ଯେତେ ଲୁଚାଇଲେ ଲୁଚୁନି କଥା : ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବ ଦାସ ଯୋଗଦେବେ ବିଜେଡିରେ, ବ୍ୟାପକ ଆୟୋଜନ

Published By : Prameya-News7 Bureau | January 13, 2019 IST

ଝାରସୁଗୁଡା ୧୩/୧ : ଆସନ୍ତା ୨୪ ତାରିଖରେ ଝାରସୁଗୁଡା ବିଧାୟକ ନବଦାସ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବେ । ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ ସ୍ଥିର ହୋଇଛି | ମୁଖ୍ୟମନ୍ତ୍ରୀ ଝାରସୁଗୁଡା ଠାରେ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ ସହ କେତେକ ପ୍ରକଳ୍ପ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି | ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ବେଳେ ନବ ଦାସ ବିଜେଡିରେ ଜିଙ୍ଗ ଦେବେ ବୋଲି ପୁଣି ଚର୍ଚ୍ଚା ଜୋର ଧରିଛି | ୧୭ ତାରିଖରୁ ୨୦ ତାରିଖ ମଧ୍ୟରେ ନବ ଦାସ କଂଗ୍ରେସରୁ ଇସ୍ତଫା ଦେଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି |

ଇସ୍ତଫା ଦେବାପରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସ୍ମରଣୀୟ ଢଙ୍ଗରେ ପାଳନ କରିବା ପାଇଁ ନବ ଦାସ ସମସ୍ତ ବନ୍ଦୋବସ୍ତ ଏବେଠାରୁ କରିଥିବା କୁହାଯାଉଛି | ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ନବ ୩୦୦ ବସ ବ୍ୟବସ୍ଥା କରିଥିବା ବେଳେ ୨୦ ହଜାରରୁ ଅଧିକ ଗ୍ୟାସ ବେଲୁନ ପାଇଁ ବରାଦ ଦେଇଛନ୍ତି | ଏହି ସବୁ ବେଲୁନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି ଓ ନବ ଦାସଙ୍କ ଛବି ରହିବ | ସମ୍ପୂର୍ଣ ଝାରସୁଗୁଡା ଆକାଶକୁ ଏହି ବେଲୁନରେ ଢାଙ୍କି ଦିଆଯିବ |

ସୂଚନାଯୋଗ୍ୟ ଯେ, ୩ ଦିନ ତଳେ ଭୁବନେଶ୍ବରଠାରେ ସମ୍ବାଦିକମାନଙ୍କୁ ନବ ଦାସ କହିଥିଲେ ଯେ, ବିଜେଡିକୁ ଯିବାର ନାହିଁ । ୨୦୧୯ ନିର୍ବାଚନ ସେ ହାତ ଚିହ୍ନରେ ହିଁ ଲଢିବେ । ଏଭଳି ବିବୃତ୍ତି ଦେବାର ୨୪ ଘଣ୍ଟା ଭିତରେ କିନ୍ତୁ ସେ ଝାରସୁଡା ଫେରି କର୍ମୀ ସମ୍ମିଳନୀ କରିବା ସହ ସେ ବଜେଡିକୁ ଯାଉଥିବା ସୂଚନା ଦେଇଛନ୍ତି ବୋଲି ଆଲୋଚନା ହେଉଛି | ଝାରସୁଗୁଡାରୁ ମିଳିଥିବା ଖବର ଅନୁସାରେ ୩ ଦିନ ତଳେ ଖେରୱାଲ ବ୍ରିଜ ନିକଟରେ ନଦୀ କୁଳରେ ହିରମା, ଶ୍ରୀପୁରା, ଏଚ କଟାପାଲି, ମାଲଦା ଆଦି ୫ଟି ପଂଚାୟତର କର୍ମୀଙ୍କୁ ନେଇ ନବ ଦାସ ଏକ ଭୋଜିର ଆୟୋଜନ କରିଥିଲେ ଓ ସେଠାରେ ସେ ବିଜେଡିକୁ ଯିବା ନେଇ କର୍ମୀଙ୍କ ମତାମତ ଲୋଡ଼ିଥିଲେ |

ସେହିଭଳି ଝାରସୁଗୁଡା ସହରର ପୁରୁଣାବସ୍ତି, ପୋଖରାସାଲେ, କୋଲାବିରା ଏବଂ ବ୍ରଜରାଜନଗରରେ ମଧ୍ୟ ଇତି ମଧ୍ୟରେ ନବ ଦାସ କର୍ମୀ ସମ୍ମିଳନୀ କରିସାରିଛନ୍ତି | ସବୁ ବୈଠକରେ ସେ ବିଜେଡିକୁ ଯିବା ସମ୍ପର୍କରେ କର୍ମୀଙ୍କ ସହ ଆଲୋଚନା କରିଛନ୍ତି | ବ୍ରଜରାଜନଗରର କିଛି କର୍ମୀଙ୍କ ସହ ଆଲୋଚନାବେଳେ ନବ କହିଥିଲେ ଯେ, ଯେଉଁ କର୍ମୀମାନେ ତାଙ୍କ ସହିତ ବିଜେଡିକୁ ଯିବାକୁ ଚାହୁଁଛନ୍ତି ସେମାନେ ଆସିପାରିବେ | ତେବେ ତାଙ୍କ ସହିତ ବିଜେଡିରେ ଯୋଗ ଦେବା କର୍ମୀ ଓ ବିଜେଡିରେ ଯୋଗ ଦେଉନଥିବା କର୍ମୀ ଉଭୟଙ୍କ କାମ ସେ କରିବେ | ଆହୁରି ମଧ୍ୟ ଆଲୋଚନା ହେଉଛି ଯେ, ଜୟ ଏନଡି ନାମରେ ନବ ଦାସଙ୍କ ଏକ ହ୍ୱାଟ୍ସ ଆପ ଗ୍ରୁପ ରହିଛି | ଏହି ଗ୍ରୁପରେ ନବଙ୍କ ବିଶ୍ଵସ୍ଥ କର୍ମୀମାନେ ରହିଛନ୍ତି | ଏହି ଗ୍ରୁପରେ ମଧ୍ୟ ନବ ବିଜେଡିକୁ ଯାଉଥିବା ନେଇ ସୂଚନା ଆଦାନପ୍ରଦାନ ହେଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.