ଇଜ୍ଜତ ନେଲେ,ନିଆଁ ଚେଙ୍କ ଦେଇ ଭୟଙ୍କର ଯନ୍ତ୍ରଣା ଦେଲେ : ଘର ନିକଟରେ ଦଳିତ ନାବାଳିକାଙ୍କୁ ଅପହରଣ କରି ନେଇ ଗଣଦୁଷ୍କର୍ମ

Published By : Prameya-News7 Bureau | August 17, 2020 IST

ଗୋରଖପୁର ୧୭/୮: ଉତ୍ତରପ୍ରଦେଶର ଗୋରଖପୁରରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଜଣେ ନାବାଳିକା ଉଦ୍ଧାର ହୋଇଛନ୍ତି ଯାହା ଶରୀରକୁ ସିଗାରେଟରେ ଚେଙ୍କ ଦିଆଯାଇଛି। ବୁଦାରୁ ମିଳିଥିବା ଏହି ଦଳିତ ନାବାଳିକାଙ୍କ ଉପରେ ନଜର ପଡ଼ିବାରୁ ଲୋକେ ତାଙ୍କୁ ତାଙ୍କ ଘରକୁ ପହଞ୍ଚାଇଥିଲେ। ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗୋରଖପୁରର ବଡ଼ହଲଗଞ୍ଜ ଥାନା ଅଞ୍ଚଳରେ ଏକ ଦଳିତ ଦମ୍ପତ୍ତି ଭଡ଼ା ଘରେ ରହି ଦିନମଜୁରିଆ କାମ କରନ୍ତି। ସେହି ଦଳିତ ଦମ୍ପତ୍ତିଙ୍କ ୧୭ବର୍ଷର ନାବାଳିକା ରାତି ପାଖାପାଖି ୮ଟାରେ ଘର ପାଖରେ ଥିବା ନଳକୂପରୁ ପାଣି ଭର୍ତ୍ତି କରି ଆଣିବାକୁ ଯାଇଥିଲେ। ସେତିକିବେଳେ ପାଖରେ ରହୁଥିବା ଅର୍ଜୁନ ନିଷାଦ ନିଜର ଜଣେ ଅଜଣା ବନ୍ଧୁ ସହ ବାଇକରେ ଆସି ନାବାଳିକାଙ୍କ ମୁହଁ ବନ୍ଦ କରି ତାଙ୍କୁ ଉଠାଇ ନେଇଯାଇଥିଲା।

 ଘରଲୋକେ ଅନେକ ଖୋଜାଖୋଜି କରିବା ସତ୍ବେ ଝିଅକୁ ଖୋଜି ପାଇନଥିଲେ। ସକାଳେ ଡେହରି ଭାର ସ୍ଥିତ ସମ୍ମୟ ମାତା ସ୍ଥାନର ପଛପଟେ ବୁଦାରେ କିଛି ଲୋକ ଅର୍ଦ୍ଧନଗ୍ନ ଅବସ୍ଥାରେ ସଂଜ୍ଞାହୀନ ନାବାଳିକାଙ୍କୁ ପଡ଼ିଥିବାର ଦେଖିଥିଲେ।

ସଂଜ୍ଞା ଫେରିବାରୁ ନାବାଳିକା ନିଜ ଘରର ଠିକଣା କହିଥିଲେ। ନାବାଳିକାଙ୍କୁ ଲୋକେ ତାଙ୍କ ଘରକୁ ନେଇଯିବାରୁ ଘରଲୋକେ ଝିଅର ଅବସ୍ଥା ଦେଖି କାନ୍ଦିବାକୁ ଲାଗିଥିଲେ। ନାବାଳିକା ତାଙ୍କ ମାଆ-ବାପାଙ୍କୁ ସବୁ କଥା କହିଥିଲେ। ଧୌସହର ଗାଁର ଅର୍ଜୁନ ଏବଂ ତା ସାଙ୍ଗ ତାଙ୍କୁ ଜବରଦସ୍ତି ରାତିରେ ଉଠାଇ ନେଇ ଯାଇଥିଲେ ଯେଉଁଠାରେ ରାତି ସାରା ଦୁଷ୍କର୍ମ କରିଥିଲେ ଏବଂ ସିଗାରେଟରେ ଶରୀରର ଅନେକ ସ୍ଥାନକୁ ଚେଙ୍କ ଦେଇଥିଲେ। ସକାଳ ହେବା ମାତ୍ରେ ଦୁହେଁ ଖସି ପଳାଇଥିଲେ।

 ଘଟଣା ବିଷୟରେ ସୂଚନା ପାଇ ପୋଲିସ୍ ତୁରନ୍ତ ନାବାଳିକାଙ୍କୁ ଜିଲ୍ଲା ହସ୍ପିଟାଲକୁ ରେଫର କରି ଦେଇଥିଲେ। ତାଙ୍କ ପରିବାର ଲୋକେ ଏଠାରେ ଏକ ଇଟାଭାଟି​‌ରେ କାମ କରୁଥିଲେ। ଏହି ଘଟଣା ପରଠୁ ଏ ଅଞ୍ଚଳର ଲୋକେ ଉତ୍ତେଜିତ ହୋଇ ଯାଇଛନ୍ତି।

ପୋଲିସ୍ ୨ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.