ଧୂନି ଗାଦିକୁ ନାଗାସାଧୁଙ୍କ ପ୍ରବେଶକୁ ରୋକିଲା ପୋଲିସ, ପରମ୍ପରା ଭଙ୍ଗ ନେଇ କ୍ଷୁବ୍ଧ ସାଧୁ
7/09/2020 at 11:56 AM

ପୁରୀ ୦୭।୦୯ : ଶ୍ରୀମନ୍ଦିର ସିଂହଦ୍ୱାରରେ ରହିଥିବା ଧୂନି ଗାଦିରେ ନାଗାସାଧୁଙ୍କ ପ୍ରବେଶ ନେଇ ଅପ୍ରୀତିକର ପରିସ୍ଥିତି ବଢ଼ିବାରେ ଲାଗିଛି । ରବିବାର ୪ ନାଗାସାଧୁ ଏହି ଧୂନି ଗାଦି ନିକଟକୁ ଆସିବା ବେଳେ ପୁଲିସ ନଛାଡିବାରୁ ଅସନ୍ତୋଷ ବଡ ରୂପ ନେବାକୁ ବସିଛି । ଶହ ଶହ ବର୍ଷ ଧରି ନାଗାନ୍ତକ ବିଦ୍ୟା ହାସଲ କରିଥିଲା ନାଗାସାଧୁମାନେ ଶ୍ରୀକ୍ଷେତ୍ରକୁ ଆସିବା ପରେ ଏହି ଧୂନି କୁଣ୍ଡରେ ଆହୁତି ଦେଇ ଠାକୁରଙ୍କୁ ଡାକିଥାନ୍ତି । ହେଲେ ଲୋକନାଥ ରୋଡ ନିରଞ୍ଜନ ଗାଦିର ନାଗାସାଧୁଙ୍କୁ ଏଠାରେ ପ୍ରବେଶ କରିବାକୁ ସିଂହଦ୍ୱାର ଥାନା ପୋଲିସ କର୍ମଚାରୀମାନେ ଅଟକାଇବାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା ।
ଲଙ୍ଗୁଳି ମଠର ମହନ୍ତ ଯାହାକୁ ଅଧିକାର ଦେବେ କେବଳ ସେହି ନାଗାସାଧୁ ଧୁନିଗାଦିକୁ ପ୍ରବେଶ କରିପାରିବେ ବୋଲି ପୁଲିସ ଯୁକ୍ତି ବାଢ଼ିଥିଲା । ତେବେ ନାଗାସାଧୁମାନେ ମଠର ମୂଳ ସାଧୁ ଓ ସେ କୋର୍ଟରୁ ଏଠାରେ ପୂଜାର ଅଧିକାର ପାଇଥିବା କହିଥିଲେ । ହେଲେ ପୁଲିସ ଏହାକୁ ପ୍ରତ୍ୟାଖାନ କରିଥିଲା । ଯାହା ସେମାନଙ୍କୁ ଅସନ୍ତୋଷ ଦେଇଥିଲା । ତେଣେ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଧୁନି ଗାଦି ପିଣ୍ଡି ଉପରେ ଜୋତା ପିନ୍ଧି ଯାତାୟାତ କରୁଥିବାରୁ ଏହା ସାଧୁମାନଙ୍କୁ କ୍ଷୁବ୍ଧ କରିଥିବା ଅଭିଯୋଗ ହୋଇଛି ।
ଏହି ଧୂନି ଗାଦି ବା ଧୂନା ଗାଦିକୁ ନେଇ ଲଙ୍ଗୁଳି ମଠ ଓ ନାଗାସାଧୁଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ପୂର୍ବରୁ ଶ୍ରୀମନ୍ଦିର ଚୌହଦି ଉନ୍ନତିକରଣ ନିମନ୍ତେ ଉଚ୍ଛେଦ ସମୟରେ ଏହି ଧୂନି ଗାଦି ସ୍ଥାନାନ୍ତରକୁ ନେଇ ମଧ୍ୟ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା ।
