"ଆଲ୍ଲାଙ୍କ ଆଦେଶ ଥିଲା ଯେ ପିତାଙ୍କୁ ଉପରକୁ ପଠାଇଦେବି" ଦୋଷ ସ୍ୱୀକାର କଲା ହତ୍ୟାକାରୀ ପୁଅ, ପବିତ୍ର ରମଜାନ ମାସରେ ମା'କୁ ବି କରିଥିଲା ହତ୍ୟା

Published By : Prameya-News7 Bureau | November 01, 2021 IST

ମାଧୋପୁର ୦୧/୧୧ : ରାଜସ୍ଥାନ ସବାଇ ମାଧୋପୁର ଜିଲ୍ଲା ଖନ୍ଦର ପୋଲିସ ଜଣେ ଯୁବକକୁ ନିଜ ପିତାଙ୍କ ହତ୍ୟା ମାମଲାରେ ଗିରଫ କରିଛି। ପୋଲିସ ଅନୁଯାୟୀ ଯୁବକ କହିଛି ଯେ, ସେ ଉପରବାଲାଙ୍କ ନିର୍ଦ୍ଦେଶରେ ନିଜ ପିତାଙ୍କୁ ହତ୍ୟା କରିଛି। ସେ କହିଛି ଯେ ତା ପିତା ଅସୁସ୍ଥ ଥିଲେ ଓ ବହୁତ କଷ୍ଟ ଭୋଗୁଥିଲେ। ସେଥିପାଇଁ ଆଲ୍ଲା ତାକୁ ନିର୍ଦ୍ଦେଶ ଦେଲେ ଯେ ସେ ନିଜ ପିତାଙ୍କୁ ତାଙ୍କ ପାଖକୁ ପଠାଇ ଦେବେ। ପଚରାଉଚୁରା ବେଳେ ଆଉ ଏକ ଆଚମ୍ବିତ ଖୁଲାସା ହୋଇଛି। ରମଜାନ ଭଳି ପବିତ୍ର ମାସରେ ଯୁବକ ନିଜ ମା'ଙ୍କୁ ମଧ୍ୟ ହତ୍ୟା କରିଥିଲା ବୋଲି ଜଣାପଡିଛି। କିନ୍ତୁ ସେତେବେଳେ ଘର ଲୋକ ମାମଲାକୁ ଚାପି ଦେଇଥିଲେ।

ପୋଲିସ ସୂଚନା ଅନୁଯାୟୀ, ମୃତକଙ୍କ ନାଁ ଇବ୍ରାହିମ। ସେ ଖନ୍ଦର ଥାନା ଅନ୍ତର୍ଗତ ଚାନ ଗାଁରେ ରହୁଥିଲେ। ଟାଇମ୍ସ ଅଫ ଇଣ୍ଡିଆ ଅନୁଯାୟୀ ମୃତକଙ୍କ ମୁଣ୍ଡରେ ଗଭୀର ଆଘାତ ଚିହ୍ନ ଥିଲା। ତାଙ୍କ ଅବସ୍ଥା ଦେଖି ଲାଗୁଥିଲା ତାଙ୍କୁ ବହୁତ ମାଡ ମରାଯାଇଥିଲା। ପୋଲିସ କହିଛି ଯେ ଇବ୍ରାହିମଙ୍କ ମୃତ୍ୟୁ ପରେ ସାନ ପୁଅ କୁତୁବୁଦ୍ଦିନର କାର୍ଯ୍ୟକଳାପ ସନ୍ଦେହ ଘେରରେ ଥିଲା। ସନ୍ଦେହ କରି ପୋଲିସ ତାକୁ ପଚରାଉଚୁରା କରିଥିଲା। ତାପରେ ସତ ସାମ୍ନାକୁ ଆସିଥିଲା। ସତ ଶୁଣି ସମସ୍ତେ ଚକିତ ହୋଇଯାଇଥିଲେ। ପୋଲିସ କହିଛି ଯେ ସେ ଆଗକୁ ବି ଯୋଜନା କରିଥିଲା। ପିତା ପରେ ସେ ନିଜ ଭାଉଜଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା।

ପୋଲିସ ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ଇବ୍ରାହିମ ଖାନ ଓ ତାଙ୍କ ପୁଅ ଗାଁ ମସଜିଦରେ ନମାଜ ପଢିଥିଲେ। ସେଠାରୁ ଫେରିବା ପରେ କୁତୁବୁଦ୍ଦିନ ପିତାଙ୍କୁ ପିଟିବା ଆରମ୍ଭ କରିଦେଇଥିଲା। ସେ ଭାବୁଥିଲା ଯେ ସେ ନିଜ ପିତାଙ୍କୁ ସ୍ୱର୍ଗକୁ ପଠାଉଛି। ଖନ୍ଦର ଥାନା ଏସଏଚଓ କହିଛନ୍ତି ଯେ ହତ୍ୟାକାରୀ ପୁଅର ମାନସିକ ସ୍ଥିତି ପୁରା ଠିକ ଅଛି। ସେ ନିଜ ପିତାଙ୍କ ହତ୍ୟାକୁ ଠିକ ବୋଲି କହୁଛି। ପଚରାଉଚୁରା ବେଳେ ସେ ପୋଲିସକୁ କହିଛି ଯେ ଏପ୍ରିଲ ମାସରେ ରମଜାନ ସମୟରେ ସେ ନିଜର ୬୫ ବର୍ଷୀୟ ମା' ହମିଦା ବାନୋଙ୍କୁ ମଧ୍ୟ ହତ୍ୟା କରିଥିଲା। ସେ କହିଛି ଯେ ଉପରବାଲାର ଆଦେଶ ମିଳିବା ପରେ ସେ ନିଜ ମା'କୁ ସ୍ୱର୍ଗକୁ ପଠାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.