ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂହଙ୍କ ବିଲଡିଂରେ ଜଣେ ମହିଳାଙ୍କୁ ଦେଖିଥିବା ଦାବି: ସୁଶାନ୍ତଙ୍କ ବେଡ଼ରୁମରେ ଥିଲା କଳା ବ୍ୟାଗ ଧରିଥିବା ଜଣେ ବ୍ୟକ୍ତି

Published By : Prameya-News7 Bureau | August 16, 2020 IST

ମୁମ୍ବାଇ ୧୬/୦୮ : ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ପ୍ରତିଦିନ କିଛି ନା କିଛି ଚକିତ କଲାଭଳି ଖବର ସାମ୍ନାକୁ ଆସୁଛି | ଏହି ମାମଲାରେ ମୁମ୍ବାଇ ପୋଲିସ, ପାଟନା ପୋଲିସ ପରେ ଇଡି ଓ ସିବିଆଇ ମଧ୍ୟ ଯାଞ୍ଚ ଆରମ୍ଭ କରିଛନ୍ତି | ସୋସିଆଲ ମିଡ଼ିଆ ଓ ନ୍ୟୁଜ ଚାନେଲ ଜରିଆରେ ମଧ୍ୟ ଏହି ମାମଲାର ଅନେକ ଖୁଲାସା କରାଯାଉଛି | ଏହି ମାମଲାରେ ଏବେ ଆଉ ଏକ ଖୁଲାସା ହୋଇଛି | ଜୁନ ୧୪ ତାରିଖରେ ସୁଶାନ୍ତ ସିଂହଙ୍କ ବିଲଡିଂରେ କଥିତ ଭାବେ ଜଣେ ମହିଳାଙ୍କୁ ଦେଖିଥିବା ଦାବି ହୋଇଛି | କେବଳ ଏତିକି ନୁହେଁ ଏହି ସମ୍ବନ୍ଧରେ ୩ଟି ଭିଡିଓ ସାମ୍ନାକୁ ଆସିଥିବା ମଧ୍ୟ କୁହାଯାଉଛି |

ଜୁନ ୧୪ ତାରିଖରେ ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ଖବର ପୁରା ଦେଶକୁ ଦୋହଲାଇ ଦେଇଥିଲା | ରିପବ୍ଲିକ ଟିଭି ଦାବି କରିଛି ଯେ ଜୁନ ୧୪ ତାରିଖର ଅନେକ ଫଟୋ ଓ ୩ଟି ଫୁଟେଜ ତାଙ୍କ ହାତରେ ଲାଗିଛି | ଭିଡିଓରେ ସୁଶାନ୍ତଙ୍କ ବେଡ଼ରୁମରେ ଜଣେ ମହିଳା କଳା ବ୍ୟାଗ ସହ ନଜର ଆସିଥିବା କୁହାଯାଉଛି | ଆଉ ଏକ ଭିଡିଓରେ ଜଣେ ବ୍ୟକ୍ତି କଳା ବ୍ୟାଗ ଧରି ବିଲଡିଂ ତଳେ ଦୌଡ଼ି ପଳାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି | ଏହି ବ୍ୟକ୍ତିକୁ ପୁଣିଥରେ ଦେଖିବାକୁ ମିଳିଛି କିନ୍ତୁ ସେତେବେଳେ ହାତରେ ବ୍ୟାଗ ନଥିବା ଦେଖିବାକୁ ମିଳିଛି | ତୃତୀୟ ଭିଡିଓରେ ଜଣେ ମହିଳା ବିଲଡିଂରୁ ବାହାରକୁ ବାହାରୁଥିବା ଦେଖିବାକୁ ମିଳିଛି | ଏହି ମହିଳା ଜଣକ ଅନ୍ୟ ଦୁଇଟି ଭିଡିଓରେ ସେହି କଳା ବ୍ୟାଗ ଧରିଥିବା ବ୍ୟକ୍ତି ସହ କଥାବାର୍ତ୍ତା କରି ସେଠାରୁ ପଳାଇ ଯାଇଥିବା ଦେଖିବାକୁ ମିଳିଛି | ମହିଳା ଜଣକ ନୀଳ ରଙ୍ଗର ଟପ ପିନ୍ଧିଥିଲେ | ତେବେ ଏହିସବୁ ପୋଲିସର ଉପସ୍ଥିତିରେ ହୋଇଥିବା ଚାନେଲ ଦାବି କରିଛି |

ଭିଡିଓରେ ଦୁଇଜଣଙ୍କ ମୁହଁ ମାସ୍କରେ ଘୋଡେଇ ହୋଇଛି | ସେଥିପାଇଁ ଚିହ୍ନିବା କଷ୍ଟକର ହୋଇଛି | ଭିଡିଓକୁ ନେଇ ଚାନେଲ ସୁଶାନ୍ତ ସିଂହଙ୍କ ପାରିବାରିକ ଓକିଲ ବିକାଶ ସିଂହଙ୍କ ସହିତ କଥାବାର୍ତ୍ତା କରିଛି | ଭିଡିଓରେ ନଜର ଆସୁଥିବା ବ୍ୟକ୍ତି ଓ ମହିଳାଙ୍କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି | ମହିଳା ଜଣକ କିଏ ତାର ପତା କରିବାକୁ ସେ ଦାବି କରିଛନ୍ତି |

ସୂଚନାଯୋଗ୍ୟ ଯେ, ସୁଶାନ୍ତ ସିଂହଙ୍କ ପରିବାର ବହୁ ଆଗରୁ ସନ୍ଦେହ କରିଥିଲେ ପ୍ରମାଣ ସହ ଟ୍ୟାମ୍ପରିଙ୍ଗ କରାଯାଇଛି | ଏହି ମାମଲାରେ ଏବେ ସୁଦ୍ଧା ମୁମ୍ବାଇ ପୋଲିସ ଓ ଇଡି ସୁଶାନ୍ତ ସିଂହଙ୍କ ସହ ଜଡିତ ଅନେକ ଲୋକଙ୍କୁ ପଚରାଉଚୁରା କରିଛି | କ୍ୱିନରୁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିନାହିଁ | ତେବେ ସାମ୍ନାକୁ ଆସିଥିବା ଏହି ଭିଡିଓ ପଛର ସତ୍ୟତା କଣ ଏବଂ ଏହି ଭିଡିଓ ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ କଣ ନୂଆ ମୋଡ ଆଣିବ ତାହା ଦେଖିବା ବାକି ରହିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.