ପରିବାର ଛାଡ଼ି ଭାରତ ଚାଲିଆସିଥିବା ମିଆଁମାର ପୋଲିସ କର୍ମୀଙ୍କୁ ଘାରିଛି ଭୟ, ସ୍ବଦେଶ ଫେରିବାକୁ ଚାହୁଁନାହାନ୍ତି...

Published By : Prameya-News7 Bureau | March 10, 2021 IST

ଚମ୍ପାଇ, ମିଜୋରାମ ୧୦/୦୩: ଅଶାନ୍ତ ମିଆଁମାର। ୨୭ ଫେବୃଆରୀରେ ସେନା ଶାସନ ବିରୋଧରେ ବିକ୍ଷୋଭ କରୁଥିବା ଲୋକଙ୍କ ଉପରେ ଗୁଳି ଚାଳନା କରିଥିଲା ପୋଲିସ। ପୋଲିସକୁ ଗୁଳି ଚାଳନା କରିବାକୁ ନିର୍ଦେଶ ମିଳିବା ପରେ ବୋହିଥିଲା ରକ୍ତର ନଦୀ । ଚାରିଆଡ଼େ ମୃତ୍ୟୁ ତାଣ୍ଡବ ରଚିଥିଲା। ଆତ୍ମୀୟଙ୍କ ମୃତଦେହ ପାଖରେ ବସି ଲୋକେ ଭୋ ଭୋ ହୋଇ କାନ୍ଦୁଥିବାର ଦୃଶ୍ୟ ବେଶ  ହୃଦୟ ବିଦାରକ । କିନ୍ତୁ କିଛି ପୋଲିସ କର୍ମଚାରୀ ନିଜର  ଉଚ୍ଚ ଅଧିକାରୀଙ୍କ ନିର୍ଦେଶକୁ ବେଖାତିର କରି ଗୁଳି ଚାଳନା କରିବାକୁ ମନା କରିଥିଲେ ।

ପରେ ଏହି ସବୁ ପୋଲିସ କର୍ମଚାରୀ ଦେଶ ଛାଡ଼ି ଭାରତର ସୀମାବର୍ତ୍ତୀ ରାଜ୍ୟ ମିଜୋରାମକୁ ଚାଲିଆସିଥିଲେ। ଭାରତକୁ ଆସିବା ପରେ ଏବେ ସ୍ବଦେଶ ଫେରିବାକୁ ଭୟ କରୁଥିବା ବେଳେ ନିଜର ଅନୁଭୂତି ବଖାଣିଛନ୍ତି ସେଦିନ ଛାଥିଥରା ଦୃଶ୍ୟ ଦେଖିଥିବା କିଛି ମିଆଁମାର ପୋଲିସ କର୍ମୀ। ମିଆଁମାର ପୋଲିସରେ କନେଷ୍ଟବଲ ଭାବେ କାର୍ଯ୍ୟ କରୁଥିବା ନଗୁନ ଏନେଇ କହିଛନ୍ତି। ସେ ମେଣ୍ଡଲ ଅଞ୍ଚଳରେ ମୁତୟନ ଥି​‌ଲେ ଏବଂ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା କରିବାକୁ ତାଙ୍କୁ ନିର୍ଦେଶ ମଧ୍ୟ ମିଳିଥିଲା। କିନ୍ତୁ ତାଙ୍କୁ କେବେ ନିର୍ଦେଶ ଦିଆଯାଇଥିବା ଏବଂ ଲୋକଙ୍କୁ ଜୀବନରୁ ମାରିଦେବାକୁ କୁହାଯାଇଥିଲା କି ନାହିଁ ସେ ସମ୍ପର୍କରେ ସେ କିଛି କହିନାହାନ୍ତି।

ତାଙ୍କ ପାଖରୁ ମିଳିଥିବା ପରିଚୟ ପତ୍ରରେ ପେଙ୍ଗ ବୋଲି ଲେଖା ଅଛି। ସେ କହିଛନ୍ତି, ମିଆଁମାର ପୋଲିସ କେବଳ ସେନାର ନିର୍ଦେଶ ପାଳନ କରୁଛି। ତେବେ  ଏନେଇ ସେ କୌଣସି ସ୍ପଷ୍ଟ ପ୍ରମାଣ ଦେଇ ପାରିନଥିଲେ। ଅନ୍ୟପଟେ ନଗୁଇ ଉପର ଅଧିକାରୀଙ୍କ ନିର୍ଦେଶକୁ ମାନିବାକୁ ଅମଙ୍ଗ ହେବାରୁ ତାଙ୍କୁ ଚାକିରୀରୁ ବାହାର କରିଦିଆଗଲା। ଏହାପରେ ସେ ଭାରତ ଆସିବାକୁ ଯୋଜନା କରିଥିଲେ। ଅନଲାଇନ୍‌ ରାସ୍ତା ଖୋଜି ଖୋଜି ସେ ମିଜୋରାମରେ ପହଞ୍ଚିଥିବା​‌ ନଗୁଇ କହିଛନ୍ତି।

