ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି

Published By : Prameya-News7 Bureau | September 24, 2021 IST

ଭୁବନେଶ୍ବର ୨୪/୦୯: ମୁଣ୍ଡଳିରୁ ଭାସି ଯାଇଛି ହାତୀ । ପ୍ରଖର ସ୍ରୋତରେ ଭାସିଯାଇଛି ହାତୀ। ଏବେ ହାତୀର ଅବସ୍ଥିତି ଠାବ କରିପାରି ନାହିଁ ବନଭିବାଗ। ଧବଳେଶ୍ବର ପଠା ଆଡ଼କୁ ଭାସିଯାଇଥିବା ଆଶଙ୍କା କରାଯାଉଛି ।

କଟକ ମୁଣ୍ଡଳିରେ ହାତୀ ଉଦ୍ଧାର ପାଇଁ ପାଣି ଭିତରକୁ ଯାଇଥିବା ଓଡ୍ରାଫ ଟିମ୍ ବୋଟ୍ ବୁଡି ଘଟଣାରେ ନିଖୋଜ ଥିବା ଓଡ୍ରାଫ କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟ ସନ୍ଧ୍ୟ ହେବାରୁ ବନ୍ଦ କରାଯାଇଥିଲା । ସନ୍ଧ୍ୟା ହେବା ସହ ବର୍ଷା ହେବାରୁ ଓଡ୍ରାଫ୍ ଓ NDRF ଟିମ୍ ଉଦ୍ଧାର କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ । ଆସନ୍ତାକାଲି ପୁଣିଥରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହେବା ନେଇ ସୂଚନା ମିଳିଥିଲା । ତେବେ ଏବେ ହାତୀଟି ଭାସିଯାଇଛି।

ସୂଚନାଯୋଗ୍ୟ, ଦୀର୍ଘଘଣ୍ଟା ଧରି ମୁଣ୍ଡଳି ନିକଟରେ ମହାନଦୀ ପାଣିରେ ଫସି ରହିଥିବା ଦନ୍ତା ହାତୀକୁ ଉଦ୍ଧାର କରିବାକୁ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ । ଅକ୍ଳାନ୍ତ ପରିଶ୍ରମ କରି ଓଡ୍ରାଫ୍ ଟିମ୍‌ର ବୋଟ୍‌ରେ ୫ଜଣ ଓଡ୍ରାଫ୍ କର୍ମଚାରୀଙ୍କ ସହ ଓଟିଭିର ରିପୋର୍ଟର ଅରିନ୍ଦମ୍ ଦାସ୍ ଏବଂ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ମଧ୍ୟ ରହିଥିଲେ । ଗଜରାଜକୁ ଉଦ୍ଧାର କରିବାକୁ ନିକଟକୁ ଯିବାବେଳେ ନଦୀର ପ୍ରଖର ସ୍ରୋତରେ ବୋଟ୍‌ଟି ଭାରସାମ୍ୟ ହରାଇ ଓଲଟିପଡିଥିଲା ।

ଫଳରେ ବୋଟ୍‌ରେ ଥିବା ୭ ଜଣ ଯାକ ନଦୀ ପାଣିରେ ବୁଡିଯାଇଥିଲେ । ବ୍ରିଜ୍ ଉପରେ ଥିବା ଅନ୍ୟ ଓଡ୍ରାଫ୍ କର୍ମଚାରୀ ବୁଡିଯାଇଥିବା ୩ ଜଣ ଓଡ୍ରାଫ୍ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ । ଓଟିଭିର କ୍ୟାମେରା ପର୍ସନଙ୍କୁ ମଧ୍ୟ ଓଡ୍ରାଫ୍ ଟିମ୍ ଉଦ୍ଧାର କରିଥିଲେ । ତେବେ ଓଟିଭିର ରିପୋର୍ଟର ଅରିନ୍ଦମ୍ ଦାସ ଭାସିଯାଇଥିଲେ । କିଛି ଦୂରରେ ନଦୀ ପାଣିରେ ଭାସୁଥିବା ବେଳେ ଏକ ମାଛଧରା ଡଙ୍ଗା ତାଙ୍କ ନିକଟକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲା ।

ସମସ୍ତଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଓଟିଭି ରିପୋର୍ଟର ଅରିନ୍ଦମ୍ ଦାସଙ୍କ ମୃତ୍ୟୁ ହୋଇଛି । ଉଦ୍ଧାର ହୋଇଥିବା ଅନ୍ୟ ୪ଜଣ କର୍ମଚାରୀ ଏବେ ଚିକିତ୍ସାଧୀନ ଅଛନ୍ତି । ଏବେବି ଓଡ୍ରାଫ୍ ଟିମ୍‌ର ଅନ୍ୟ ଜଣେ କର୍ମଚାରୀ ନିଖୋଜ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.