ପୋତିବା ବଦଳରେ ପୋଡାଗଲା କରୋନା ପୀଡିତ ମୁସଲମାନଙ୍କ ଶବ, ବିବାଦ ହେଲା ତୀବ୍ର

Published By : Prameya-News7 Bureau | April 04, 2020 IST

କଲମ୍ବୋ ୪।୪: ଶ୍ରୀଲଙ୍କାରେ କରୋନା ଭାଇରସ୍ ସଂକ୍ରମିତ ଦୁଇ ମୁସଲମାନଙ୍କ ମୃତଦେହକୁ ଜବରଦସ୍ତି ଦାହ ସଂସ୍କାର କରିବା ପରେ ସଂଖ୍ୟାଲଘୁ ସମ୍ପ୍ରଦାୟରେ ଭୟ ବଢିଯାଇଛି । ଏହି ଭୟଙ୍କର ମହାମାରୀ ସମୟରେ ବରିଷ୍ଠ ଅଧିକାରୀମାନଙ୍କ ବିରୋଧରେ ଇସଲାମରେ ନିର୍ଦ୍ଦିଷ୍ଟ ସମାଧି ରୀତି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, କଲମ୍ବୋରେ ୭୩ ବର୍ଷ ବୟସ୍କ ବିଶରୁଫ ହାଫି ମହମ୍ମଦଙ୍କର କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ହୋଇଥିଲା । ଏ ହେଉଛନ୍ତି ସେହି ଦ୍ବିତୀୟ ବ୍ୟକ୍ତି ଯାହାଙ୍କର ଇସଲାମ୍ ଧର୍ମ ଅନୁସାରେ ଅନ୍ତିମସଂସ୍କାର କରାଯାଇନାହିଁ । ତାଙ୍କ ମୃତଦେହ ପୋତି ଦିଆଯିବା ପରିବର୍ତ୍ତେ ପୋଡି ଦିଆଯାଇଥିଲା ।

ଅଲ-ଜଜିରା ରିପୋର୍ଟ ଅନୁଯାୟୀ ମୃତକଙ୍କ ୪୬ ବର୍ଷ ବୟସ୍କ ପୁଅ ଫାୟାଜ ଜୁନୁସ କହିଛନ୍ତି ଯେ, ତାଙ୍କ ପିତା କିଡନୀ ରୋଗରେ ପୀଡିତ ଥିଲେ । ଦୁଇ ସପ୍ତାହ ପୂର୍ବରୁ କରୋନା ସେ ଭାଇରସ୍ ରେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଅପ୍ରେଲ ୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲେ ।

ଫାୟାଜ କହିଛନ୍ତି, ‘ମୋ ବାପାଙ୍କ ମୃତଦେହ ପୋଲିସ ଫୋର୍ସ ତତ୍ତ୍ବାବଧାନରେ ଏକ ଗାଡିରେ ନିଆଯାଇଥିଲା ଏବଂ ଦାହ କରାଯାଇଥିଲା । ଶବାଗାର ବାହାରେ ତାଙ୍କ ଆତ୍ମାର ଶାନ୍ତି ପାଇଁ ଆମେ ପ୍ରାର୍ଥନା କରିଥିଲୁ, କିନ୍ତୁ ମୁସଲମାନମାନେ ସାଧାରଣତଃ ଏହା କରନ୍ତିନାହିଁ ।’

ଅଲ-ଜଜିରାଙ୍କ ଉଦ୍ଦେଶ୍ୟରେ ଫାୟାଜ କହିଛନ୍ତି ଯେ, ଶ୍ରୀଲଙ୍କା ସରକାର ମୁସଲମାନମାନଙ୍କୁ ଇସଲାମିକ୍ ସମାଧି ରୀତିନୀତିରେ ନିଜ ପ୍ରିୟଜନଙ୍କୁ କବର ଦେବା ପାଇଁ ବ୍ୟବସ୍ଥା କରିବା ଉଚିତ୍ । ସେ କହିଛନ୍ତି, ‘ଯଦି ସମାଧି ବ୍ୟତୀତ ଅନ୍ୟ ଏକ ବିକଳ୍ପ ଅଛି, ତେବେ ସରକାର ସଂଶୋଧନ କରିବା ଉଚିତ୍ । ଶବଦାହ ଏକମାତ୍ର ବିକଳ୍ପ ନୁହେଁ । ଆମେ ଆମର ପ୍ରିୟ ଲୋକଙ୍କୁ ଇସଲାମିକ୍ ପ୍ରକ୍ରିୟାରେ ଶବ ସଂସ୍କାର କରିବାକୁ ଚାହୁଁଛୁ ।’

ଶ୍ରୀଲଙ୍କାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଭାଇରସରେ ମୃତ ବ୍ୟକ୍ତିଙ୍କ ଶେଷ ରୀତିନୀତି ପାଇଁ ମଙ୍ଗଳବାର ଦିନ ଏକ ନିର୍ଦ୍ଦେଶାବଳୀ ଜାରି କରିଥିଲେ ।ସେଥିରେ କୁହାଯାଇଥିଲା ଯେ କରୋନା ଭାଇରସରେ ମୃତ୍ୟୁ ହୋଇଥିବା ସମସ୍ତ ଲୋକଙ୍କ ମୃତଦେହକୁ ପୋଡି ଦିଆଯିବା ଆବଶ୍ୟକ । ଶବକୁ ଦାହରେ କରିବା ପୂର୍ବରୁ କିମ୍ବା କଫିନ୍‌ରେ ରଖିବା ପୂର୍ବରୁ ଗାଧୋଇବା ଉପରେ ମଧ୍ୟ ନିଷେଧାଦେଶ ରହିଥିଲା ।
ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ମୁସଲମାନ ସାମାଜିକ କର୍ମୀ ଏବଂ ନେତା ବିରୋଧ କରୁଛନ୍ତି । ସେମାନେ WHO ଉଦ୍ଦେଶ୍ୟରେ କହିଛନ୍ତି ଯେ ସଂକ୍ରମିତ ଲୋକଙ୍କ ମୃତଦେହକୁ ପୋଡା କିମ୍ବା ପୋତା ଯାଇପାରେ ।

ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କାରେ ଏପର୍ଯ୍ୟନ୍ତ ମୋଟ୍ ୧୫୯ ଲୋକ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ୨ ଜଣ ମୁସଲମାନ ସମ୍ପ୍ରଦାୟର ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.