୩୩ ବର୍ଷ ଧରି ଜଙ୍ଗଲ ଜଗୁଛନ୍ତି ନବଘନ, ତାଙ୍କ ପ୍ରତି ନାହିଁ କାହା ନଜର

Published By : Prameya-News7 Bureau | July 02, 2021 IST

ଶଙ୍କିରୀ ୨।୭: କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଶଙ୍କିରୀ ପଞ୍ଚାୟତ ଜଡିପଦା ଗ୍ରାମର ଆଦିବାସୀ ଅଧ୍ୟୁଷିତ ଗରିବ ଲୋକ ନବଘନ ନାଏକ । ବୟସ ୭୦ ଟପିଲାଣି ତଥାପି ରାତି ପାହିଲେ ତାଙ୍କୁ ମନେପଡେ ଜଙ୍ଗଲ କଥା । ନବ ନାଏକ ଆଜିକୁ ୩୩ ବର୍ଷ ଧରି କେନ୍ଦୁଝର ବନଖଣ୍ଡ ସଦର ରେଞ୍ଚ ଶଙ୍କିରୀ, ଜଡିପଦା, ପୋଟଳ, ଆଦି ୩ଟି ଗ୍ରାମର ସଂରକ୍ଷଣ ଜଙ୍ଗଲରେ ଦେଖାଶୁଣା କରିଆସୁଛନ୍ତି । ଘର କଥା ଯାହା ହେଉ କିନ୍ତୁ ଜଙ୍ଗଲ ସୁରକ୍ଷା ହେଉ ଏହା ହେଉଛି ନବ ନାଏକଙ୍କ ମନର କଥା ।

ତେବେ ଏଥି ମଧ୍ୟରେ ସେ ବହୁବାର ମୃତ୍ୟୁ ମୁଖରୁ ବଞ୍ଚିତ ହୋଇଛନ୍ତି । ବିଭିନ୍ନ ସମୟରେ ବନ୍ୟଜନ୍ତୁକୁ ସାମ୍ନାସାମ୍ନି ହୋଇଛନ୍ତି । ଅନେକ ସମୟରେ ଜାଳେଣି କାଠ ପାଇଁ ଗଛ କାଟିବାକୁ ଆସୁଥିବା ଲୋକମାନଙ୍କୁ ଦମନ କରିବା ବେଳେ ଗାଳିଗୁଲଜ ଝଗଡା ଭଳି ସମସ୍ୟାକୁ ସାମ୍ନା କରିବାକୁ ପଡିଛି । ତଥାପି ନିଜକୁ ଡରି ହାରି ଯାଇନାହାନ୍ତି ସେ । ସକାଳ ହେଲା ମାତ୍ରେ ଖରା ବର୍ଷାକୁ ପାଥେୟ କରି ଜଙ୍ଗଲରେ ହାଜର ହୋଇଥାନ୍ତି ସାଥି ହିସାବରେ । ପାଖରେ ଥାଏ କେବଳ ଟାଙ୍ଗିଆଟିଏ । ଯେଉଁ ଗ୍ରାମର ଜଙ୍ଗଲ ଜଗିଥାନ୍ତି ନବ ସେହି ଗ୍ରାମର ଲୋକମାନେ ପାରିଶ୍ରମିକ ବାବଦକୁ ବର୍ଷକରେ ଥରେ ଧାନ କିଛି କିଛି କରି ଦେଇଥାନ୍ତି ସେଥିରେ ବାର୍ଦ୍ଧକ୍ୟ ଭିନ୍ନକ୍ଷମ ରୋଗିଣା ସ୍ତ୍ରୀ ଶାନ୍ତିଲତାଙ୍କ ସହିତ ବର୍ଷ ତମାମ ଚଳିଥାନ୍ତି ।

ଭଙ୍ଗା ଦଦରା ଘରେ ରହୁଥିଲେ ସୁଦ୍ଧା ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ମିଳିପାରୁନି ବୋଲି ଦୁଃଖର ସହିତ କହିଥାନ୍ତି । ଘର ଖଣ୍ଡେ ପାଇଁ ବାରମ୍ବାର ପଞ୍ଚାୟତରେ ଗୁହାରି କରୁଥିଲେ ମଧ୍ୟ ମୋ କଥା କେହି ଶୁଣୁନାହାନ୍ତି ବୋଲି ସେ କହିଛନ୍ତି। ତିନି ଦଶନ୍ଧି ଧରି ଜଙ୍ଗଲ ଦେଖାଶୁଣା କରିଆସୁଛି ତଥାପି ଆଜି ପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ କିଛି ସାନ୍ତ୍ବନା ବି ମିଳିନି ଯେତେଦିନ ପାରୁଥିବି ସେତେ ଦିନ ଜଙ୍ଗଲ ସହିତ ଜଡିତ ଥିବି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.