ଭାରତର ଜୋରଦାର ଝଟକା: ଜିନପିଙ୍ଗଙ୍କ ସିଂହାସନ ଉପରେ ଝୁଲିଲା ଖଣ୍ଡା !
5/07/2020 at 4:42 PM

ନୂଆଦିଲ୍ଲୀ ୦୫।୦୭: ଆମେରିକା ସହିତ ବାଣିଜ୍ୟ ଲଢେଇ ଏବଂ କରୋନା କାରଣରୁ ଚୀନର ଆର୍ଥିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ଏମିତି ସମୟରେ ଚୀନ ପଡୋଶୀ ଦେଶକୁ ସୈନ୍ୟ ଶକ୍ତି କିମ୍ବା ବାଣିଜ୍ୟର ଧମକ ଦେଖାଇବାକୁ ଉଦ୍ୟମ କରୁଛି। ବିଶେଷଜ୍ଞଙ୍କ ଅନୁଯାୟୀ ଚୀନୀ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ରାଜନୈତିକ ଓ କୂଟନୈତିକ କ୍ଷମତା ଦୁର୍ବଳ ହେବାରେ ଲାଗିଛି। ଏବେ ତାଙ୍କୁ ବଡ ଝଟକା ଲାଗିଛି। ଭାରତର ପ୍ରତି ଜବାବ କାର୍ଯ୍ୟାନୁଷ୍ଠାନରେ ଚୀନର ସୁପ୍ରିମ ଲିଡର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କମ୍ୟୁନିଷ୍ଟ ପାର୍ଟି ଉପରେ ସିଙ୍କ ପୂର୍ବପରି ପ୍ରଭାବଶାଳୀ ନିୟନ୍ତ୍ରଣ ଥିବା ନଜର ଆସୁନାହିଁ। ଏଥର କେବଳ ଚୀନର ଅବସ୍ଥା ଖରାପ ହେଉ ନାହିଁ ବରଂ ରାଷ୍ଟ୍ରପତିଙ୍କ ହାତରୁ ସ୍ଥିତି ଖସିବାରେ ଲାଗିଛି। ୨୦୧୫-୧୬ ସ୍ଲୋଡାଉନ୍ରେ ଚୀନୀ ରାଷ୍ଟ୍ରପତିଙ୍କ ଛବି ଉପରେ କୌଣସି ପ୍ରଭାବ ପଡିନଥିଲା ମାତ୍ର ବର୍ତ୍ତମାନର ଜଟିଳ ପରିସ୍ଥିତି ଜିନପିଙ୍ଗ୍ଙ୍କ ଉପରେ ଭାରି ପଡିଛି। ସ୍ଲୋଡାଉନ୍ ସମୟରେ ରାଷ୍ଟ୍ରପତିଙ୍କୁ ସ୍ଥିତି ସମ୍ଭାଳିବାକୁ ବେଶି ପରିଶ୍ରମ କରିବାକୁ ପଡିନଥିଲା। ମାତ୍ର ଏବେ ନିଜର ଚେହେରା ବଞ୍ଚାଇବା ଜିନପିଙ୍ଗଙ୍କ କ୍ଷେତ୍ରରେ ମୁସ୍କିଲ ହୋଇ ପଡିଛି।

ଆର୍ଥିକ ମାନ୍ଦାବସ୍ଥାର ସାମ୍ନା କରୁଥିବା ଚୀନକୁ ଏଥର ପାଶ୍ଚାତ୍ୟ ଦେଶଗୁଡିକ ପକ୍ଷରୁ ମଧ୍ୟ ବିରୋଧର ସାମ୍ନା କରିବାକୁ ପଡିଛି। ଖାସ୍ କରି ସେହି ଦେଶମାନେ ଏବେ ଚୀନକୁ ବିରୋଧ କରିବା ଆରମ୍ଭ କରିଛନ୍ତି ଯେଉଁମାନେ କିଛି ମାସ ପୂର୍ବେ ଚୀନ ସହିତ ଥିଲେ। ଅନ୍ୟପକ୍ଷେ କରୋନା କାରଣରୁ ଚୀନର ଛବି ବିଶ୍ଵ ଦରବାରରେ ମଳିନ ପଡିଛି। ଚୀନ୍ର ଲୋକ ସର୍ବଦା ପାଠପଢା କିମ୍ବା ପର୍ଯ୍ୟଟନ ପାଇଁ ପାଶ୍ଚାତ୍ୟ ଦେଶ ଅଭିମୁଖେ ମୁହାଁଉଥିଲେ। ଏବେ ସ୍ଥିତି ଅସମ୍ଭାଳ ଥିବାରୁ ନିଜ ଦେଶରେ ରହିବାକୁ ସେମାନେ ବିବଶ ହୋଇଛନ୍ତି।
