ଗ୍ରୀଷ୍ନ ଅବକାସ କଟାଇବାକୁ ଘରକୁ ଆସିଥିବା ବେଳେ ବିଦ୍ୟାଳୟ ଅଧ୍ୟକ୍ଷାଙ୍କୁ ହତ୍ୟା, ପରିବାରରେ ଲାଗିରହିଥିଲା ସମ୍ପତ୍ତି ବିବାଦ

Published By : Prameya-News7 Bureau | June 03, 2019 IST

ଗୁରୁଗ୍ରାମ ପାଲମବିହାର ସେକ୍ଟର-୨୩ରେ ଜଣେ ଘରୋଇ ବିଦ୍ୟାଳୟ ଅଧ୍ୟକ୍ଷାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଅଧ୍ୟକ୍ଷା ହେଲେ ୫୪ ବର୍ଷ ବୟସ୍କା ସବେନ୍ଦର  କୌର। ସେ ପୁଣେର ଏକ ଘରୋଇ ବିଦ୍ୟାଳୟର ଅଧ୍ୟକ୍ଷା ଥିବା ବେଳେ ଗ୍ରୀଷ୍ମ ଅବକାସ କଟାଇବାକୁ ଘରକୁ ଆସିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସବେନ୍ଦରଙ୍କ ସ୍ବାମୀ ସୁଖବୀର ସିଂହ ଅଭିଯୋଗ କରିଛନ୍ତି। ସମ୍ପତ୍ତିକୁ ନେଇ ପାରିବାରିକ ବିବାଦ ଥିଲା। ଏଣୁ ଘରେ ସବେନ୍ଦର ଏକାକୀ ଥିବା ବେଳେ ତାଙ୍କ ଭାଇ, ଭାଉଜ ଓ ଝିଆରୀ ମିସି ଏହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ସୁଖବୀର।  

ଘଟଣା ବେଳେ ସୁଖବୀର ନିକଟସ୍ଥ ବଜାରକୁ ଯାଇଥିଲେ ଓ ପୁଅ ଅଫିସରେ ଥିଲା । ତେବେ ଘରେ କେହି ନଥିବା ବେଳେ ସୁଖବୀରଙ୍କ ଭାଇ, ଭାଉଜ ଓ ଝିଆରୀ ଘରେ ପଶି ସବେନ୍ଦରଙ୍କ ହତ୍ୟା କରିଥିବା ସୁଖବୀର ପୋଲିସକୁ କହିଛନ୍ତି । ଘଟଣା  ନେଇ ସବେନ୍ଦର ପ୍ରଥମେ ପୁଅକୁ ଫୋନ କରି ଜଣାଇଥିଲେ। ସେ ଏ ନେଇ ସୁଖବୀରକୁ ଜଣାଇବାରୁ ତୁରନ୍ତ ଘରକୁ ଫେରି ଆସିଥିଲେ। ତେବେ ସେତେବେଳକୁ ସବେନ୍ଦରଙ୍କୁ ସମ୍ପର୍କୀୟମାନେ ହତ୍ୟା କରିସାରିଥିଲେ। 

ସୁଖବୀର ଘରେ ପହ଼ଞ୍ଚିବା ବେଳକୁ ଘର ଭିତରପଟୁ ବନ୍ଦ ଥିଲା। ସେ କବାଟ ତାଡି ଘରେ ପଶିବା ବେଳକୁ ସବେନ୍ଦର ଅଚେତ ହୋଇପଡିଥିବା ଦେଖିଥିଲେ। ଏ ନେଇ ସେ ତୁରନ୍ତ ପୋଲିସକୁ ସୂଚନା ଦେବା ସହ ଅଚେତ ପତ୍ନୀଙ୍କୁ ହସ୍ପିଟାଲ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସମ୍ପତ୍ତିକୁ ନେଇ ସୁଖବୀର ଓ ତାଙ୍କ ଭାଇଙ୍କ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ରହିଛି। ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ଏହି ଘଟଣା ଘଟିଥିବା କହିଛନ୍ତି ସୁଖବୀର।

ସବେନ୍ଦର ଶିକ୍ଷାକ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ମହିଳା ଥିଲେ। ସେ ଦୀର୍ଘ ବର୍ଷ ବିଦେଶରେ ଚାକିରୀ କରିବା ପରେ ପୁଣି ଘରକୁ ଫେରି ପୁଣେରେ ଏକ ସ୍କୁଲରେ ଅଧ୍ୟକ୍ଷା ଭାବେ କାମ କରୁଥିଲେ। ତେବେ ପାରିବାରିକ ସମ୍ପତ୍ତି ବିବାଦକୁ  ନେଇ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.