ନବରଙ୍ଗପୁର ସେତୁ ଭୁଶୁଡିବା ଘଟଣା, ପୁରୀରୁ ଠିକାଦାରଙ୍କୁ ଉଠାଇନେଲା ପୋଲିସ !
12/01/2021 at 1:12 PM

ଭୁବନେଶ୍ୱର,୧୨/୦୧: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତାଲାପଦର ଗାଁସ୍ଥିତ ନାଗୀ ନାତେର ନିର୍ମାଣଧୀନ ବିଜୁ ସେତୁ ଭୁଶୁଡ଼ିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । କ୍ୱାଲିଟି କଣ୍ଟ୍ରୋଲର ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଭୁଶୁଡିଥିବା ଛାତର ସିମେଣ୍ଟ, ବାଲି ଗୋଡ଼ିର ନମୁନା ସଂଗ୍ରହ କରି ସାରିଛନ୍ତି । ଅନ୍ୟଦିଗରେ ଠିକାଦାର ଆଶିଷ କୁମାର ବିଶ୍ୱାଳ ଓ ଦୁଇ ଯନ୍ତ୍ରୀ ଆସିତ ପାତ୍ର ଏବଂ ନିରଞ୍ଜନ ସାହୁଙ୍କ ବିରୋଧରେ ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲ ଉମରକୋଟ ଥାନାରେ ଅଭିଯୋଗ କରିଛନ୍ତି ।
ଠିକାଦାର ଆଶିଷ କୁମାର ବିଶ୍ୱାଳ ପୁରୀର ବାସିନ୍ଦା ଅଟନ୍ତି । ତାଙ୍କ ନାମରେ ଏତଲା ପରେ ସୋମବାର ଦିନ ସନ୍ଧ୍ୟାରେ ନବରଙ୍ଗପୁର ପୋଲିସ ପୁରୀରେ ପହଞ୍ଚି ତାଙ୍କୁ ଘରୁ ଉଠାଇ ନେଇଥିବା ଜଣାପଡ଼ିଛି । କିନ୍ତୁ ପୋଲିସ ଏ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ । ପୁରୀ ଏସ୍ପି କେ. ବିଶାଲ ସିଂଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ, ତାଙ୍କୁ ନବରଙ୍ଗପୁର ଏସ୍ପି ଫୋନ୍ କରିଥିଲେ । ସେଠାକାର ପୋଲିସ ଟିମ୍ ପୁରୀରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ପ୍ରାଥମିକ ତଦନ୍ତ ଅନୁସାରେ, ବିଜୁ ସେତୁର ଦ୍ୱିତୀୟ ଛାତକୁ ପ୍ରଥମ ଦିନରେ ଏକ ଫୁଟ ପର୍ଯ୍ୟନ୍ତ ଢଳେଇ କରାଯାଇଥିଲା। ଦ୍ୱିତୀୟ ଦିନରେ ଆଉ ୨ ଫୁଟ ଢଳେଇ ପଡ଼ିଥିଲା । ସେଣ୍ଟ୍ରିଂ ପାଇଁ ବ୍ୟବହୃତ ଲୁହାପାଇପ୍ ନିମ୍ନମାନର ଥିବାରୁ ସ୍ଲାବ୍କୁ ଏହା ସମ୍ଭାଳି ପାରି ନଥିଲା । ନମୁନା ସଂଗ୍ରହ ପରେ ଅଧିକ ତଦନ୍ତ ଆରମ୍ଭ କରାଯାଇଛି । ଏତଲାକୁ ଭିତ୍ତିକରି ଉମରକୋଟ ଥାନାରେ ୩ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ଉମରକୋଟ ଏସ୍ଡିପିଓ ହେମନ୍ତ ପାଢ଼ୀ ସୂଚନା ଦେଇଛନ୍ତି ।