ସିଧାସଳଖ ପୌର ଅଧ୍ୟକ୍ଷ ନିର୍ବାଚନକୁ କ୍ୟବିନେଟ୍ ମୋହରମାରିବା ପରେ ଏବେ ରାଜନୈତିକ ବୟାନବାଜି

Published By : Prameya-News7 Bureau | September 08, 2018 IST

ଭୁବନେଶ୍ବର ୮|୯: ଏଣିକି ସିଧାସଳଖ ଲୋକଙ୍କ ଭୋଟ ଦ୍ବାରା ନିର୍ବାଚିତ ହେବେ ପୌରାଧ୍ୟକ୍ଷ । ମହାନଗର ନିଗମର ମେୟର, ପୌରାଧ୍ୟକ୍ଷ ଓ ଏନଏସି ଅଧ୍ୟକ୍ଷ ପରୋକ୍ଷ ଭାବେ ନିର୍ବାଚନ ଲଢ଼ି କ୍ଷମତା ଉପଭୋଗ କରିପାରିବେ ନାହିଁ । ରାଜ୍ୟ ସରକାର ଏ ବ୍ୟବସ୍ଥାକୁ ଏବେ ହଟାଇବାକୁ ଯାଉଛନ୍ତି । ଏସବୁ ପଦ ପାଇଁ ଏଣିକି ପ୍ରତ୍ୟକ୍ଷଭାବେ ନିର୍ବାଚନ ଲଢ଼ିବାକୁ ପଡ଼ିବ । ରାଜ୍ୟ କ୍ୟାବିନେଟ୍ର ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତିକୁ ନେଇ ରାଜନୈତିକ ବୟାନବାଜି ବି ତେଜ୍ ହୋଇଛି । ଲୋକେ ଯାହାକୁ ଭୋଟ ଦେଇ ଜିତାଇବେ, ସେ ହିଁ ହେବେ ଅଧ୍ୟକ୍ଷ, ଉପାଧ୍ୟକ୍ଷ ବା ମେୟର । କର୍ପୋରେଟର କିମ୍ବା କାଉନସିଲରଙ୍କୁ ନିଜ ସପକ୍ଷରେ ପଟାଇ ଆଉ କେହି ଏଭଳି କ୍ଷମତା ଉପଭୋଗ କରିପାରିବେ ନାହିଁ । ନିଜର ପରଫର୍ମାନ୍ସ୍, ଆଉ ଲୋକାଭୀମୁଖୀ କାର୍ଯ୍ୟକ୍ରମ ହିଁ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ମେୟର ଭଳି ପଦବୀ ପାଇଁ ନେତାଙ୍କ ଭାଗ୍ୟ ସ୍ଥିର କରିବ । ଏଣିକି କର୍ପୋରେଟର ଆଉ କାଉନସିଲରଙ୍କ ଭଳି ମହାନଗର ନିଗମର ମେୟର, ପୌରାଧ୍ୟକ୍ଷ ଏବଂ ଏନଏସି ଅଧ୍ୟକ୍ଷଙ୍କୁ ମଧ୍ୟ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବାକୁ ପଡ଼ିବ । ସେହିଭଳି ଉପାଧ୍ୟକ୍ଷ ଏବଂ ଡେପ୍ୟୁଟି ମେୟର ମଧ୍ୟ ଲୋକଙ୍କ ଭୋଟ ଦ୍ବାରା ନିର୍ବାଚିତ ହେବେ । ହେଲେ ରାଜ୍ୟ କ୍ୟାବିନେଟ୍ର ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତିକୁ ନେଇ ବିରୋଧୀ କହିଛନ୍ତି ଏହା ଦିଲ୍ଲୀରୁ ଦୌଲତାବାଦ ଭଳି ଘଟଣା। ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନାହିଁ ।ତେଣୁ ସରକାର େହାକୁ କାର୍ଯ୍ୟକାରୀ କରିବାରେ କେତେ ସଫଳ ହେବା ସେ ନେଇ ସନ୍ଦେହ ରହିଛି । ପୂର୍ବରୁ ବିଜୁ ପଟ୍ଟନାୟକଙ୍କ ସରକାର ଅମଳରେ ପଞ୍ଚାୟତ ଓ ପୌରାଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ବ୍ୟବସ୍ଥା କରାଯାଇଥିଲା । ମାତ୍ର ପରବର୍ତ୍ତୀ ସରକାର ସମୟରେ ଏଥିରେ ପରିବର୍ତନ କରାଯାଇଥିଲା । ଆଉ ଏବେ ନବୀନ ନିଜ ଚତୁର୍ଥ ପାଳିରେ ବିଜୁବାବୁଙ୍କ ଅମଳର ସେଇ ପୁରୁଣା ନୀତିକୁ ପୁଣି ଥରେ କାର୍ଯ୍ୟକାରୀ କରିବାକୁ ଚାହିଁଛନ୍ତି । ଏହା ଦ୍ବାରା ଅଧ୍ୟକ୍ଷ ନିର୍ବାଚନକୁ ନେଇ ଯେଉଁ ଘୋଡ଼ା ବେପାର ହେଉଥିଲା ତାକୁ ରୋକାଯାଇପାରିବ । ମେୟର ଓ ଅଧ୍ୟକ୍ଷ ଭଳି ଗୁରୁତ୍ବପୂର୍ଣ୍ଣ ପଦବୀ ଚୟନରେ ସ୍ବଚ୍ଛତା ଆସିବ । ଲୋକଙ୍କ ନଜରରେ ଏହି ପଦବୀ ପାଇଁ ଯିଏ ଯୋଗ୍ୟ, ସେହି ହିଁ କ୍ଷମତାକୁ ଆସିବ । ଆଗକୁ ମହାନଗର ନିଗମ, ପୌର ଓ ଏନଏସି ନିର୍ବାଚନ ହେବାକୁ ଥିବା ବେଳେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଓ ପ୍ରଭାବୀ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.