ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ବନରାଜ ଭାଟିଆଙ୍କ ପରଲୋକ

Published By : Prameya-News7 Bureau | May 07, 2021 IST

ମୁମ୍ବାଇ ୭।୫: ବଲିଉଡର ଅନେକ ପ୍ରସିଦ୍ଧ ଚଳଚ୍ଚିତ୍ର, ଟିଭି ସିରିଏଲ୍ ଏବଂ ବିଜ୍ଞାପନ ପାଇଁ ସଂଗୀତ ରଚନା କରିଥିବା ଜାତୀୟ ପୁରସ୍କାର ପାଇଥିବା ସଂଗୀତ ନିର୍ଦ୍ଦେଶକ ବନରାଜ ଭାଟିଆଙ୍କ ପରଲୋକ । ଶୁକ୍ରବାର ଦିନ ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ବନରାଜଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ବୃଦ୍ଧାବସ୍ଥା ହେତୁ ସେ ଦୀର୍ଘ ଦିନ ଧରି ସେ ରୋଗରେ ପୀଡିତ ଥିଲେ । ବନରାଜ ମୁମ୍ବାଇରେ ଏକାକୀ ରହୁଥିଲେ ।

୧୯୨୭ ମସିହା ମେ’ ୩୧ ତାରିଖରେ ଜନ୍ମ ହୋଇଥିବା ବନରାଜ ଭାଟିଆ ଲଣ୍ଡନର ରୟାଲ ଏକାଡେମୀ ଅଫ୍ ମ୍ୟୁଜିକ୍ ରୁ ସଙ୍ଗୀତ ଅଧ୍ୟୟନ କରିଥିଲେ । ସେ ୧୯୫୯ ମସିହାରେ ଭାରତକୁ ଫେରିଆସିଥିଲେ । ପରେ ସେ ଏଠାରେ କାମ କରିବା ଆରମ୍ଭ କରିଥିଲେ । ବନରାଜ ପ୍ରଥମେ ବିଜ୍ଞାପନର ଜିଙ୍ଗଲ୍ ତିଆରି କରିବା ଆରମ୍ଭ କରିଥିଲେ । ଏହାପରେ ସେ ୧୯୭୨ ମସିହାରେ ଶ୍ୟାମ ବେନେଗଲଙ୍କ ଫିଲ୍ମ ‘ଅଙ୍କୁର’ର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ଦେଇଥିଲେ । ଏହାପରେ ସେ ଶ୍ୟାମ ବେନେଗଲଙ୍କ ସହ ଭୂମିକା, ସରଦାରୀ ବେଗମ୍ ଏବଂ ହରି-ଭାରି ଭଳି ୧୬ଟି ଚଳଚ୍ଚିତ୍ରରେ କାମ କରିଥିଲେ ।

ବନରାଜଙ୍କର ଓ୍ବେଷ୍ଟର୍ଣ୍ଣ ସହ ହିନ୍ଦୁସ୍ତାନୀ ସଙ୍ଗୀତ ବିଷୟରେ ଜ୍ଞାନ ଥିଲା । ସେ ପ୍ରାୟ ୭ ହଜାର ବିଜ୍ଞାପନର ଜିଙ୍ଗଲକୁ ସଙ୍ଗୀତ ଦେଇଥିଲେ । ସେ ଜାନେ ଭି ଦୋ ୟାରୋ, ପେଷ୍ଟୋନଜୀ, ତରଙ୍ଗ, ପର୍ସି, ଦ୍ରୋହ କାଲ ଭଳି ଚଲଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେବା ବ୍ୟତୀତ ଅଜୁବା, ବେଟା, ଦାମିନୀ, ଘାତକ, ପରଦେଶ, ଚମେଲୀ ଭଳି ଚଳଚ୍ଚିତ୍ର ପାଇଁ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ଦେଇଥିଲେ । ଏହା ବ୍ୟତୀତ ବନରାଜ ଖାନଦାନ, ତମସ, ୱାଗଲେ କି ଦୁନିୟା, ନକାବ, ଲାଇଫ୍ ଲାଇନ୍, ଭାରତ - ଏକ୍ ଖୋଜ୍ ଏବଂ ବନେଗୀ ଆପନୀ ବାତ୍ ଭଳି ଟିଭି ସିରିଏଲରେ ମଧ୍ୟ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ।

ବନରାଜ ଭାଟିଆଙ୍କୁ ଗୋବିନ୍ଦ ନିହଲାନୀଙ୍କ ‘ତମସ୍’ ପାଇଁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ତାଙ୍କୁ ୧୯୮୯ ମସିହାରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ୨୦୧୨ରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.