ହିନ୍ଦୁ ପ୍ରେମିକାକୁ ମିଛ କହି ଫସାଇଥିଲା ମୁସଲିମ୍ ଯୁବକ,ସତ ଧରାପଡ଼ିଯିବାରୁ ତଣ୍ଟି ଚିପି ମାରି ଦେଲା: ବର୍ଷେ ପରେ ଧରା ପଡ଼ିଲା ଛଦ୍ମବେଶୀ

Published By : Prameya-News7 Bureau | June 02, 2020 IST

ମିରଟ ୨/୬: ୟୁପିର ମିରଟ ପୋଲିସ୍ ମିଳିଥିବା ମୁଣ୍ଡବିହୀନ ଶବର ବର୍ଷେ ପରେ ଖୁଲାସା କରିଛି। ପୋଲିସର କହିବା ଅନୁସାରେ ପଞ୍ଜାବର ଲୁଧିୟାନାର ବି.କମ୍ ଛାତ୍ରୀଙ୍କୁ ମିରଟର ଶାକିବ ନାମକ ମୁସଲିମ୍ ଯୁବକ ହିନ୍ଦୁ ହୋଇ ନିଜ ପ୍ରେମଜାଲରେ ଫସାଇଥିଲା। ଛାତ୍ରୀ ଯୁବକର ମାୟାଜାଲରେ ପଡ଼ି ଘରୁ ୨୫ଲକ୍ଷ ଟଙ୍କାର ସୁନାଗହଣା ନେଇ ଫେରାର ହୋଇ ଯାଇଥିଲା। ମିରଟରେ ଶାକିବର ଅସଲ ରୂପ ସାମନାକୁ ଆସିଯାଇଥିଲା। ଏହା ପରେ ଶାକିବ ଗହଣା ଲୁଟିବା ପାଇଁ ଛାତ୍ରୀଙ୍କୁ ହତ୍ୟା କରିଥିଲା। ପୋଲିସ୍ ବର୍ଷେ ପରେ ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟ ୩/୪ଜଣ ଯୁବକ ମଧ୍ୟ ପୋଲିସ୍ ହେପାଜତରେ ଅଛନ୍ତି।

୨୦୧୯ମସିହା ଜୁନ୍ ୧୩ତାରିଖରେ ଲୋଇୟା ଗାଁରେ ସବି ଅହମଦଙ୍କ କ୍ଷେତରେ ଜଣେ ପଡ଼ୋଶୀ କୁକୁରକୁ ମଣିଷର ଗୋଟିଏ ହାତ ମୁହଁରେ ଧରି ଦୌଡ଼ୁଥିବାର ଦେଖିଥିଲେ। ଗହମ କ୍ଷେତ ଖୋଳାଯିବାରୁ ସେଠାରୁ ଜଣେ ଯୁବତୀଙ୍କ ଶବ ଉଦ୍ଧାର ହୋଇଥିଲା। ତାଙ୍କର ମୁଣ୍ଡ ଏବଂ ଗୋଟିଏ ହାତ ଗାୟବ ଥିଲା। ଯୁବତୀଙ୍କ ପରିଚୟ ମିଳିନଥିଲା। ପୋଲିସ୍ ଏହି ମାମଲାରେ ଅଜ୍ଞାତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।

ଏହି ମାମଲାରେ ଜିଲ୍ଲା କ୍ରାଇମ୍ ରେକର୍ଡ଼ ବ୍ୟୁରୋ ଏବଂ ଷ୍ଟେଟ୍ କ୍ରାଇମ୍ ରେକର୍ଡ଼ ବ୍ୟୁରୋରେ ନିଖୋଜ ମାମଲା ଦେଖାଯାଇଥିଲା,କିନ୍ତୁ କୌଣସି ସଫଳତା ମିଳିନଥିଲା। ଲୋଇଆ ଗାଁର କିଏ କିଏ ବାହାରେ କାମ କରନ୍ତି ଏହା ପତ୍ତା ଲଗାଇବା ପାଇଁ ପୋଲିସର ଏକ ଟିମକୁ କାମରେ ଲଗାଯାଇଥିଲା । ​‌ଶେଷରେ ପଞ୍ଜାବକୁ ଯାଇ ପୋଲିସକୁ ସଫଳତା ମିଳିଥିଲା। ବର୍ଷେ ପରିଶ୍ରମ କରିବା ପରେ ପୋଲିସ୍ ଶେଷରେ ନିଖୋଜ ଯୁବତୀ ବିଷୟରେ ପତ୍ତା ଲଗାଇଥିଲା। ନିଖୋଜ ଯୁବତୀ ଲୁଧିୟାନାର ମୋତି ନଗର ଥାନା ଅଞ୍ଚଳର ୨୩ବର୍ଷ ବୟସ୍କା ବାସିନ୍ଦା ବୋଲି ଜଣା ପଡ଼ିଥିଲା।

