ସାମ୍ନାକୁ ଆସିଲା ଏମାର ମଠ ରୂପା ଇଟାର ରହସ୍ୟ ! ନଅଙ୍କ ଦୁର୍ଭିକ୍ଷ ସମୟରେ ମଠକୁ ରୂପା ଇଟା ଦେଇ ଚାଉଳ କିଣିଥିଲେ ଇଂରେଜ, ଜାଣନ୍ତୁ ମଠର ସମ୍ପତ୍ତି ଓ ଜଗନ୍ନାଥ ମନ୍ଦିର ସମ୍ପର୍କରେ ସବିଶେଷ ତଥ୍ୟ

Published By : Prameya-News7 Bureau | August 30, 2019 IST

ଜଗନ୍ନାଥଙ୍କ ସହିତ ସମ୍ପର୍କ :

ଏହି ମଠ ପୁରୀ ପ୍ରସିଦ୍ଧ ଅଟେ। ଏହି ମଠରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା, ଆଡ଼ପ ବିଜେ, ହେରା ପଞ୍ଚମୀ, ନିଳାଦ୍ରୀ ବିଜେ ଦିନମାନଙ୍କରେ ପନ୍ତି ଭୋଗ କରାଯାଏ।ଏମାର ମଠରେ ଅଣସର ସମୟରେ ଚକଟା ଭୋଗ କରାଯାଇଥାଏ।ଏହି ମଠକୁ ଗୁଣ୍ଡିଚା ମନ୍ଦିରଠାରେ ସାମୟିକ ଭାବେ ପନ୍ତି ଚାଳି ନିର୍ମାଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇଛି।ଏହି ମଠ ମହନ୍ତଙ୍କର ରଥଯାତ୍ରା ଓ ବାହୁଡା ଯାତ୍ରା ସମୟରେ ଚାମର ଓ ଆଲଟ ସେବା କରିବାର ଅଧିକାର ଅଛି।

ସମ୍ପତ୍ତି :

୨୦୧୧ ମସିହାରେ ଓଡ଼ିଶା ପୋଲିସ ୧୮ କିଗ୍ରା ଓଜନର ୫୨୨ଟି ରୂପା ଇଟା ଏହି ମଠରୁ ଜବତ କରିଥିଲା । ଏକ ସିନ୍ଧୁକ ଭିତରେ ବନ୍ଦ ଥିବା ରୂପା ଇଟାଗୁଡ଼ିକର ମୂଲ୍ୟ ୯୦ କୋଟି ଅଧିକ ବୋଲି ପୋଲିସ ଜଣାଇଥିଲା । ସିନ୍ଧୁକଟି ଏକ ଘର ଭିତରେ ରଖାଯାଇଥାଏ । ରୂପାସବୁ ୧୦୦ ବର୍ଷ ବା ତହିଁରୁ ଅଧିକ ପୁରୁଣା । ଇଟା ଉପରେ ବ୍ୟାଙ୍କକ, ସାଙ୍ଘାଇ ଓ କାନାଡ଼ା ଆଦି ଲେଖାଥିଲା । ମଠ ମହନ୍ତ ଗଦାଧର ରାମାନୁଜ ଦାସ ତାଙ୍କ ପୂର୍ବ ମହନ୍ତ ମଠରେ ଗୁପ୍ତଧନ ଥିବାର ସୂଚନା ଦେଇଥିଲେ ବୋଲି ପୋଲିସ ନିକଟରେ ଜଣାଇଥିଲେ । ଓଡ଼ିଶା ଧାର୍ମିକ ହିନ୍ଦୁ ଅଧିକାର ଆଇନ (Orissa Religious Hindu Endowment Act) ଦ୍ୱାରା ପରିଚାଳିତ ଓ ଏହି ଆଇନ ପରିସର ଭିତରେ ଏହି ସମ୍ପତ୍ତି ଅନ୍ତର୍ଭୁକ୍ତ ହୋଇନଥିବାରୁ ରୂପାତକ ପୋଲିସ ହେପାଜତରେ ରଖାଯାଇଥିଲା ।

