ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟଣାରେ ଛନ୍ଦି ହୋଇପଡିଛନ୍ତି ପାଟଣାଗଡ଼ ବିଧାୟକ, ଆଦିବାସୀ ସଂଘର ଏତଲା ଗ୍ରହଣ କଲାନି ପୁଲିସ

Published By : Prameya-News7 Bureau | January 08, 2021 IST

ପାଟଣାଗଡ ୦୮।୦୧: ପୁଣି ଚର୍ଚ୍ଚାରେ ପାଟଣାଗଡ଼ ବିଧାୟକ । କିଛି ବର୍ଷ ତଳେ ଜଣେ ଆଦିବାସୀ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରି ଚର୍ଚ୍ଚାକୁ ଆସିଥିଲେ ପାଟଣାଗଡ଼ ବିଧାୟକ । ଏବେ ପୁଣି ଆସଛନ୍ତି ବିବାଦକୁ । ବିଧାୟକ ଶ୍ରୀ ସରୋଜ ମେହେରଙ୍କ ଘରେ ନିର୍ମାଣ କାର୍ଯ୍ୟ ଚାଲୁଥିଲେ । ଏହି କାମରେ ନିୟୋଜିତ ଆଦିବାସୀ ସଂପ୍ରଦାୟର ଜଣେ ରାଜମିସ୍ତ୍ରୀ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଯାଇଛି। ମୃତ ରାଜମିସ୍ତ୍ରୀ ଚଙ୍ଗରିଆ ଗ୍ରାମର ଡିଙ୍ଗର ବରିହା । ରାଜମିସ୍ତ୍ରୀଙ୍କ ମୃତ୍ୟୁକୁ କେନ୍ଦ୍ରକରି ବିବାଦ ଦେଖାଦେଇଛି ।

ଅନ୍ୟପଟେ ଘଟଣା ପରେ ମୃତକଙ୍କ ସାନପୁଅ ଥାନାକୁ ଯାଇ ଘଟଣାରେ କେହି ଦୋଷୀ ନାହାନ୍ତି ବୋଲି ସ୍ୱୀକାର କରିଛନ୍ତି । ଏକଥା ପ୍ରଘଟ ହେବା ପରେ ବିବାଦ ଆହୁରୀ ବଢିଥିଲା । ସ୍ଥାନୀୟ ଆଦିବାସୀ ସଂଘ ଘଟଣାରେ ହସ୍ତକ୍ଷେପ କରିଛି । ସଂଘ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୁଲିସ ଅଭିଯୋଗକୁ ତାହାକୁ ଗ୍ରହଣ କରିନାହିଁ । ମୃତକଙ୍କ ପରିବାରକୁ ଚାପଗ୍ରସ୍ତ କରାଯାଇ ଲେଖାଇ ନିଆଯାଇଛି । କ୍ଷମତା ଆଗରେ ପୁଲିସ ହାତ ଚୁପ୍‌ ରହି ମାମଲା ଚପାଇବାକୁ ଉଦ୍ୟମ କରୁଛି ବୋଲି ସଂଘ ଦାବି କରିଛି ।  

ଖବର ଅନୁୟାୟୀ, ପାଟଣାଗଡ଼ ବରମ୍‌ପୁରା ଛକସ୍ଥିତ ବିଧାୟକ ଶ୍ରୀ ମେହେରଙ୍କ ଘର ନିର୍ମାଣ କାମ ଚାଲିଥିଲା। ଘରର ଉପରମହଲାରେ ପ୍ଲାଷ୍ଟର ଚାଲିଥିବା ବେଳେ ନିକଟ ଦେଇ ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସି ରାଜମିସ୍ତ୍ରୀ ଡିଙ୍ଗରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ବିଦ୍ୟୁତ ତାର ପାଖରେ କାମ ଚାଲୁଥିବାରୁ କୌଣସି କୌଣସି ସତର୍କତାମୂଳକ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ମୃତ ଡିଙ୍ଗରଙ୍କ ସ୍ତ୍ରୀ ରମା ବରିହା (୪୫), ପୁଅ କାନ୍ତ(୨୫), ରାଧାକାନ୍ତ (୨୩), ଦେବାଶିଷ (୧୯), ଯୁବରାଜ(୧୮) ଏବଂ ଝିଅ ଶିବାନୀ(୧୩) ଘଟଣା ପରେ କୁଆଡ଼େ ଚାଲିଯାଇଛନ୍ତି । ଏହା ପରେ ମୃତ ଡିଙ୍ଗରଙ୍କ ସାନପୁଅ ଯୁବରାଜ ବରିହା ବାପାଙ୍କ ମୃତ୍ୟୁରେ କାହାର ଦୋଷ ନାହିଁ ବୋଲି ପାଟଣାଗଡ଼ ଥାନାରେ ଲିଖିତ ଭାବେ ଜଣାଇଥିଲେ । ତାଙ୍କ ପୁଅ ଲିଖିତ ଦେବା ପରେ ତାଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.