ଆସନ୍ତୁ ନଜର ପକାଇବା ନବରଙ୍ଗପୁର ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ କେଉଁ ଦଳର ପ୍ରାର୍ଥୀଙ୍କ କ'ଣ ରହିଛି ସ୍ଥିତି

Published By : Prameya-News7 Bureau | April 09, 2019 IST

ନବରଙ୍ଗପୁର ୯/୪ : ନବରଙ୍ଗପୁର ଲୋକସଭା ଆସନରେ ଏବେ ୩ ଦଳର ୩ ମାଝୀଙ୍କ ମଧ୍ୟରେ ଚାଲିଛି ଜୋରଦାର ଟକ୍କର | କଂଗ୍ରେସର ପ୍ରଦୀପ ମାଝୀ, ବିଜେପିର ବଳଭଦ୍ର ମାଝୀ ଓ ବିଜେଡିର ରମେଶ ମାଝୀଙ୍କ ମଧ୍ୟରେ ମୁକାବିଲା ହେଉଛି | ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ବିଦେଶିନୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ହୋଇଥିଲେ ମଧ୍ୟ ଏହା ଭୋଟରଙ୍କ ଉପରେ ବିଶେଷ ପ୍ରଭାବ ପକାଇ ପାରିନାହିଁ | ଗତଥରର ବିଜେଡି ସାଂସଦ ବଳଭଦ୍ର ମାଝୀ ଏଥର ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି | ତାଙ୍କର ପୂର୍ବ ସଂଗଠନ ଓ ବର୍ତମାନ ବିଜେପିର ସଂଗଠନ ସହାୟତାରେ ସେ ମଧ୍ୟ ମଜବୁତ ସ୍ଥିତିରେ ଅଛନ୍ତି |

ଅପରପକ୍ଷରେ ମନ୍ତ୍ରୀ ରମେଶ ମାଝୀ ବିଜେଡିର ପ୍ରାର୍ଥୀ ହୋଇଛନ୍ତି | କିନ୍ତୁ ରମେଶ କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କୁ ଟକ୍କର ଦେଲେବେଳେ ପଛରେ ପଡିଯାଉଥିବା ଆଲୋଚନା ହେଉଛି |ନବରଙ୍ଗପୁର, ଉମରକୋଟ, ଝରୀଗାଁ ଓ ଡାବୁଗାଁରେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଥିବାବେଳେ ବଳଭଦ୍ର ମାଝୀ ତାଙ୍କ ନିର୍ବଚନୀ କାର୍ଯ୍ୟକ୍ରମ ସଠିକ ଦେଖାରେଖା କରିପାରୁନଥିବାରୁ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି | ତେବେ ନବରଙ୍ଗପୁର ଲୋକସଭା ଆସନ ଅନ୍ତର୍ଗତ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ଦଳୀୟ ପ୍ରାର୍ଥୀଙ୍କ ସଫଳତା ଓ ବିଫଳତାର ପ୍ରଭାବ ଲୋକସଭା ପ୍ରାର୍ଥୀଙ୍କୁ ଭୋଗିବାକୁ ପଡିବ |


ଆସନ୍ତୁ ନଜର ପକାଇବା ନବରଙ୍ଗପୁର ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ କେଉଁ ଦଳର ପ୍ରାର୍ଥୀଙ୍କ କଣ ରହିଛି ସ୍ଥିତି :


ଉମରକୋଟ : ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ସୁବାସ ଗଣ୍ଡଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ନିତ୍ୟାନନ୍ଦ ଗଣ୍ଡ ଓ କଂଗ୍ରେସ ଯଶୋଦାରାଣୀ ଗୌଡ଼ଙ୍କୁ ପ୍ରାର୍ଥୀ କରିଛି | ଏହି ନିର୍ବାଚନ ମଣ୍ଡଳୀରେ ବଙ୍ଗାଳି ଭୋଟରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ | ବିଜେଡି ଓ ବିଜେପି ଭିତରେ ଏଠାରେ ସିଧାସଳଖ ଲଢେଇ ହେଉଥିବାବେଳେ ସୁବାସ ଗଣ୍ଡଙ୍କ ସ୍ଥିତି ସାମାନ୍ୟ ମଜବୁତ ରହିଛି |


ଝରୀଗାଁ : ଝରୀଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲୋକସଭା ପ୍ରାର୍ଥୀ ରମେଶ ମାଝୀଙ୍କ ସାନ ଭାଇ ପ୍ରକାଶ ମାଝୀଙ୍କୁ ବିଜେଡି ପ୍ରାର୍ଥୀ କରିଛି | ଏଠାରେ ବିଜେପି ପର୍ଶୁ ମାଝୀଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଉଳଧାରା ମାଝୀଙ୍କୁ ପ୍ରାର୍ଥୀ କରିଛି | କଂଗ୍ରେସ ଓ ବିଜେପି ପ୍ରାଥୀଙ୍କ ସ୍ଥିତି ଭଲ ରହିଛି | ପ୍ରକାଶ ମାଝୀ ବିଭିନ୍ନ ଉଦ୍ୟମ କରି ନିଜ ସ୍ଥିତି ସୁଧରାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି | ବିଭିନ୍ନ ସ୍ଥାନରେ ପ୍ରକାଶ ମାଝୀଙ୍କୁ ଭୋଟରଙ୍କ ଆକ୍ରୋଶର ଶିକାର ହୋଇଥିବା ଦେଖିବାକୁ ମିଳିଛି |