ଏମାର ମଠ ରୂପା ଇଟାର ଖୋଲିଲା ରହସ୍ୟ । ରୁପା ଇଟାର ସମ୍ପର୍କ ରହିଛି ୧୮୬୬ ନଅଙ୍କ ଦୁର୍ଭିକ୍ଷ ସହ । ନଅଙ୍କ ଦୁର୍ଭିକ୍ଷ ବେଳେ ଲୋକଙ୍କୁ ରିଲିଫ୍ ବାଂଟିବାକୁ ବ୍ରିଟିସ ସରକାର ଏମାର ମଠରୁ ଚାଉଳ ଆଣିଥିଲେ । ବଦଳରେ ମଠକୁ ଦେଇଥିଲେ ଏସବୁ ରୁପା ଇଟା । ଗବେଷକ ଅନୀଲ ଧୀର ତାଙ୍କ ପୁସ୍ତକରେ ଏହି ତଥ୍ୟ ସାମ୍ନାକୁ ଆଣିଛନ୍ତି ।

ରୁପା ଇଟା ଉପରୁ ଉଠିଲା ରହସ୍ୟ ! ବର୍ଷ ବର୍ଷ ଧରି ରହସ୍ୟରେ ଥିବା ଏମାର ମଠ ରୁପା ଇଟା ଉପରୁ ଉଠିଛି ପରଦା । ଗବେଷଣାରୁ ଜଣାପଡିଛି, ଏମାର ମଠରୁ ମିଳିଥିବା ରୁପା ଇଟା ସହ ରହିଛି ୧୮୬୬ ନଅଙ୍କ ଦୁର୍ଭିକ୍ଷର ସମ୍ପର୍କ । ଗବେଷକ ଅନୀଲ ଧୀରଙ୍କ ପୁସ୍ତକ- ଗ୍ରେଟ୍ ଓଡିଶା ଫେମିନ୍ ଅଫ୍ ୧୮୬୬- ନଅଙ୍କ ଦୁର୍ଭିକ୍ଷରେ ଏନେଇ ବିସ୍ତୃତ ଭାବେ ଉଲ୍ଲେଖ ରହିଛି । ସେ ଲେଖିଛନ୍ତି, ୧୮୬୬ରେ ନଅଙ୍କ ଦୁର୍ଭିକ୍ଷ ସମୟରେ ବ୍ରିଟିଶ ପ୍ରଶାସନ ଦୁର୍ଭିକ୍ଷ ଅଂଚଳରେ ରିଲିଫ ବାଂଟିବା ପାଇଁ ଏମାର ମଠରୁ ରୁପା ଇଟା ଦେଇ ବଦଳରେ ଶହ ଶହ ଟନ୍ ଚାଉଳ ନେଇଥିଲେ ।

ଗବେଷଣାରୁ ଜଣାପଡିଛି, ୧୮୬୬ ସମୟରେ ରାଜ୍ୟର ସବୁଠୁ ଧନଶାଳୀ ମଠ ଥିଲା ଏମାର ମଠ । ମଠର ବଡ ବଡ କୋଠରୀରେ ଧାନ ରଖିବାକୁ ଶଗଡ ଶଗଡ ଧାନ ଆସି ସିଂହଦ୍ୱାରରୁ ଅଠରନଳା ଯାଏଁ ଲମ୍ବି ରହୁଥିଲା । ନଅଙ୍କ ଦୁର୍ଭିକ୍ଷ ସମୟରେ ଚାଉଳ ଯୋଗାଇବାକୁ ମଠ ମହନ୍ତଙ୍କୁ ରୁପା ଟଙ୍କା ଯାଚିଥିଲେ ବ୍ରିଟିସ ସରକାର ।

ତେବେ ରୁପା ଧାତବ ଖଣ୍ଡ ମାଗିଥିଲେ ମହନ୍ତ । ଏମାର ମଠରୁ ଜବତ ରୁପା ଇଟାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଲେଖା ଥିବା ଗବେଷକ କହିଛନ୍ତି ।

ପୁରୀ ଏମାର ମଠର ନିବୁଜ କୋଠରୀରୁ ୧୯ ଟନ୍ ଓଜନର ୫୨୨ଟି ରୁପା ଇଟା ମିଳିଥିଲା । ଯାହା ବର୍ତମାନ କୋର୍ଟରେ ହେପାଜତରେ ରଖାଯାଇଛି । ଇଟାଗୁଡିକ କେଉଁ ବର୍ଷର ଏବଂ କେଉଁ ସ୍ଥାନର ସେନେଇ ପରୀକ୍ଷା କରିବାକୁ ଗବେଷକ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.