ନିଖୋଜର ୩ ଦିନ ପରେ ମିଳିଲା ଠିକାଦାରଙ୍କ ମୃତଦେହ, ନଦୀ ପଠାରେ ସ୍କୁଟି-ସୁଇସାଇଡ଼ ନୋଟ ରଖି ନିଖୋଜ ଥିଲେ ମନୋରଞ୍ଜନ

Published By : Prameya-News7 Bureau | September 15, 2020 IST

ଜଗତସିଂହପୁର ୧୫।୦୯: ତିନି ଦିନ ପରେ ମିଳିଲା ନିଖୋଜ ଠିକାଦାର ମନୋରଞ୍ଜନ ରାଉତଙ୍କ ମୃତ ଦେହ । ଜଗତସିଂହପୁର ମୂଷାଡିଆ ନିକଟସ୍ଥ ମହାନଦୀରୁ ଉଦ୍ଧାର ହେଲା ମୃତ ଦେହ । ଗତ ୧୨ ତାରିଖ ଦିନ ଅଳସୁଧାନିପୁର ଗାଁର ଠିକାଦାର ମନୋରଞ୍ଜନ ରାଉତ ତାରପୁର ନିକଟରେ ନଦୀ ପଠାରେ ସ୍କୁଟି ସହ ଏକ ସୁଇସାଇଡ଼ ନୋଟ ରଖି ନଦୀକୁ ଡେଇଁ ନିଖୋଜ ହୋଇ ଯାଇଥିଲେ । ସୁଇସାଇଡ଼ ନୋଟରେ ତାଙ୍କ ମୃତ୍ୟୁ ପାଇଁ ୩ ଜଣ ବ୍ୟକ୍ତିଙ୍କୁ ଦାୟୀ କରିଥିଲେ ।

ତିନି ଜଣ ଯୁବକ ବୀର ବଲ୍ଲଭପୁରର ସ୍ମୃତି ରଂଜନ ରାଉଳ,  ଅଳସୁଧା ଗାଁର ତ୍ରିଲୋଚନ ସ୍ବାଇଁ ଓ ନିପୁର ଗାଁର ସୁଧୀର ସାହାଣୀ ଠିକାଦାରୀ କାମ କରିବା ପାଇଁ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ଧାର ନେଇଥିଲେ । ତେବେ ଗତ ୧୦ ତାରିଖରେ ମନୋରଞ୍ଜନ ଧାର ଦେଇଥିବା ସମ୍ପୃକ୍ତ ଯୁବକଙ୍କୁ ପଇସା  ଫେରସ୍ତ ମାଗିବାରୁ ସେମାନେ ମାରଣାସ୍ତ୍ର ଧରି ଧମକ ଦେଇଥିଲେ । ପରଦିନ ସକାଳୁ ମନୋରଞ୍ଜନ ଘରୁ ନିଖୋଜ ହୋଇ ଯାଇ  ଆଉ ଘରକୁ ଫେରିନଥିଲେ ।

ଘର ଲୋକ ଖୋଜାଖୋଜି କରିବା ପରେ ତାଙ୍କର ସ୍କୁଟି ତାରପୁର ନିକଟ ମହାନଦୀ ପଠାରେ ଥିବା ଖବର ପାଇଥିଲେ । ଦୁଇ ଦିନ ମାନସିକ ବିଷାଦ ଭିତରେ ରହି ନଦୀକୁ ଡେଇଁ ମନୋରଞ୍ଜନ ଆତ୍ମହତ୍ୟା କରିଛନ୍ତି କିମ୍ବା ସମ୍ପୃକ୍ତ ଯୁବକମାନେ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥାଇ ପାରନ୍ତି ବୋଲି ତାଙ୍କ ସ୍ତ୍ରୀ ସନ୍ଦେହ କରି ଅଭିଯୋଗ କରିଥିଲେ । ତାଙ୍କର ମୃତ୍ୟୁ ପାଇଁ ତାଙ୍କୁ ଗାଳିଗୁଲଜ କରିଥିବା ଯୁବକମାନେ ଦାୟୀ ବୋଲି ସେ କହିବା ସହ ଏ ବାବଦରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.