ସହଯୋଗ କଲେନି ସାହିପଡିଶା, ପୁଅର ଶବକୁ ନଦୀରେ ଫିଙ୍ଗିଦେଲେ ବାପା

Published By : Prameya-News7 Bureau | July 15, 2020 IST

ଉଲୁଣ୍ଡା ୧୫।୦୭ : କରୋନା ମହାମାରୀ ସ୍ଥିତି । ସଂକ୍ରମଣ ଆତଙ୍କରେ ସମସ୍ତେ ଆତଙ୍କିତ । ଆଉ ଏତିକିବେଳେ ସାପକାମୁଡ଼ାରେ ଭେଣ୍ଡିଆ ପୁଅର ଅକାଳ ମୃତ୍ୟୁ ଘଟିଲା । ହେଲେ ଶବକୁ ଚାରିକାନ୍ଧ ବି ମିଳିଲାନି । ପୁଲିସ ଏବଂ ଆଇନ ବ୍ୟବସ୍ଥା ବିଷୟରେ ଅଜ୍ଞ ଅସହାୟ ବୃଦ୍ଧ ମନରେ ଭରି ଦିଆଗଲା ପୁଲିସର ଭୟ । ଅସହାୟ ବୁଢ଼ା ବାପ ନିଜ ହାତରେ ଗାତ ଖୋଳିବାକୁ ବି ବଳନାହିଁ । ଅନନ୍ୟୋପାୟ ହୋଇ ନଦୀ ଗର୍ଭରେ ଫିଙ୍ଗିଦେଲା ପୁଅର ଶବ । ଏଭଳି ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ ସିଣ୍ଢୋଲ ଗାଁରେ । ଘଟଣା ଲୋକଲୋଚନକୁ ଆସିବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ସିଣ୍ଡୋଲ ଗାଁର ବଳଦେବ ରଣା, ଦୁଇ ପୁଅ ଓ ସ୍ତ୍ରୀକୁ ନେଇ ତାଙ୍କ ସଂସାର । ଗତକାଲି ବଳଦେବ ଓ ତାଙ୍କ ସାନ ପୁଅ ମହେନ୍ଦ୍ର ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିଲେ । ଘରେ ଥିଲେ ସ୍ତ୍ରୀ ଓ ବଡ଼ପୁଅ ରାମଚନ୍ଦ୍ର । ସଂଧ୍ୟା ସମୟରେ ରାମଚନ୍ଦ୍ର(୨୪) ତାଙ୍କ ବାରିପଟେ ଶୋଇଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା । ମା’ ଏକଥା ଜାଣିଥିଲେ ମଧ୍ୟ ଘରେ ଏକୁଟିଆ ଥିବାରୁ କିଛି କରିପାରି ନଥିଲେ । ସ୍ୱାମୀ ଏବଂ ସାନ ପୁଅ ଜଙ୍ଗଲରୁ ଘରକୁ ଫେରି ଦେଖିଲା ବେଳକୁ ରାମଚନ୍ଦ୍ରଙ୍କ ମୃତ୍ୟୁ ହୋଇସାରିଥିଲା । ପୁଅର ଶବ ସତ୍କାର ପାଇଁ ଗ୍ରାମବାସୀ ତଥା ସାଇ ପରିଜନଙ୍କୁ ଡାକିଥିଲେ । ହେଲେ ସାହି ଭାଇଙ୍କ ସହ ଭଲ ସମ୍ପର୍କ ନଥିବାରୁ କେହି ଜଣେବି ଆସିନଥିଲେ ।

ଏପରିକି ଏ କରୋନା ଲକ୍‌ଡାଉନ୍‌ ସମୟରେ ପରିବାରକୁ ପୁଲିସ ବାନ୍ଧିନେବ ବୋଲି ମଧ୍ୟ କେହି କେହି ତାଙ୍କୁ ଡରାଇଥିଲେ । ଭୟର ବଶବର୍ତ୍ତୀ ହୋଇ ଆଉ ଅନ୍ୟ ଉପାୟ ନପାଇ ବଳଦେବ ମୃତ ପୁଅକୁ ନେଇ ନିକଟ ନଦୀରେ ଫିଙ୍ଗି ଦେଇଥିଲେ । ଆଜି ସକାଳୁ ଏହି ଘଟଣା ଜଣାପଡ଼ିବା ପରେ ଉଲୁଣ୍ଡା ପୁଲିସ ଗାଁରେ ପହଞ୍ଚି ତାଙ୍କ ପରିବାରକୁ ଭେଟି ସବୁକଥା ପଚାରି ବୁଝିଥିଲେ । ପରେ କିଛି ନାବିକଙ୍କୁ ନେଇ ଡଙ୍ଗାରେ ପ୍ରାୟ ୩ ଘଣ୍ଟା ଧରି ଖୋଜାଖୋଜି କଲା ପରେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ । ପାଣିର ବେଗ ଦ୍ରୁତ ଗତିରେ ଥିବାରୁ ଶବକୁ ଠାବ କରିବା ସମ୍ଭବ ହୋଇନଥିଲା ବୋଲି ପୁଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.