ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ହତ୍ୟା ଧମକ : ଜାଣନ୍ତୁ କିଏ ଓ କାହିଁକି କରିଛି ଏମିତି

Published By : Prameya-News7 Bureau | October 13, 2018 IST

ନୂଆଦିଲ୍ଲୀ ୧୩/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ପୁଣି ହତ୍ୟା ଧମକ ମିଳିଛି | ଦିଲ୍ଲୀ ପୋଲିସ କମିଶନରଙ୍କୁ ଇ-ମେଲ ଯୋଗେ ଏହି ଧମକ ଆସିଛି | ଗୋଟିଏ ଧାଡିର ଏହି ଇ-ମେଲରେ ମୋଦିଙ୍କୁ ଜୀବନରେ ମାରିଦେବା ପାଇଁ କୁହାଯାଇଛି | ଏମିତି କି କୋଉ ମାସ କୋଉ ସମୟରେ ହତ୍ୟା କରାଯିବ ତାହା ସୂଚନା ମଧ୍ୟ ରହିଛି | ଏଭଳି ଏକ ମେଲ ପାଇବା ପରେ ଦିଲ୍ଲୀ ପୋଲିସ ସଜାଗ ହୋଇ ଉଠିଛି | ତୁରନ୍ତ ଉଚ୍ଚ ସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି | ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଇ-ମେଲ ଟି ଆସାମ ରାଜ୍ୟରୁ ପଠାଯାଇଛି | ତେବେ ଆସାମ ରାଜ୍ୟର କେଉଁ ଜିଲ୍ଲାରୁ କିଏ ପଠେଇଛି ସେ ନେଇ ଅଧିକ ତଦନ୍ତ ଜାରି ରହିଛି | ଏହି ମେଲ ମିଳିଲା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି | ପ୍ରଧାନମନ୍ତ୍ରୀଙ୍କୁ ନକ୍ସଲମାନେ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରୁଥିବା କିଛି ଦିନ ତଳେ ଜଣାପଡିଥିଲା | ଏ ମାମଲାରେ ପୋଲିସ ଦେଶର ବିଭିନ୍ନ ସ୍ଥାନରୁ ୫ଜଣ ନକ୍ସଲ ସମର୍ଥକଙ୍କୁ ଗିରଫ କରିଥିଲା | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ମିଳିବା ଏହା ପ୍ରଥମ ବା ଦ୍ୱିତୀୟ ଘଟଣା ନୁହେଁ | ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରୁ ହିଁ ତାଙ୍କୁ ବରାବର ହତ୍ୟା ଧମକ ମିଳିଆସୁଛି | ଏପରିକି ୨୦୧୪ ମସିହାରେ ସେ ପ୍ରଧାନମନ୍ତ୍ରୀ ହେବା ପରେ ପରେ ମଧ୍ୟ ତାଙ୍କୁ ହତ୍ୟା ଧମକ ମିଳିଥିଲା | ଫଳରେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ବେଳେ ପ୍ରଧାନମନ୍ତ୍ରୀ ଙ୍କୁ ଯେଉଁ ସୁରକ୍ଷା ଯୋଗେଇ ଦିଆଯାଉଥିଲା ନରେନ୍ଦ୍ର ମୋଦିଙ୍କ ପାଇଁ ତାକୁ ଦ୍ବିଗୁଣିତ କରାଯାଇଥିଲା | ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ହଜାରେ ରୁ ଅଧିକ କମାଣ୍ଡୋ ନିୟୋଜିତ ଅଛନ୍ତି | ସେହିଭଳି ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବହୁସ୍ଥରୀୟ କରାଯାଇଛି | ପ୍ରଧାନମନ୍ତ୍ରୀ ଯେଉଁଠିକୁ ଗସ୍ତ କରୁଛନ୍ତି ସେଠାର ଆକାଶ ମାର୍ଗଠୁ ଆରମ୍ଭ କରି କୋଣ ଅନୁକୋଣରେ ସୁରକ୍ଷା କଡାକଡି ରହୁଛି | ଆସାମରୁ ଏହି ଧମକପୁର୍ଣ ଇ-ମେଲ ଆସିଥିବାରୁ କେହି କେହି ରୋହିଙ୍ଗିଆ ପ୍ରସଙ୍ଗ ସହ ଏହାର ସମ୍ପର୍କ ଥିବା ଅନୁମାନ କରୁଛନ୍ତି | ନିକଟରେ ୬ଜଣ ରୋହିଙ୍ଗିଆଙ୍କୁ ଦେଶାନ୍ତର କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ | ସେହିଭଳି ନାଗରିକ ତାଲିକାରେ ବହୁ ଲୋକଙ୍କ ନାଁ ନଥିବାରୁ ଆସାମରେ ଗୋଟିଏ ବର୍ଗ ଅସନ୍ତୁଷ୍ଟ ରହିଛନ୍ତି | ଏହି ଧମକ ପୁର୍ଣ ଇ-ମେଲ ସହ ଏହାର ମଧ୍ୟ ସମ୍ପର୍କ ଥିବା ଆଲୋଚନା ହେଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.