ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

Published By : Prameya-News7 Bureau | October 22, 2021 IST

ଭୁବନେଶ୍ୱର୨୨/୧୦: ହାତ ଛାଡିଲେ ପ୍ରଦୀପ ମାଝି । କଂଗ୍ରେସର ପ୍ରାଥମିକତା ପଦରୁ ଇସ୍ତଫା ଦେଇଛନ୍ତି ପ୍ରଦୀପ । କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇଛନ୍ତି ନିଜର ଇସ୍ତଫା ପତ୍ର । ଗତ କିଛି ଦିନ ତଳେ ସେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । ଏହାକୁ ନେଇ ଆରମ୍ଭ ହୋଇଯାଇଥିଲା ନାନା କଳ୍ପନାଜଳ୍ପନା ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଦୀପଙ୍କ ସାକ୍ଷାତକାର ବିଷୟକୁ ନେଇ ଆଲୋଚନା ହୋଇଥିଲା । ତେବେ ଆନୁଷ୍ଠାନିକ କାର୍ଯ୍ୟକାରୀ ହେବା ବାକି ଥିଲା ବୋଲି ଚର୍ଚ୍ଚା ବି ହେଉଥିଲା । ପ୍ରଦୀପଙ୍କ ଅନେକ ସମର୍ଥକ ଏହି ଖବର ସତ୍ୟ ବୋଲି କହି ବୁଲୁଥିଲେ । ଏଣୁ ଚର୍ଚ୍ଚା ମିଛ ହୋଇନପାରେ ବୋଲି ରାଜନୀତି ମହଲରୁ ଶୁଣିବାକୁ ମିଳୁଥିଲା ।

ଏଭଳି ସସ୍‌ପେନ୍ସ ଉପରୁ ପରଦା ହଟୁନଥିବାବେଳେ ତୃଣମୂଳସ୍ତରର କର୍ମୀମାନେ ପ୍ରଦୀପଙ୍କୁ ଫୋନ୍‌ କରି ନୟାନ୍ତ କରୁଥିଲ । ହେଲେ ପ୍ରସଙ୍ଗକୁ ପ୍ରଦୀପ ଦୃଢ଼ତାର ସହ ଖଣ୍ଡନ କରୁଥିଲେ । ଏବେ ସବୁ ସସପେନ୍ସରେ ପଡିଛି ପୂର୍ଣ୍ଣଛେଦ । ସେ ବିଦ୍ଧିବଧ ଭାବେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ତେବେ ସେ ବିଜେଡିରେ ମିଶିବେ କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।

wp:gallery {"ids":[531080],"linkTo":"none"} /wp:gallery

ସୂଚନା ପ୍ରଦୀପଙ୍କ ବାପା ଭଗବାନ ମାଝି ନିଜ ରାଜନୀତି ଜୀବନ ବିଜୁବାବୁଙ୍କଠାରୁ ଆରମ୍ଭ କରିଥିଲେ । ସୂଚନା ଥାଉକି, ବିଜୁବାବୁ ଭଗବାନଙ୍କୁ ଜନତା ଦଳରୁ ୧୯୯୪ରେ ରାଜ୍ୟସଭାକୁ ପଠାଇଥିଲେ । ପରବର୍ତ୍ତୀ ସମୟରେ ଭଗବାନ କଂଗ୍ରେସରେ ସାମିଲ ହୋଇଥିଲେ । କିନ୍ତୁ ପ୍ରଦୀପ କଂଗ୍ରେସରୁ ନିଜ ରାଜନୀତି ଆରମ୍ଭ କରିଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପରେ ସେ ସିଧାସଳଖ ୨୦୦୯ରେ ନବରଙ୍ଗପୁର ସାଂସଦ ନିର୍ବାଚିତ ହୋଇଥିଲେ ।

ପରେ ଦୁଇ ଥର ନିର୍ବାଚନରେ ପରାଜୟ ହୋଇଥିଲେ । ରାଜନୀତି ଜୀବନରେ ସଂଘର୍ଷ କରି କେବଳ ଅବିଭକ୍ତ କୋରାପୁଟ ନୁହେଁ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିଛନ୍ତି । ରାଜ୍ୟସ୍ତରର ଜଣେ ଦକ୍ଷନେତା ଭାବେ ନିଜ ସ୍ଥାନ ଏବେ ବି ବଜାୟ ରଖିଛନ୍ତି । ପ୍ରଦୀପ ବିଜେଡିରେ ସାମିଲ ହେବା ଥୟ ବୋଲି ଆଶଙ୍କା ପ୍ରକାଶ ପାଉଥିଲେ ହେଁ କେବେ ଏଥିରୁ ପରଦା ହଟିବ ତାହାକୁ ଜିଲ୍ଲା ତଥା ରାଜ୍ୟବାସୀ ଚାହିଁ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.