‘ନାକ୍’ ଦ୍ଵାରା ପ୍ରସ୍ତୁତ ଓଡିଶା ରିପୋର୍ଟ ପୁସ୍ତିକା ଉନ୍ମୋଚନ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ
23/11/2020 at 10:56 PM

ଭୁବନେଶ୍ଵର ୨୩।୧୧: NAAC ଦ୍ଵାରା ସୋମବାର ଅପରାହ୍ନ ୩ଟାରେ “State-wise Analysis of Accreditation Report of Odisha” କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ନାକ୍ ଦ୍ଵାରା ପ୍ରସ୍ତୁତ ଓଡିଶା ରିପୋର୍ଟ ପୁସ୍ତିକାର ଉନ୍ମୋଚନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନେକ ଉଚ୍ଚ ଶିକ୍ଷାନୁଷ୍ଠାନର ମୁଖ୍ୟ ଏବଂ ପ୍ରଫେସର ଉପସ୍ଥିତ ଥିଲେ।
ଏହି ଅବସରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଅଭିବୃଦ୍ଧି ପ୍ରତି ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି। ଶିକ୍ଷାଦାନ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଅନେକଗୁଡିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ନାକ୍ ଆକ୍ରେଡିସନ ପାଇବା ଦିଗରେ ରାଜ୍ୟ ସରକାର ତଥା ବିଭିନ୍ନ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକୁ ସବୁ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।
ୟୁଜିସିର ଏକ ସ୍ଵୟଂ ଶାସିତ ସଂସ୍ଥା ଦ୍ଵାରା ରାଜ୍ୟର ଶିକ୍ଷାନୁଷ୍ଠାନର ପାଠ୍ୟକ୍ରମ, ଶିକ୍ଷାଦାନ ପଦ୍ଧତି ଓ ଆହରଣ, ଗବେଷଣା ଓ ନୂତନ ଉଦ୍ଭାବନ, ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଓ ଶିକ୍ଷାଦାନର ପଦ୍ଧତି ଆଦିକୁ ବିଚାର କରି ଏହି ରିପୋର୍ଟ ପୁସ୍ତିକା ପ୍ରକାଶ କରାଯାଇଛି।
ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ଏହି ରିପୋର୍ଟ ପୁସ୍ତିକା ଉନ୍ମୋଚନ ଅବସରରେ ନାକ୍ର ନିର୍ଦ୍ଦେଶକ ଡ.ଏସ.ସି ଶର୍ମା କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ। ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ଵତ ମିଶ୍ର, ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ, ନାକର ଉପଦେଷ୍ଟା ପ୍ରଫେସର ଅମୀୟ କୁମାର ରଥ, ନାକ୍ର ରିସର୍ଚ୍ଚ ଏବଂ ଆନାଲିସିସ୍ ଉଇଙ୍ଗ୍ର ପରାମର୍ଶଦାତା ଡ.ଏସ. ଶ୍ରୀକାନ୍ତ ସ୍ଵାମୀ, ପ୍ରଫେସର ସୁସ୍ମିତ ପାଣି ପ୍ରମୁଖ ଯୋଗ ଦେଇଥିଲେ।