ଯୁବତୀ ବି.କମ୍ ଛାତ୍ରୀ ଥିଲେ। ମିରଟର ଲୋଇଆ ଗାଁର ଶାକିବ ସେଠାରେ ଚାକିରୀ କରୁଥିଲା। ସେ ସେଠାରେ ତା’ ନାଁ ଅମନ ବୋଲି ସମସ୍ତଙ୍କୁ କହିଥିଲା। ଶାକିବ ଓରଫ ଅମନ ଯୁବତୀଙ୍କୁ ପ୍ରେମଜାଲରେ ଫସାଇଥିଲା। ମେ ମାସରେ ଉଭୟେ ଲୁଧିୟାନାରୁ ଫେରାର ହୋଇଯାଇଥିଲେ। ଯୁବତୀ ନିଜ ସହ ପାଖାପାଖି ୨୫ଲକ୍ଷ ଟଙ୍କାର ଗହଣା ନେଇ ଆସିଥିଲେ। ଦୁହେଁ ପାଖାପାଖି ମାସେ ଯାଏଁ ଦୌରାଲାରେ ଭଡ଼ାଘରେ ରହୁଥିଲେ। ଗତ ବର୍ଷ ଇଦରେ ଶାକିବ ତାଙ୍କୁ ନିଜ ଘରକୁ ନେଇଥିଲା। ସେଠାରେ ଛାତ୍ରୀଙ୍କୁ ଜଣା ପଡ଼ିଥିଲା ଯେ ସେ ଅମନ ନୁହେଁ ବରଂ ଶାକିବ।

ସତ କଥା ଜଣା ପଡ଼ିଯିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଶାକିବ ତାଙ୍କୁ ବୁଲାଇବାକୁ ନେଇ ଯିବା ବାହାନାରେ ଘରୁ ନେଇ ଆସିଥିଲା। ଇଦ୍ ଦିନ ରାତି ୯ଟାରେ ଶାକିବ କୋଲ୍ଡ ଡ୍ରିଙ୍କରେ ନିଶା ଦ୍ରବ୍ୟ ମିଶାଇ ଛାତ୍ରୀଙ୍କୁ ପିଆଇ ଦେଇଥିଲା। ଏହା ପରେ ଛାତ୍ରୀ ବେହୋସ୍ ହୋଇ ଯାଇଥିଲେ। ଏହା ପରେ ତାଙ୍କୁ କ୍ଷେତକୁ ନେଇ ଯାଇ ଗଳା କାଟି ହତ୍ୟା କରିଥିଲା। ପରିଚୟ ଲୁଚାଇବା ପାଇଁ ସେ ଛାତ୍ରୀଙ୍କ ମୁଣ୍ଡ ଏବଂ ହାତକୁ କାଟି ଫିଙ୍ଗି ଦେଇଥିଲା।

ଏହି ଘଟଣାରେ ଅନ୍ୟ ଯୁବକମାନେ ମଧ୍ୟ ସାମିଲ ହୋଇ ଥାଇପାରନ୍ତି ବୋଲି ପୋଲିସ୍ ସନ୍ଦେହ କରୁଛି। ବର୍ତ୍ତମାନ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ଶାକିବକୁ ଗିରଫ କରିଛି। ତା’ର ପରିବାରର ୩/୪ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ୍ ପଚରାଉଚୁରା ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.