ଇସ୍ରାଏଲ ବିରୋଧରେ ଜରୁରୀ ବୈଠକ ଡକାଇଲା ମୁସଲିମ ସଂଗଠନ, ଏକଜୁଟ୍ ହେବେ ୫୭ ଦେଶ

Published By : Prameya-News7 Bureau | May 14, 2021 IST

ନୂଆଦିଲ୍ଲୀ ୧୪।୦୫: ଇସ୍ରାଏଲ୍‌-ପାଲେଷ୍ଟାଇନ୍‌ ସଂଘର୍ଷ ଏବେ ବିଶ୍ଵର ସବୁଠୁ ବଡ ଚର୍ଚ୍ଚାର ବିଷୟ ପାଲଟିଛି। ଇସ୍ରାଏଲ ପ୍ରତି ଜବାବରେ ପାଲେଷ୍ଟାଇନ୍‌ ଉପରେ କରିଥିବା ଆକ୍ରମଣ ପରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଏହା ମଧ୍ୟରେ ମୁସଲିମ ଦେଶଗୁଡିକର ସଂଗଠନ ଅର୍ଗାନାଇଜେସନ ଅଫ ଇସଲାମିକ କର୍ପୋରେସନ(ଓଆଇସି) ମେ ୧୬ରେ ଇସ୍ରାଏଲ-ପାଲେଷ୍ଟାଇନ୍‌ ସଂଘର୍ଷ ଉପରେ ଇସଲାମିକ ଦେଶର ବୈଦେଶିକ ମନ୍ତ୍ରୀଙ୍କ ଜରୁରୀକାଳୀନ ବୈଠକ ଡକାଇଛି।

ଓଆଇସି ଟ୍ଵିଟ୍ କରି କହିଛି, ସାଉଦି ଆରବର ଅନୁରୋଧକ୍ରମେ ସଂଗଠନର କାର୍ଯ୍ୟକାରୀ କମିଟିର ସଦସ୍ୟଙ୍କ ବୈଦେଶିକ ମନ୍ତ୍ରିସ୍ତରୀୟ ବୈଠକ ମେ ୧୬ରେ ଡକାଯାଇଛି। ବୈଠକରେ ଜେରୁସେଲମରେ ଅଲ ଆକ୍ସା ମସଜିଦ୍‌ରେ ହୋଇଥିବା ହିଂସା ଓ ପାଲେଷ୍ଟାଇନ୍‌ ଅଞ୍ଚଳରେ ଇସ୍ରାଏଲର ଆକ୍ରମଣ ଉପରେ ଆଲୋଚନା କରାଯିବ।

{"id":452534,"sizeSlug":"large","linkDestination":"none"}

୫୭ ସଦସ୍ୟ ଇସଲାମିକ ଦେଶର ସଂଗଠନ ଓଆଇସି ପାଲେଷ୍ଟାଇନ୍ ବିରୋଧରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଥିବା ବେଳେ ସଂଗଠନର ମୁଖ୍ୟ ଇସଲାମିକ ଦେଶ ସାଉଦି ଆରବ ଅଲଗା ବୟାନ ଜାରି କରି ପାଲେଷ୍ଟାଇନ୍ ଉପରେ ଇସ୍ରାଏଲର ଆକ୍ରମଣକୁ ମଧ୍ୟ କଡା ନିନ୍ଦା କରିଥିଲା। ପୂର୍ବ ଜେରୁସେଲମରୁ ପାଲେଷ୍ଟାଇନ୍‌ବାସୀଙ୍କ ପରିବାରକୁ ବାହାର କରିବା ଇସ୍ରାଏଲର ଯୋଜନାକୁ ବିରୋଧ କରିବା ସହ ଇସ୍ରାଏଲ ନିରୀହ ପାଲେଷ୍ଟାଇନବାସୀଙ୍କ ଜୀବନ ନେବା ବନ୍ଦ କରୁ ବୋଲି ସାଉଦି ଆରବ କହିଥିଲା।

ପାଲେଷ୍ଟାଇନ୍‌ ଉପରେ ଇସ୍ରାଏଲର ଆକ୍ରମଣ ବିରୋଧରେ ମୁସଲିମ ଦେଶକୁ ଏକଜୁଟ୍ କରିବାରେ ତୁର୍କୀ ଓ ପାକିସ୍ତାନ ଅଧିକ ସକ୍ରିୟତା ଦେଖାଉଛନ୍ତି। ତୁର୍କୀ ସ୍ପଷ୍ଟ ଶବ୍ଦରେ କହିଛି, ମୁସଲିମ ଦେଶଗୁଡିକୁ ଇସ୍ରାଏଲ ବିରୋଧରେ ଏକଜୁଟ ହେବାକୁ ପଡିବ ଏବଂ କଡା ଆଭିମୁଖ୍ୟ ନେବାକୁ ପଡିବ। ମୁସଲିମ ସମୁଦାୟକୁ ଇସ୍ରାଏଲ ବିରୋଧରେ ସ୍ପଷ୍ଟ ନିଷ୍ପତ୍ତି ନେବା ଉଚିତ୍ ବୋଲି ତୁର୍କୀ କହିଛି।

{"id":452535,"sizeSlug":"large","linkDestination":"none"}

ଜେରୁସେଲମରେ ଗତ ମେ ୧୦ରେ ଜାରି ସଂଘର୍ଷରେ ୫୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି। ଗାଜା ପଟ୍ଟିରୁ ହମାସ ଆତଙ୍କୀ ସଂଗଠନ ଇସ୍ରାଏଲ ଉପରେ କ୍ରମାଗତ ରକେଟ୍‌ ମାଡ କରୁଥିବାରୁ ଇସ୍ରାଏଲ ମଧ୍ୟ ପ୍ରତି ଜବାବ ଦେଉଛି। ଇସ୍ରାଏଲ ଏବେ ଗାଜାରେ ସେନା ଓ ଟ୍ୟାଙ୍କ ମୁତୟନ କରୁଛି। ଏଥିରେ ହମାସର ଅଧିକ କ୍ଷତି ଘଟୁଛି।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହେମୁଦ କୁରେସୀ ୟୁରୋପର ମୁସଲମାନ ସମୁଦାୟଙ୍କୁ ଇସ୍ରାଏଲ ବିରୋଧରେ ଏକଜୁଟ ହେବାକୁ ଅପିଲ୍ କରିଛନ୍ତି। ପାଲେଷ୍ଟାଇନ୍‌ ସମର୍ଥନରେ ଏବଂ ଇସ୍ରାଏଲ ବିରୋଧରେ ଆଗକୁ ଆସିବାକୁ ଅପିଲ୍ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.