ନବରଙ୍ଗପୁର : ନବରଙ୍ଗପୁର ବିଧାନସଭା ଆସନରେ ବିଜେଡି ବିଧାୟକ ମନୋହର ରନ୍ଧାରୀଙ୍କ ବଦଳରେ ସଦାଶିବ ପ୍ରଧାନୀଙ୍କୁ ପ୍ରାର୍ଥୀ କରିଛି | ବିଜେପି ପ୍ରାର୍ଥୀ କରିଛି ନବରଙ୍ଗପୁର ଜିଲ୍ଲା ହାବିଲ୍ଦାର କନେଷ୍ଟବଳ ସଂଘର ସଭାପତି ଗୌରୀ ଶଙ୍କର ମାଝୀ | କଂଗ୍ରେସ ପ୍ରାର୍ଥୀ କରିଛି ବରିଷ୍ଠ ନେତା ସଦନ ନାୟକଙ୍କୁ | ସଦାଶିବ ପ୍ରଧାନୀ ହେଉଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ଖଗପତି ପ୍ରଧାନୀଙ୍କ ପୁତୁରା ଏବଂ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୋପୀନାଥ ପ୍ରଧାନୀଙ୍କ ପୁଅ | ନାଲକୋ ଚାକିରୀ ଛାଡି ସେ ପ୍ରଥମଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି | ଦୀର୍ଘ ୩୦ ବର୍ଷ ହେଲା ନବରଙ୍ଗପୁର ସହିତ ତାଙ୍କର କୌଣସି ସମ୍ପର୍କ ନଥିଲା | ଏଠାରେ ସେ ଦଳୀୟ ଅନ୍ତଃ କନ୍ଦଳର ମଧ୍ୟ ସମ୍ମୁଖୀନ ହେଉଛନ୍ତି | କହିବାକୁ ଗଲେ ବିଜେପିର ସ୍ଥିତି ଏଠାରେ ବିଜେପିର ସ୍ଥିତି ମଜବୁତ ଥିବାବେଳେ ଶେଷ ମୁହୂର୍ତ୍ତରେ ବିଜେଡିର ଗୋଟି ଚାଳନା ପରିସ୍ଥିତିକୁ ଓଲଟପାଲଟ କରିଦେଇପାରେ |


ମାଲକାନଗିରି : ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ମୁକୁନ୍ଦ ସୋଡିଙ୍କୁ ପ୍ରାର୍ଥୀଙ୍କୁ କରିଥିବାବେଳେ ବିଜେପି ଆଦିତ୍ୟ ମାଢିଙ୍କୁ ପ୍ରାର୍ଥୀ କରିଛି | କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ମାଳା ମାଢି | ଏଠାରେ ଗତ ୩ ଦିନ ତଳ ପର୍ଯ୍ୟନ୍ତ ବିଜେପିର ସ୍ଥିତି ଭଲ ଥିଲା | ତେବେ ପ୍ରଚାର ପାଇଁ ପ୍ରତିଶୃତି ଦେଇ ତୁଙ୍ଗ ନେତାମାନେ ନିର୍ବାଚନୀ ସଭାରେ ନପହଞ୍ଚିବା ଯୋଗୁଁ ସ୍ଥିତି ବିଗିଡି ଯାଇଛି | ଅପରପକ୍ଷରେ ମୁକୁନ୍ଦ ସୋଡି ଏହାର ଫାଇଦା ନେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି |


ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡାରେ ଏଥର କାକ ଝିଆରୀ ମଧ୍ୟରେ ଫାଇଟ ଦେଖିବାକୁ ମିଳିଛି | ବିଜେଡି ଏଠାରେ ପୂର୍ଣଚନ୍ଦ୍ର ବକାଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ପ୍ରାର୍ଥୀ କରିଛି ପଦୁ ମାଝୀଙ୍କୁ | କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଲକ୍ଷ୍ମୀ ପ୍ରିୟ ନାୟକ | ପୂର୍ଣଚନ୍ଦ୍ର ବକା ଓ ଲକ୍ଷ୍ମୀପ୍ରିୟା ନାୟକ ସମ୍ପର୍କରେ ଦାଦା ଝିଆରୀ | ଏଠାରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ହେଉଛି |


ଡାବୁଗାଁ : ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ମନୋହର ରନ୍ଧାରୀ, ବିଜେପିରୁ ପଦ୍ମାନ ନାୟକ ଓ କଂଗ୍ରେସରୁ ଭୁଜବଳ ମାଝୀ ପ୍ରାର୍ଥୀ ହୋଇଛନ୍ତି | ତେବେ ଲଢେଇ ମନୋହର ରନ୍ଧାରୀ ଓ ଭୁଜବଳ ମାଝୀଙ୍କ ମଧ୍ୟରେ ଜୋରଦାର ହେଉଥିବା ଦେଖିବାକୁ ମିଳିଛି |


କୋଟପାଡ଼ : କୋଟପାଡ଼ରେ ମନୋହର ରନ୍ଧାରୀଙ୍କ ଭଉଣୀ ପଦ୍ମିନୀ ଦିଆନଙ୍କୁ ବିଜେଡି ପ୍ରାର୍ଥୀ କରିଛି | ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଖଗେଶ୍ୱର ପୂଜାରୀ ଓ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ବିଧାୟକ ଚନ୍ଦ୍ରଶେଖର ମାଝୀ | ମନୋହର ରନ୍ଧାରୀ ଓ ଚନ୍ଦ୍ରଶେଖର ମାଝୀଙ୍କ ମଧ୍ୟରେ କଡା ଟକ୍କର ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.