ଇଜ୍ଜତ ନେଲେ-ନିର୍ଘାତ ପିଟିଲେ : ନାବାଳିକାକୁ ଗଣଦୁଷ୍କର୍ମ ପରେ ରଡ୍‌ରେ ପିଟି ଲହୁଲୁହାଣ କଲେ ; ୨ ଗିରଫ, ଜଣେ ଫେରାର

Published By : Prameya-News7 Bureau | September 03, 2020 IST

ଲକ୍ଷ୍ନୌ ୦୩/୦୯: ପଶୁ ପାଲଟୁଛି କି ମଣିଷ ? କରୋନା ମହାମାରୀ ସମୟରେ ସାଧାରଣ ଜୀବନଯାତ୍ର ଅସ୍ତବ୍ୟସ୍ତ ହୋଇପଡ଼ିଛି । କିନ୍ତୁ ଏଭଳି ପରିସ୍ଥିତିରେ କ୍ରୁର ଅମଣିଷଙ୍କ ପାଶବିକ ଆଚରଣ  ଆହୁରି ଚିନ୍ତାଜନକ । ଉତ୍ତରପ୍ରଦେଶର ବରେଲିରେ ଘଟିଥିବା ଏକ ଘଟଣା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି ।

୧୫ ବର୍ଷୀୟା ନାବାଳିକାଙ୍କୁ ୩ ଜଣ ଯୁବକ ଗଣଦୁଷ୍କର୍ମ କରିବା ସହ ଲୁହା ରଡରେ ପିଟିଥିବା ଅଭିଯୋଗ ହୋଇଛି । ଯାହାଦ୍ୱାରା କି ପୀଡିତାଙ୍କୁ ଲହୁଲୁହାଣ କରିଥିବା ଜଣାପଡିଛି । ଏଭଳି ଏକ ଅମାନବୀୟ କାଣ୍ଡ ଉତ୍ତରପ୍ରଦେଶର ବରେଲିରେ ଘଟିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ଏସଏସପି ଶୈଲେଶ କୁମାର ପାଣ୍ଡେଙ୍କ କହିବା ଅନୁସାରେ ନାବାଳିକାଙ୍କୁ ଏକାନ୍ତ ସ୍ଥାନକୁ ନେଇ ବୁଧବାର ଦିନ ଗଣଦୁଷ୍କର୍ମ କରିଥିଲେ ୩ ଯୁବକ । ଏନେଇ ପୀଡ଼ିତାଙ୍କ ବାପା ଥାନାରେ ଏତଲା ମଧ୍ୟ ଦେଇଛନ୍ତି ।

କେବଳ ସେତିକି ନୁହେଁ ଏନେଇ ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଲୁହା ରଡରେ ପିଟିଥିବା ମଧ୍ୟ ଅଭିଯୋଗ ହୋଇଛି । ଏହାସହ ଜଣେ ଅଭିଯୁକ୍ତ ଏ ସମସ୍ତ ଘଟଣାର ଭିଡିଓ ସୁଟିଂ ମଧ୍ୟ କରିଥିଲା । ଯଦି ପୀଡ଼ିତା ଘଟଣାସମ୍ପର୍କରେ ବାହାରେ କାହାକୁ କହିବେ , ତେବେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରିବାର ଧମକ ମଧ୍ୟ ଦେଇଛନ୍ତି ଅଭିଯୁକ୍ତ ।

ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ପରେ ମୋହିତ(୨୫), ସୁମିତ (୨୭) ଓ ଅଙ୍କିତ (୨୪) ନାଁରେ ମାମଲା ରୁଜୁ କରିଛି ପୋଲିସ । ତେବେ ମୋହିତ ଓ ସୁମିତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅଙ୍କିତ ଏବେ ବି ଫେରାର ଥିବା ଏସଏସପି ଶୈଲେଶ ପାଣ୍ଡେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.