କେନ୍ଦ୍ର ଗୃହ ମନ୍ତ୍ରୀ ଶାହାଙ୍କୁ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ଚିଠି: ମୋ ମନ୍ତ୍ରୀମାନେ ହିନ୍ଦୀ ଜାଣନ୍ତି ନାହିଁ, ଆଉ କିଛି ଇଂରାଜୀ ବୁଝନ୍ତି ନାହିଁ, ତେଣୁ...

Published By : Prameya-News7 Bureau | November 08, 2021 IST

ନୂଆଦିଲ୍ଲୀ ୦୮।୧୧: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ମିଜୋରାମ ମୁଖ୍ୟମନ୍ତ୍ରୀ ପୁ ଜୋରାମଥାଙ୍ଗାଙ୍କ ଚିଠି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, କେନ୍ଦ୍ର ସରକାର ରେଣୁ ଶର୍ମାଙ୍କୁ ରାଜ୍ୟର ମୁଖ୍ୟ ସଚିବ ନିଯୁକ୍ତ କରିବା ଆଦେଶକୁ ସଂଶୋଧନ କରନ୍ତୁ। ତାଙ୍କ ବଦଳରେ ଅତିରିକ୍ତ ମୁଖ୍ୟ ସଚିବ ଜେସି ରାମଥଙ୍ଗାଙ୍କୁ ନୂତନ ମୁଖ୍ୟ ସଚିବ ଭାବେ ନିଯୁକ୍ତ କରନ୍ତୁ।

ଗୁଜରାଟ କ୍ୟାଡରର ମୁଖ୍ୟ ସଚିବ ଲାଲନୁନମାଭିଆ ଚୁଆଉଗୋଙ୍କ ଅବସର ପରେ ମୁଁ ନିଜର ବର୍ତ୍ତମାନ ଅତିରିକ୍ତ ମୁଖ୍ୟ ସଚିବ ଜେସି ରାମନଥାଙ୍ଗା(ମଣିପୁର କ୍ୟାଡର)ଙ୍କୁ ପରବର୍ତ୍ତୀ ମୁଖ୍ୟ ସଚିବ କରିବାକୁ ଅନୁରୋଧ କରୁଛି। ହେଲେ ଗୃହ ମନ୍ତ୍ରଣାଳୟ ରେଣୁ ଶର୍ମାଙ୍କୁ ନୂତନ ମୁଖ୍ୟ ସଚିବ ଭାବେ ନିଯୁକ୍ତ ଦେଇଛି।

ମିଜୋରାମର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପୁସି ଲାଲରାମଜୌଭା କହିଛନ୍ତି ଯେ, ଅକ୍ଟୋବର ୨୯ରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ମୁଖ୍ୟ ସଚିବ ନିଯୁକ୍ତ ସଂପର୍କରେ ଚିଠି ଲେଖା ହୋଇଥିଲା। ହେଲେ ୧୯୮୮ ବ୍ୟାଚ୍‌ର ଏଜିଏମୟୁଟି କ୍ୟାଡର ଆଇଏଏସ ଅଧିକାରୀ ରେଣୁ ଶର୍ମାଙ୍କୁ କେନ୍ଦ୍ର ସରକାର ନଭେମ୍ବର ୧ରୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ଭାବେ ନିଯୁକ୍ତ କରିଥିଲା। ଠିକ୍ ସେହି ଦିନ ମିଜୋରାମ ସରକାର ଜେସି ରାମଥଙ୍ଗାଙ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟଭାର ସମ୍ଭାଳିବାକୁ ଆଦେଶ ଦେଇଥିଲେ।

ଚିଠିରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର କୌଣସି ବି କ୍ୟାବିନେଟ୍ ମନ୍ତ୍ରୀ ହିନ୍ଦୀ ବୁଝି ପାରୁ ନାହାନ୍ତି ଏବଂ କିଛି ତ ଇଂରାଜୀ ମଧ୍ୟ ଜାଣି ପାରୁନାହାନ୍ତି। ମିଜୋ ଲୋକ ମୋଟାମୋଟି ହିନ୍ଦୀ ବୁଝି ପାରନ୍ତି ନାହିଁ। ଆଉ ମୋର କ୍ୟାବିନେଟ୍‌ ମନ୍ତ୍ରୀଙ୍କ ମଧ୍ୟରୁ କେହି ହେଲେ ହିନ୍ଦୀ ବୁଝି ପାରନ୍ତି ନାହିଁ। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଇଂରାଜୀ ଭାଷାର ସମସ୍ୟା ରହିଛି। ତେଣୁ ଆମକୁ ଏମିତି ଜଣେ ମୁଖ୍ୟ ସଚିବ ଦରକାର ଯିଏ ସ୍ଥାନୀୟ ମିଜୋ ଭାଷା ଜାଣିଥିବେ। ନହେଲେ ରାଜ୍ୟ ପ୍ରଶାସନରେ ଯୋଗାଯୋଗରେ ସମସ୍ୟା ହେବ।  

ଚିଠିରେ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା କହିଛନ୍ତି, ଏହି କାରଣରୁ ଭାରତ ସରକାର କେବେ ବି ମିଜୋ ଭାଷା ଜାଣିନଥିବା ଆଇଏଏସ ଅଧିକାରୀଙ୍କୁ ମିଜୋରାମରେ ମୁଖ୍ୟ ସଚିବ ଭାବେ ନିଯୁକ୍ତ କରନ୍ତି ନାହିଁ। ସେ ୟୁପିଏ ସରକାର ହେଉ କି କେନ୍ଦ୍ରର ଏନଡିଏ ସରକାର ହେଉ। ମିଜୋରାମ ରାଜ୍ୟ ଯେବେଠୁ ଗଠନ ହୋଇଛି ଏହି ପ୍ରଥା ଚାଲି ଆସିଛି। ଏହା ଏକ ସାଧାରଣ କଥା ଯେ, ସ୍ଥାନୀୟ ଭାଷା ଜାଣିନଥିବା ଆଇଏଏସ ଅଧିକାରୀଙ୍କୁ ରାଜ୍ୟର ମୁଖ୍ୟ ସଚିବ ଭାବେ ନିଯୁକ୍ତ କରାଯାଏ ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.