BRI ପ୍ରୋଜେକ୍ଟକୁ ଲାଗିଛି ଝଟକା
ସି ଜିନପିଙ୍ଗଙ୍କ ଅତି ମହତ୍ଵାକାଂକ୍ଷୀ ପ୍ରକଳ୍ପ ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍(BRI)କୁ ମଧ୍ୟ ଜୋରଦାର ଝଟକା ଲାଗିଛି। ଏହି ପ୍ରକଳ୍ପ ମାଧ୍ୟମରେ ଜିନପିଙ୍ଗ ନିଜର ରାଜନୈତିକ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଥିଲେ। ଚୀନ ଉପରେ ଏହା ମଧ୍ୟ ଆରୋପ ଲାଗିଛି ଯେ, ସେ କରୋନା ଭାଇରସ୍ ବିଷୟରେ ସମଗ୍ର ଦୁନିଆକୁ ଅନ୍ଧାରରେ ରଖିଥିଲା ଏବଂ ସୂଚନା ଦେଇନଥିଲା। ଏହି କାରଣରୁ ପୂରା ବିଶ୍ଵରେ କରୋନା ବ୍ୟାପିଗଲା। ଏବେ ବିଆରଆଇ ପ୍ରକଳ୍ପରେ ଜଡିତ ଥିବା ଅନେକ ଦେଶ ଏହାର ବିରୋଧ କରୁଛନ୍ତି।
ଏହା ସ୍ପଷ୍ଟ ଯେ, ଚୀନ ନିଜର ଶକ୍ତି ବଳରେ ପଡୋଶୀ ଦେଶକୁ ଧମକାଇବାକୁ ଚାହୁଁଛି ଏବଂ କବ୍ଜା କରିବାକୁ ଚାହୁଁଛି। ମାତ୍ର ପୂର୍ବ ଲଦାଖରେ ଭାରତ ଏମିତି ଜବାବ ଦେବ ଡ୍ରାଗନ କେବେ ସ୍ଵପ୍ନରେ ଭାବିନଥିଲା। ଚୀନ ସମୁଦ୍ରରେ ମଧ୍ୟ ନିଜର ମନମୁଖୀ କାର୍ଯ୍ୟ ଚଳାଇଛି। ଦକ୍ଷିଣ ଚୀନ ସାଗରକୁ ନିଜର ବୋଲି ଦାବି କରୁଛି। ଫଳରେ ଜାପାନ ସମେତ ଅନେକ ଦେଶ ଜଳପଥ ଆଇନ୍ର ପାଳନ କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି।
ହଂକଂରେ ଲଗାଯାଇଥିବା ପ୍ରତିବନ୍ଧକ କାରଣରୁ ଜିନପିଙ୍ଗଙ୍କୁ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡିଛି। ଅଳ୍ପ ସମୟ ପାଇଁ ରାଷ୍ଟ୍ରବାଦର ଜ୍ଵାଳା ତାଙ୍କୁ ବଞ୍ଚାଇ ରଖିବାକୁ ସଫଳ ହୋଇପାରେ ମାତ୍ର ଲମ୍ବା ସମୟ ପାଇଁ ଏହା ସହଜ ନୁହେଁ। ସଂପ୍ରତି ଜିନପିଙ୍ଗ୍ଙ୍କ ପାଇଁ ଲୋକଙ୍କ ନଜରରେ ପାର୍ଟିର ପ୍ରଭାବ ବଞ୍ଚାଇବା ରଖିବା ବହୁତ ବଡ ଚ୍ୟାଲେଞ୍ଜ।