ଅଟଳାଗଡାରେ ବୀଭତ୍ସ ହତ୍ୟା ଘଟଣା : ବାଲିଅନ୍ତା ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରୀ ବଡଭାଇ
9/06/2019 at 7:58 AM

ଭୁବନେଶ୍ବର ୯|୬: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଯୁବକଙ୍କୁ ବୀଭତ୍ସ ହତ୍ୟା ମାମଲାରେ ଅଭିଯୁକ୍ତ ବଡଭାଇ ଥାନାରେ ଆତ୍ମସମର୍ପଣ କରିଛି । ନିର୍ମମ ହତ୍ୟାର ଶିକାର ହୋଇଥିଲେ ଲକ୍ଷ୍ମୀସାଗର ଥାନା ଶବର ସାହିର ପ୍ରୀତମ ରାଉତରାୟ, ଏବଂ ହତ୍ୟାକାରୀ ହେଉଛନ୍ତି ତାଙ୍କ ନିଜ ବଡଭାଇ ମାମୁନ ରାଉତରାୟ ।
ଗତ ଶୁକ୍ରବାର ବାଲିଅନ୍ତା ଥାନା ଅଟଳ ସ୍ଥିତ ପଞ୍ଚମୁଖୀ ଆପାର୍ଟମେଣ୍ଟ ଗେଟ୍ ଆଗରେ ଅପରାହ୍ନ ୫ଟା ବେଳେ ଘଟିଥିଲା ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । କୌଣସି କାରଣକୁ ନେଇ ଦୁଇ ଭାଇଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ଦୁଇଜଣ ଯାଇଥିଲେ ପଞ୍ଚମୁଖୀ ଆପାର୍ଟମେଣ୍ଟ ପାଖକୁ । ସେଠାରେ ବଡଭାଇ ମାମୁନ, ପ୍ରୀତମଙ୍କୁ ଅଚାନକ ଖଣ୍ଡାରେ ଆକ୍ରମଣ କରିଥିଲେ । ପ୍ରୀତମ ଭୟରେ ଧାଇଁଥିଲେ ବି ସେ ତାଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ । ବାଟରେ ଯାଉଥିବା ଲୋକେ ଏସବୁ ଦେଖୁଥିଲେ । ପାଖରେ ଥିବା ଅନ୍ୟ ଏକ ଆପାର୍ଟମେଣ୍ଟରେ ଅନେକ ଶ୍ରମିକ କାମ କରୁଥିଲେ ।
ଏପଟେ ପଞ୍ଚମୁଖୀ ଆପାର୍ଟମେଣ୍ଟ ଉପରେ ଠିଆ ହୋଇ ଲୋକ ହତ୍ୟାକାଣ୍ଡର ଭିଡିଓ ସୁଟିଂ କରିଥିଲେ । ଏହି ଭିଡିଓ ଫୁଟେଜ୍ ଆଧାରରେ ଅଭିଯୁକ୍ତ ଚିହ୍ନଟ ହୋଇଥିଲା । ତାକୁ ପୋଲିସ ଖୋଜୁଥିଲା ବେଳେ ସେ ଆଜି ବାଲିଅନ୍ତା ଥାନାରେ ଆତ୍ମସମର୍ପଣ କରିଛି ।