ଆମ୍ବତୋଟାରୁ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା…
10/06/2020 at 1:19 PM

ଆନନ୍ଦପୁର ୧୦।୦୬: ଗଛରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଖଡିପାଳ ଗାଁ ଫୁଲବାହାଳି ସାହି ନିକଟ ଏକ ଆମ୍ବ ତୋଟାରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଜଳିପଦା ଗାଁର ବାବୁଲା ନାୟକଙ୍କ ପୁଅ ଜିତେନ୍ଦ୍ର ବୋଲି ଜଣାପଡିଛି । ସେ ୯ମ ଶ୍ରେଣୀ ପାଠ ପଢୁଥିଲେ ।

ସୂଚନାଯୋଗ୍ୟ ଯେ, ଜିତେନ୍ଦ୍ର ଗତ କିଛିବର୍ଷ ହେବ ଖଡିପାଳ ଠାରେ ନିଜ ଭଉଣୀ ଘରେ ରହି ସ୍ଥାନୀୟ ସ୍କୁଲରେ ପାଠ ପଢୁଥିଲେ । ଗତକାଲି ରାତିରେ ଘରେ ଖାଇ ସାରି ଶୋଇଥିଲେ । କିନ୍ତୁ ଆଜି ସକାଳୁ ତାଙ୍କ ମୃତଦେହ ଗାଁ ନିକଟରେ ଥିବା ଆମ୍ବତୋଟାରୁ ମିଳିଛି । ଆମ୍ବତୋଟାର ଏକ ଗଛରେ ଝୁଲୁଥିବା ଅବସ୍ଥାରେ ସ୍ଥାନୀୟଲୋକେ ଦେଖି ପରିବାରକୁ ଖବର ଦେଇଥିଲେ । ନିଜ ପିନ୍ଧା ଗଞ୍ଜିକୁ ବେକରେ ରଶି କରି ଜିତେନ୍ଦ୍ର ଆତ୍ମହତ୍ୟା କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କୈଣସି ସଠିକ୍ କାରଣ ଜଣାପଡି ନାହିଁ । ଖବରପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବଦ କରିବା ସହ ତଦନ୍ତ ଜାରି ରଖିଛି ।