ସୂଚନା ଅନୁଯାୟୀ, ଭାରତ ଏବଂ ମିଆଁମାର ମଧ୍ୟରେ ପ୍ରାକୃତିକ ଅବସ୍ଥିତି ଅନୁସାରେ ସୀମା ନିର୍ଦ୍ଧାରଣ କରାଯାଇଛି। ତଥାପି ମିଆଁମାର ବାସିନ୍ଦା ଭାରତ ସୀମାରେ ଚାଷ କାର୍ଯ୍ୟ ପାଇଁ ଆସିନ୍ତି। କିନ୍ତୁ ଭାରତର କୌଣସି ସହରକୁ ଆସିବାକୁ ହେଲେ ସେମାନଙ୍କୁ ଭ୍ରମଣ ଅନୁମତିର ଆବଶ୍ୟକତା ରହିଛି। ଅନ୍ୟ ଜଣେ ପୋଲିସ କର୍ମୀ ଡାଲ, ରୟଟର୍ସ ତାଙ୍କ ପାଖରେ ଥିବା ପରିଚୟ ପତ୍ରରୁ ନାଁ ସଂଗ୍ରହ କରିଛି।

ମଆଁମାର ପୋଲିସରେ କାର୍ଯ୍ୟରତ ଡାଲ ଗିରଫ ପ୍ରଦର୍ଶନକାରୀଙ୍କ ତାଲିକା ପ୍ରସ୍ତୁତ କରୁଥିଲେ। ଲଗାତାର ପ୍ରଦର୍ଶନକାରୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମହିଳା ବିକ୍ଷୋଭକାରୀଙ୍କୁ ଗିରଫ କରିବାକୁ ଦାୟିତ୍ବ ଡାଲଙ୍କୁ ମିଳିଥିଲା। କିନ୍ତୁ ଏଭଳି କରିବାକୁ ମନା କରିବାରୁ ନିଜକୁ ନିଜର ଗିରଫ ହେବାର ଭୟ ଘାରିଲା। ଏହି ଭୟରେ ସେ ଭାରତ ଚାଲିଆସିଛନ୍ତି ବୋଲି କହିଛନ୍ତି ଡାଲ। ପେଙ୍ଗ ଆହୁରି ମଧ୍ୟ କହିଛନ୍ତି ୯୦ ପ୍ରତିଶତ ପୋଲିସ କର୍ମୀ ପ୍ରଦର୍ଶନକାରୀଙ୍କୁ ସମର୍ଥନ କରୁଛନ୍ତି କିନ୍ତ ତାଙ୍କର କେହି ନେତା ନାହାନ୍ତି।  ତେଣୁ ସେମାନଙ୍କର କିଛି ସଂଗଠନ ନାହିଁ।

ପେଙ୍ଗ ଭାରତ ଆସିଛନ୍ତି କିନ୍ତୁ ତାଙ୍କର ପତ୍ନୀ ଏବଂ ଦୁଇ ଝିଅ ମିଆଁମାରରେ ଅଛନ୍ତି। ସେପଟେ ମିଆଁମାରରେ ଫଲମ ଜିଲ୍ଲାର ଉପ ଜିଲ୍ଲାପାଳ ଚମ୍ପାଇ ଡେପୁଟି କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ପାଖାପାଖି ୮ ଜଣ ପୋଲିସ କର୍ମୀ ଭାରତ ସୀମା ଭିତରେ ପ୍ରବେଶ କରିଛନ୍ତି। ସେମାନଙ୍କୁ ମିଆଁମାର ଫେରାଇ ଦିଆଯାଉ। କିନ୍ତୁ ମିଜୋରାମ ମୁଖ୍ୟମନ୍ତ୍ରୀ କହିଛନ୍ତି ମିଆଁମାରରୁ ଆସିଥିବା ଲୋକଙ୍କୁ ଖାଇବା ଏବଂ ରହିବା ପାଇଁ ବ୍ୟବସ୍ଥା କରାଯାଉଛି। ପେଙ୍ଗ କହିଛନ୍ତି ସେ ତାଙ୍କ ପରିବାର ପାଇଁ ଚିନ୍ତିତ ଅଛନ୍ତି। ସେପଟେ ସ୍ବଦେଶ ଫେରିବା ଭୟଙ୍କର ବିପଦଠୁ କମ ନୁହେଁ। ଏବେ ସେମାନେ ଫେରିବାକୁ ଚାହୁଁନଥିବା ମଧ୍ୟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.