ସୂଚନା ଥାଉକି, ଖ୍ରୀଷ୍ଟୀୟ ଚତୁର୍ଦ୍ଦଶ ଶତାବ୍ଦୀରେ ସିଂହଦ୍ୱାର ସମୁଖରେ ଦଶନାମୀ ସମ୍ପ୍ରଦାୟର ଅନ୍ୟତମ ପ୍ରସିଦ୍ଧ ମଠ ଲଙ୍ଗୁଳି ମଠ ପ୍ରତିଷ୍ଠା ହୋଇଥିଲା । ଦକ୍ଷିଣର ଶୃଙ୍ଗେରୀ ପୀଠରେ ଭାରତୀ ଓ ପୁରୀ ଉପାଧି ବହନ କରୁଥିବା ସନ୍ୟାସୀଙ୍କ ମଧ୍ୟରୁ ଏହି ମଠରେ କେବଳ ପୁରୀ ଉପାଧି ଗ୍ରହଣ କରୁଥିବା ମହନ୍ତ ଓ ମଠାଧୀଶମାନେ ଗାଦିସୀନ ହୋଇଥାନ୍ତି । ଜନୈକ ନାଗାସାଧୁ ଲକ୍ଷ୍ମୀଭଦ୍ର ଏହି ମଠ ପ୍ରତିଷ୍ଠା କରିଥିଲେ ।
ସେ ନାଗାନ୍ତକ ବିଦ୍ୟାର ଅଧିକାରୀ ଥିଲେ । ଯାହା ତତ୍କାଳିନ ଗଜପତିଙ୍କୁ ମଧ୍ୟ ପ୍ରଭାବିତ କରିଥିଲା । ତତ୍କାଳୀନ ଗଜପତି ଏହି ସାଧୁଙ୍କୁ ସିଂହଦ୍ୱାର ନିକଟରେ ଆଶ୍ରୟ ନିମନ୍ତେ ସ୍ଥାନଟିକୁ ଦେଇଥିଲେ । ଏହି ସାଧୁ ଶ୍ରୀମନ୍ଦିର ସିଂହଦ୍ୱାର ସଂଲଗ୍ନ ପୁର୍ବ-ଉତ୍ତର କୋଣରେ ଧୂନି ଜାଳି ସାଧନାରେ ରତ ଥିଲେ ।
ସମୟ କ୍ରମେ ଗଢ଼ି ଉଠିଥିବା ମଠର ନାମ ଲକ୍ଷ୍ମୀଭଦ୍ର ମଠ ବା ଲଙ୍ଗୁଳି ମଠ ନାମରେ ଖ୍ୟାତି ଅର୍ଜନ କରିଥିଲା । ହେଲେ ମଠ ମହନ୍ତ ପରମ୍ପରାରେ ବଂଶାନୁକ୍ରମିକ କର୍ତୃତ୍ୱ ବଢ଼ିବା ସହ ସଂସାର ବୈରାଗୀ ନାଗାସାଧୁମାନଙ୍କୁ ଦୂରେଇ ଦିଆଗଲା । ଏବେ ଏହି ବିବାଦକୁ ନେଇ ସିଂହଦ୍ୱାର ଥାନାରେ ମାମଲା ହୋଇଥିବା ବେଳେ କୋର୍ଟ କଚେରିକୁ ମାମଲା ଯାଇଛି । ତେବେ ଏନେଇ ସିଂହଦ୍ୱାର ଆଇଆଇସି ଗେଲି କୁମାରୀ ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ଲଙ୍ଗୁଳି ମଠରୁ ଦାୟିତ୍ୱ ପାଇଥିବା ସାଧୁଙ୍କୁ ଧୂନିଗାଦି ନିକଟକୁ ଛାଡିବାକୁ ସେ ନିର୍ଦ୍ଦେଶ ପାଇଛନ୍ତି । ତେଣୁ କେବଳ ସେମାନଙ୍କୁ ଛଡା ଯାଉଛି । କେବେବି ସେଭଳି ସାଧୁଙ୍କୁ ଅଟକାଇବାକୁ ପଦକ୍ଷେପ ନିଆଯାଇନି ।