: ଯାଜପୁର ପାଣିକୋଇଲି ଥାନାରେ ପୋଲିସ କର୍ମଚାରୀଙ୍କ ନାଗିନ୍ ଡ୍ୟାନ୍ସ ଘଟଣାରେ ଏସପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ପ୍ରାଥମିକ ତଦନ୍ତ ଆଧାରରେ ପାଣିକୋଇଲି ଥାନାର ଏଏସଆଇଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ଏଏସଆଇ ହେଉଛନ୍ତି ସଞ୍ଜୟ ଦାସ। ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ଚେତାବନୀ ଦେଇଛନ୍ତି ଯାଜପୁର ଏସପି ରାହୁଲ ପିଆର।
ସୂଚନାଯୋଗ୍ୟ, ଯାଜପୁର ଏସ୍ପି ଅଫିସ୍ ସମ୍ମୁଖରେ ଅବସ୍ଥିତ ପାଣିକୋଇଲି ଥାନା ପରିସରରେ ହୋଲିଦିନ ନାଗିନ ଡ୍ୟାନ୍ସରେ ପୋଲିସ କର୍ମଚାରୀମାନେ ନାଚ କରୁଥିବା ଦେଖିବାକୁ ମିଳିଥିଲା। ଆଇଆଇସିଙ୍କ ଠାରୁ ହୋମଗାର୍ଡ ପର୍ଯ୍ୟନ୍ତ ସମସ୍ତେ ମସଗୁଲ ହୋଇ ଗୀତରେ ନାଚିଥିଲେ । ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି।
ପୋଲିସ୍ ପୋଷାକରେ ଥାନା ଭିତରେ ନାଗିନ୍ ଡ୍ୟାନ୍ସରେ ବାବୁମାନେ ଯେଭଳି ନୃତ୍ୟ ପ୍ରଦର୍ଶନ କରିଛନ୍ତି, ତାହା ଏକ ଶୃଙ୍ଖଳିତ ବିଭାଗର ଭାବମୂର୍ତ୍ତିର ଅବକ୍ଷୟ ବୋଲି କୁହାଯାଉଛି । ଏ ସମ୍ପର୍କରେ ଜିଲ୍ଲା ପୋଲିସ୍ ମୁଖିଆ ଦୃଷ୍ଟି ଦେବେ ବୋଲି ଆଶା କରାଯାଉଥିଲା। ପୋଲିସ୍ ବାବୁଙ୍କ ଏଭଳି ଅକୁହା କଥାକୁ ଦେଖିବା ପରେ ଜନନା ନା କିଛି କହି ପାରୁଛନ୍ତି ନା ସହି ପାରୁଛନ୍ତି।