ଭାର୍ଗବୀ ନଦୀରେ ଅପରିଚିତ ମୃତଦେହ, ଭାସି ଭାସି ସମୁଦ୍ରକୁ ଚାଲିଯିବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା...

Published By : Prameya-News7 Bureau | August 28, 2020 IST

ପୁରୀ ୨୮।୦୮: ଖୋର୍ଦ୍ଧାରୁ ପୁରୀ ଆସି ଏବେ ସମୁଦ୍ର ମୁହାଁ । ଦିନ ସାରା ଏ ଥାନାରୁ ସେ ଥାନା ସୀମା ଅତିକ୍ରମ କଲା। ଦଳ ଦଳ ହୋଇ ଦେଖିଲେ । ହେଲେ କେହି ଉଦ୍ଧାର କଲେ ନାହିଁ । ଭାର୍ଗବୀ ନଦୀର ପ୍ରଖର ସ୍ରୋତରେ ଭାସି ଭାସି ଆସୁଥିବା ଏକ ଅଜଣା ଶବକୁ ଅଣଦେଖା କରାଯାଇଥିବା ଘଟଣା ଏବେ ଖୋର୍ଦ୍ଧାରୁ ପୁରୀ ପର୍ଯ୍ୟନ୍ତ ଆଲୋଚନାର ବିଷୟ ପାଲଟିଛି। କାରଣ ଶବ ଖୋର୍ଦ୍ଧା ଜିଲ୍ଲା ବାଳକାଟୀ, ବାଲିପାଟଣା, ବଳଙ୍ଗା, ସତ୍ୟବାଦୀ, ଚନ୍ଦନପୁର, ସଦର ଓ ପେଣ୍ଠକଟା ମେରାଇନ୍‌ ଥାନା ସୀମା ଦେଇ ସମୁଦ୍ର ମୁହାଁ ହୋଇଛି । ଶବଟି ଜଣେ ପୁରୁଷ ଲୋକଙ୍କ ହୋଇଥିବା ବେଳେ ତାଙ୍କର ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ଅପରାହ୍ନ ପ୍ରାୟ ୧ଟା । ଶବଟି ବାଳକାଟୀ ଥାନା ସୀମା ଭାର୍ଗବୀ ନଦୀରେ ଭାସୁଥିବା ଲୋକେ ଦେଖିଥିଲେ । ପରେ ଏହା ବାଲିପାଟଣା ଥାନା ସୀମା ଅତିକ୍ରମ କରିବା ବେଳେ ଝିଇଣ୍ଟି ଶାସନ ଅଞ୍ଚଳବାସୀ ଦେଖିଥିିଲେ । ପରେ ଅପରାହ୍ନ ୩ଟାରେ ବଳଙ୍ଗା ଥାନା ସୀମା ଅତିକ୍ରମ କରି ସତ୍ୟବାଦୀ ଥାନା ଅଧୀନ ସୁଆଣ୍ଡୋ ବ୍ରିଜ୍‌ ଠାରେ ପହଞ୍ଚିଥିଲା । ପରେ ଶବ ଚନ୍ଦନପୁର ଥାନା ଅଧୀନ ଢୋଲବିରଞ୍ଚିଦାସପୁର ଅଞ୍ଚଳ ଅତିକ୍ରମ କରିବା ପରେ ଅପରାହ୍ନ ସାଢେ ୪ଟାରେ ଶବଟି ଗଡ଼ମୃଗଶିରା ବ୍ରିଜ୍‌ ଅତିକ୍ରମ କରିଥିଲା । ଏହା ପରେ ଶବ ସଦର ଥାନା ସୀମା ଅତିକ୍ରମ କରି ପେଣ୍ଠକଟା ମେରାଇନ୍‌ ଥାନା ଇଲାକାରେ ପହଞ୍ଚିଥିଲା । ଏହା ପରେ ଅନ୍ଧାର ହୋଇଯିବାରୁ ଶବ ସମୁଦ୍ରକୁ ଗଲା ନା ନଦୀ କୂଳରେ ଅଟକି ଯାଇଛି ତାହା ନେଇ ସ୍ପଷ୍ଟ ଜଣାପଡିନାହିଁ । ଏ ସମ୍ପର୍କରେ ଜାଣି ନଥିବା କହିଛନ୍ତି ପେଣ୍ଠକଟା ମେରାଇନ୍‌ ଥାନା ଆଇଆଇସି ବାମଦେବ ନନ୍ଦ । କୌଣସି ଥାନାରୁ ତାଙ୍କ ନିକଟକୁ ଖବର ଆସିନଥିବା ମଧ୍ୟ ସେ କହିଛନ୍ତି ।

