ଆସନ୍ତା ୨୭ରେ ନାଗାର୍ଜୁନ ବେଶ, ଶୃଙ୍ଖଳିତ ନୀତିକାନ୍ତି ଓ ଠିକ୍ ସମୟରେ ବେଶ ସମ୍ପନ୍ନ ନେଇ ଆଜି ବସୁଛି ବୈଠକ
23/11/2020 at 10:31 AM

ପୁରୀ ୨୩।୧୧: ଆସନ୍ତା ନଭେମ୍ବର ୨୭ ତାରିଖ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। ଶୃଙ୍ଖଳିତ ଭାବରେ ନୀତିକାନ୍ତି କରାଯିବା ସହ ସଠିକ ସମୟରେ ବେଶ ସମ୍ପନ୍ନ କରାଯିବ। ହରଚଣ୍ଡୀ ସାହି ଚକ୍ରକୋଟ ଯାଗାରୁ ପାଟ ପଟୁଆର ଘଣ୍ଟଛତା କାହାଳୀ ସହ ଶୋଭାଯାତ୍ରାରେ ଶୃଙ୍ଖଳିତ ଭାବରେ ବେଶ ଅଣାଯିବ। ଦ୍ବାରଫିଟା ଠାରୁ ବେଶ ଆରମ୍ଭ ସହ ବେଶ ଓଲାଗି ପର୍ଯ୍ୟନ୍ତ ନୀତିକାନ୍ତି ଯେଭଳି ଶୃଙ୍ଖଳିତ ହେବ ସେ ନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଜିଲ୍ଲାପାଳ, ଏସପି, ପରିଚାଳନା କମିଟି ସଦସ୍ୟ, ବେଶ ସହ ସମ୍ପୂକ୍ତ ଥିବା ବରିଷ୍ଠ ସେବାୟତ ମାନେ ଉପସ୍ଥିତ ରହିବେ।

ଶୋଭାଯାତ୍ରାରେ ବେଶ ଆସୁଥିବା ସମୟରେ ସୁରକ୍ଷା ବ୍ୟବସ୍ଥା ସହ ନୀତିକାନ୍ତି ଉପରେ ଆଲୋଚନା କରାଯିବ। ଦ୍ୱାରଫିଟା ନୀତି ପରେ ବେଶ ଶ୍ରୀମନ୍ଦିରକୁ ବିଜେ କରିବା ପରେ ବେଶ ଗରୁଡ ସ୍ତମ୍ବ ପାଖରେ ବେଶ ରହିବ। ଅବକାଶ ନୀତି ପରେ ଆରମ୍ଭ ହେବ ନାଗାର୍ଜୁନ ବେଶ ଶୃଙ୍ଗାର।

ପ୍ରଥମ ଭୋଗମଣ୍ଡପ ପରେ ନାଗାର୍ଜୁନ ବେଶ ଓଲାଗି ହେବ। ସେପଟେ ବେଶ ଓଲାଗିପରେ ସେହି ବେଶକୁ କେଉଁ ସେବାୟତଙ୍କର ପ୍ରାପ୍ୟ ରହିଛି ତାକୁ ନେଇ କିଛି ନିଷ୍ପତ୍ତି ହୋଇପାରିନାହିଁ। ବେଶ ମଇଲମ ପରେ ପରମ୍ପରା ଅନୁସାରେ ଯିଏ ସେହି ବେଶ ନେବା ଲିପିବଦ୍ଧ ଥିବ ତାଙ୍କୁ ଦିଆଯିବ ବୋଲି ନୀତି ପ୍ରଶାସକ କହିଛନ୍ତି। ସେପଟେ ପତିତପାବନଙ୍କ ନାଗାର୍ଜୁନ ବେଶ କରାଯିବା ଉପରେ ପୂଜାପଣ୍ଡା ନିଯୋଗ ତରଫରୁ କୁହାଯାଉଥିବା ବେଳେ ଏହା ପରମ୍ପରା ଅଛି ନା ନାହିଁ ତାହା ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯିବ।