କେରଳ ମୁଖ୍ୟମନ୍ତ୍ରୀଙ୍କ ଝିଅ ବାହାଘରରେ ହତ୍ୟାକାରୀ ଅଭିଯୁକ୍ତର ଉପସ୍ଥିତିକୁ ନେଇ ବିବାଦ, ଜୋର ଧରିଲା ରାଜନୀତି

Published By : Prameya-News7 Bureau | June 15, 2020 IST

ନୂଆଦିଲ୍ଲୀ ୧୫।୦୬: କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଝିଅ ଭିନାଙ୍କ ବିବାହ କାର୍ଯ୍ୟକ୍ରମକୁ ନେଇ ଏବେ ବଡ ବିବାଦ ମୁଣ୍ଡ ଟେକିଛି। ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କ ଏହି ବିବାହରେ ହତ୍ୟା ମାମଲାର ଜଣେ ଦୋଷୀ ଉପସ୍ଥିତ ଥିଲେ। ବିରୋଧୀ ଭାରତୀୟ ଜନତା ପାର୍ଟି ସୁରକ୍ଷାକୁ ନେଇ ଏହା ଏକ ଗମ୍ଭୀର ମାମଲା। ଜଣେ ହତ୍ୟାକାରୀ କେମିତି ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କ ବିବାହ ସମାରୋହରେ ଉପସ୍ଥିତ  ହେଉଛି ତାକୁ ନେଇ ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି ବିଜେପି କହିଛି।

ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ମୁଖ୍ୟମନ୍ତ୍ରୀ ପିନାରାଇଙ୍କ ଝିଅ ଭିନା ବିଜୟନଙ୍କ ବିବାହ ସିପିଆଇ(ଏମ)ର ଯୁବ ମୋର୍ଚ୍ଚା ସଭାପତି ପିଏ ମହମ୍ମଦ ରିୟାସଙ୍କ ସହିତ ନିରାଡମ୍ବର ସହକାରେ ଅନୁଷ୍ଠିତ ହୋଇଛି। କରୋନାକୁ ଦୃଷ୍ଟିରେ ରଖି ବିବାହ କାର୍ଯ୍ୟକ୍ରମ ବହୁତ ଛୋଟ ଆକାରରେ କରାଯାଇଥିଲା। ହେଲେ ବିବାଦ ସେତେବେଳେ ଆରମ୍ଭ ହେଲା ଯେବେ ବିବାହ କାର୍ଯ୍ୟକ୍ରମର ଫଟୋ ଭାଇରାଲ ହେଲା। ଫଟୋରେ ମହମ୍ମଦ ହାସିମଙ୍କୁ ଦେଖିବାକୁ ମିଳିଛି। ହାସିମ ଜଣେ ହତ୍ୟାକାଣ୍ଡର ଅଭିଯୁକ୍ତ। ହତ୍ୟାକାଣ୍ଡରେ ଜେଲ୍‌ରେ ଥିଲେ ଏବଂ ପାରୋଲରେ ବାହାରକୁ ଆସିଛନ୍ତି। ତେଣୁ ଜଣେ ହତ୍ୟାକାରୀ ବିବାହ ସମାରୋହକୁ କେମିତି ଗଲେ ତାକୁ ନେଇ ବିଜେପି ପ୍ରଶ୍ନ ଉଠାଯାଇଛି।

ଉଲ୍ଲେଖନୀୟ ୨୦୧୭ରେ ସୁପ୍ରିମକୋର୍ଟ ହତ୍ୟାକାଣ୍ଡ ମାମଲାରେ ହାସିମଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛି। କେମିତି ଜଣେ ହତ୍ୟାକାରୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଆସି ପାରୁଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଉଛି ? ସୁରକ୍ଷାରେ ଏହା  ବହୁତ  ବଡ ତ୍ରୁଟି ବୋଲି ବିଜେପି ମୁଖପାତ୍ର ସନ୍ଦିପ ଓ୍ଵାରିୟର କହିଛନ୍ତି।

ହାସିମ କହିଛନ୍ତି, ସେ ରିୟାସଙ୍କ ନିକଟତର ବନ୍ଧୁ ଏବଂ ସେ ପାରୋଲ ନିୟମ ଉଲ୍ଲଂଘନ କରି ନାହାନ୍ତି। କିନ୍ତୁ ସିପିଏମ ଦଳ ପକ୍ଷରୁ ପ୍ରକାଶ ଯେ, ସୁରକ୍ଷାକୁ ନେଇ ଏତେ ବଡ ତ୍ରୁଟିରେ ଅନେକ ନେତା ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ପିନାରାଇଙ୍କ ହାତରେ ଗୃହ ବିଭାଗ ରହିଛି।

ଉଲ୍ଲେଖନୀୟ ବିବାହ କାର୍ଯ୍ୟକ୍ରମରେ ୩୦ରୁ କମ ଲୋକ ଉପସ୍ଥିତ ଥିଲେ। ଅନଲକ୍‌-୧ ଗାଇଡ୍‌ଲାଇନ୍‌ ଅନୁଯାୟୀ ସର୍ବାଧିକ ୫୦ ଜଣ ବିବାହ ସମାରୋହରେ ସାମିଲ ହୋଇ ପାରିବେ। ଭୀନା ବେଙ୍ଗାଲୁରୁ ଏକ୍ସାଲୋଜିକ ସଲ୍ୟୁସନ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଲକ ନିର୍ଦ୍ଦେଶକ। ଅନ୍ୟପଟେ ରିୟାସ ଜଣେ ଆଡଭୋକେଟ୍ ଏବଂ ଡେମୋକ୍ରାଟିକ ୟୁଥ୍ ଫେଡେରେସନ ଅଫ ଇଣ୍ଡିଆ(DYFI)ର ସଭାପତି। ରିୟାସ ଓ ଭୀନାଙ୍କ ପାଇଁ ଏହା ଦ୍ଵିତୀୟ ବିବାହ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.