ମୃତଦେହରେ କେବଳ ଅନ୍ତଃବସ୍ତ୍ର ଥିଲା । ତାଙ୍କୁ କେହି ହତ୍ୟା କରି ବଢ଼ି ପାଣିରେ ଭସାଇ ଦେଇଥିବା ଅନୁମାନ କରାଯାଉଛି । ଶବ ଭାସି ଭାସି ନଦୀରେ ଯାଉଥିବା ବେଳେ ପ୍ରତିଟି ସ୍ଥାନରେ ଦଳ ଦଳ ହୋଇ ଲୋକେ ଦେଖୁଥିଲେ । ଏ ନେଇ ଅନେକ ସ୍ଥାନରେ ଲୋକେ ନିକଟସ୍ଥ ଥାନାକୁ ଖବର ମଧ୍ୟ ଦେଇଥିଲେ । ହେଲେ କେହି ଶବକୁ ଉଦ୍ଧାର କରିବାକୁ ଆସିନଥିବା ଜଣାପଡ଼ିଛି । କିଛି ସ୍ଥାନରେ ଲୋକେ ପାଣି ଭିତରେ ଶବକୁ ଅଟକାଇବାକୁ ଉଦ୍ୟମ କରି ବିଫଳ ମଧ୍ୟ ହୋଇଛନ୍ତି । କାରଣ ପ୍ରଖର ସ୍ରୋତ ଯୋଗୁଁ ଶବ ଦ୍ରୁତ ଗତିରେ ଚାଲିଯାଉଥିବାରୁ ତାକୁ ଅଟକାଇବା ସମ୍ଭବ ହୋଇନାହିଁ ।

ଯଦି ପୁଲିସ ଅଗ୍ନିଶମ ବାହିନୀ ସହାୟତାରେ ଶବକୁ ଉଦ୍ଧାର କରିଥାଆନ୍ତା ତେବେ ତାଙ୍କର ପରିଚୟ ମିଳିବା ସହଜ ହୋଇଥାଆନ୍ତା । ଶବ ଉଦ୍ଧାର କରାଯାଇନଥିବାରୁ ତାହା ଫୁଲିବାରେ ଲାଗିଛି । ଅନ୍ୟପଟେ ଜଳଜନ୍ତୁ ଏହାକୁ ଖାଇ ଦେଉଥିବାରୁ ଶବଟିର ପରିଚୟ ମିଳିବା କଷ୍ଟକର ହୋଇପଡ଼ିବ ବୋଲି ଆଶଙ୍କା କରାଯାଉଛି । ତେଣୁ ମୃତ୍ୟୁ ପଛର ରହସ୍ୟ ଖୋଜି ପାଇବା ଏବେ କଷ୍ଟକର ହୋଇପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ଯଦି ସମୁଦ୍ରରେ ଶବଟି ପଶି ଯାଇଥିବ ତେବେ ସମୁଦ୍ର କୂଳିଆ ଥାନାମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେବ । ନଦୀରେ ଶବ ଭାସୁଥିବା ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବାରୁ ଏବେ ସମୁଦ୍ର କୂଳିଆ ଥାନା ପୁଲିସମାନେ ବେଳାଭୂମି ଉପରେ ନଜର ରଖିଥିବା ଖବର ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.