ପ୍ରେମକୁ ନେଇ ହତ୍ୟାକାଣ୍ଡ : ସ୍ବାମୀକୁ ହତ୍ୟା କରିଥିବା ପ୍ରେମିକ ଗିରଫ, ସହଯୋଗୀ ଫେରାର
24/06/2019 at 3:20 PM

ଟିଟିଲାଗଡ ୨୪|୬: ଗତ ୨୦ ତାରିଖରେ ବାଗଡେର ରାସ୍ତାରେ ହୋଇଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଉଜଳମଣୀ ବାଗକୁ ଗିରଫ କରିଛି ପୋଲିସ । ଏନେଇ ଆଜି ଟିଟିଲାଗଡ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସ୍ପଷ୍ଟ କରିଛି ।

ସୂଚନା ଅନୁସାରେ ଅଭିଯୁକ୍ତ ଉଜଳମଣୀ ବାଗ ମୃତ ରାଜେନ୍ଦ୍ର ଛତରଙ୍କ ସ୍ତ୍ରୀକୁ ୨୦୦୭ରୁ ଭଲ ପାଉଥିଲା । କିଛି ମାସ ତଳେ ରାଜେନ୍ଦ୍ର ସହ ବାହା ହୋଇଥିଲା । ବାହା ହୋଇଥିଲେ ମଧ୍ୟ ଅଭିଯୁକ୍ତ ସହ ଶାରୀରିକ ସମ୍ପର୍କ ରଖୁଥିଲା । ଏହାକୁ ମୃତ ରାଜେନ୍ଦ୍ର ବିରୋଧ କରୁଥିଲେ । ତେବେ ୧୯ ତାରିଖ ସନ୍ଧ୍ୟାରେ ବାଗଡେରକୁ ଯାଇଥିବା ସମୟରେ ରାଜେନ୍ଦ୍ରଙ୍କ ସ୍ତ୍ରୀ ଉଜଳମଣୀଙ୍କୁ ଫୋନ୍ କରି କହିଥିଲେ । ତାପରେ ରାଜେନ୍ଦ୍ର ସହ ଉଜଳମଣୀଙ୍କ ଦେଖାହୋଇଥିଲା । ମୃତ ରାଜେନ୍ଦ୍ର, ଉଜଳମଣୀ ଓ ଉଜଳମଣୀର ସାଙ୍ଗ ସହ ସନ୍ଧ୍ୟାରେ ମଦ୍ୟପାନ କରିଥିଲେ । ତାପରେ ତାଙ୍କୁ ନିଶାସକ୍ତ ଅବସ୍ଥାରେ ଥିବା ବେଳେ, ବେକରେ ଗାମୁଛା ଲଗାଇ ଦୁଇ ଜଣ ହତ୍ୟା କରିଥିଲେ । ତାପରେ ଦୁର୍ଘଟଣା ରୂପ ଦେବାକୁ ବାଇକରେ ବସାଇ ବାଇକ୍ ଷ୍ଟାର୍ଟ କରି ଛାଡି ଦେଇଥିଲେ । ମୁଖ୍ୟ ଅଭିଯୁକ୍ତ ଧରା ପଡିଥିବା ବେଳେ ଆଉ ଜଣେ ସହଯୋଗୀ ଫେରାର ଥିବା ପୋଲିସ କହିଛି । ପୋଲିସ ଘଟଣାସ୍ଥଳରୁ ପଥର, ରକ୍ତଭିଜା ଗାମୁଛା, କୋଲ୍ଡ ଡ୍ରିଙ୍କସ୍ ବୋତଲ, ଖାଲି ମଦ ପାଉଚ ଜବତ କରିଛି ।