ଅଖା ଭିତରୁ ମିଳିଲା ଗଳିତ ମୃତଦେହ, ହତ୍ୟା ପରେ ରାସ୍ତାରେ ଫିଙ୍ଗାଯାଇଛି !

Published By : Prameya-News7 Bureau | November 19, 2020 IST

ସାଲେପୁର ୧୯।୧୧: ଅଖା ଭିତରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ଚୌଦ୍ୱାର ଥାନା ବଡ଼କୁସୁନୁପୁର ଗାଁରୁ ମୃତଦେହ ଠାବ ହୋଇଛି । ବ୍ୟକ୍ତିଙ୍କୁ ହତ୍ୟା ପରେ ରାସ୍ତା ଫିଙ୍ଗାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ ରଖିଛି ।

ସୂଚନାନୁସାରେ , ଆଜି ସକାଳ ସମୟରେ ସ୍ଥାନୀୟ ଲୋକେ ଧାନବିଲକୁ ଯାଉଥିବା ସମୟରେ ଅଖା ପଡିଥିବାର ଦେଖିବାକୁ ପାଇଥିଲେ । ଏହାପରେ ଅଖା ପାଖକୁ ଯାଇଥିଲେ , କିନ୍ତୁ ଦୁର୍ଗନ୍ଧ ହେବାରୁ ସ୍ଥାନୀୟଲୋକଙ୍କ ସନ୍ଦେହ ହୋଇଥିଲା । ତୁରନ୍ତ ଚୌଦ୍ୱାର ପୋଲିସକୁ ଏନେଇ ଖବର ଦିଆଯାଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଖା ଖୋଲିବାକୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଥିବାର ଦେଖିବାକୁ ମିଳିଥିଲା ।

ପୋଲିସ ଘଟଣାରେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ଲୋଡୁଛି । ସାଇଣ୍ଟିଫିକ୍‌ ଟିମ୍ ଆସିବା ତଦନ୍ତ କରିବା ପରେ ଘଟଣାସଂପର୍କରେ ଅଧିକ ତଥ୍ୟ ହସ୍ତଗତ ହେବ ବୋଲି ପୋଲିସ ଆଶା କରିଛି । ସେପଟେ କେହି ଦୁର୍ବୃତ୍ତ ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରି ଅଖାଭିତରେ ବାନ୍ଧି ଫିଙ୍ଗିଦେଇଥିବା ମଧ୍ୟ ସନ୍ଦେହ କରାଯାଉଛି । ତେବେ ଯେପର୍ଯ୍ୟନ୍ତ ପୋଲିସର ତଦନ୍ତ ସରିନାହିଁ, ସେପର୍ଯ୍ୟନ୍ତ କିଛି କହିବା ଉଚିତ୍‌ ହେବା ନାହିଁ । ପୋଲିସ ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.