ସଂଘର୍ଷ କରି ଜୀବନ ଜୀଉଁଛନ୍ତି ମୁମ୍ବାଇର ଏହି ଦବଙ୍ଗ ଲେଡି, ଅଟୋ ଚଳାଇ ସଜାଡୁଛନ୍ତି ପିଲାଙ୍କ ଭବିଷ୍ୟତ
11/07/2019 at 12:52 PM

ମୁମ୍ବାଇ୧୧|୭: ଅନ୍ୟ ନାରୀମାନଙ୍କ ପାଇଁ ମୁମ୍ବାଇର ଜଣେ ମହିଳା ଉଦାହରଣ ପାଲିଟିଛନ୍ତି । ନିଜ ଜୀବନକୁ ତିଳତିଳ କରି ନିଜ ପିଲାମାନଙ୍କ ମୁହଁରେ ଦାନା ଦେଉଛି ଜଣେ ମାଆ। ଆମେ ଏମିତି ଜଣେ ମାଆର କରୁଣ କାହାଣୀ କହିବାକୁ ଯାଉଛୁ। ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ମୁମ୍ବାଇର ଜଣେ ମହିଳା ଶିରେନ ଅଟୋ ଚଳାଇ ନିଜର ତିନି ଜଣ ପିଲାଙ୍କ ମୁହଁରେ ଦାନା ଦେଉଛନ୍ତି। ଶିରେନଙ୍କ କରୁଣ କାହାଣୀ ସୋସିଆଲ ମିଡ଼ିଆରେ ଘୂରିବୁଲୁଛି।
ମୁମ୍ବାଇର ଏକ ମଧ୍ୟବିତ୍ତ ମୁସଲିମ୍ ପରିବାରରେ ଜନ୍ମଗ୍ରହଣ କରିଥିଲେ ଶିରେନ। ଶିରେନଙ୍କ ଖେଳକୁଦ ବୟସରେ ତାଙ୍କ ମୁଣ୍ଡ ଉପରେ ଖେଳିଯାଇଥିଲା ଦୁଃଖର ଛାୟା। ଶିରେନଙ୍କୁ ଯେତେବେଳେ ୧୧ ବୟସ ହୋଇଥିଲା, ସେହି ସମୟରେ ତାଙ୍କ ମାଆ ଦ୍ବିତୀୟ ବିବାହ କରିଥିଲେ। କିଛି ଅସାମାଜିକ ଲୋକଙ୍କ ଦ୍ବାରା ତାଙ୍କ ମାଆ ନିର୍ଯାତିତ ହେଉଥିଲେ। ନିର୍ଯାତନା ସୀମା ଲଙ୍ଘି ଯାଇଥିଲା ତେଣୁ ଆତ୍ମହତ୍ୟା କରିଥିଲେ ଶିରେନଙ୍କ ମାଆ।
ଏହି ଘଟଣାର କିଛି ଦିନ ପରେ ଅଧିକ ଭଲ ପାଉଥିବା ନିଜର ସାନ୍ ଭଉଣୀ ମଧ୍ୟ ଶିରେନଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଥିଲେ। ନିଜର ରକ୍ତର ସଂପର୍କକୁ ହରାଇ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ ଶିରେନ। ଏହିଭଳି ଜୀବନ ଅତିବାହିତ କଲା ପରେ କିଛିଦିନ ପାଇଁ ତାଙ୍କ ଜୀବନରେ ଖୁସି ଆସିଥିଲା। ଶିରେନ ବିବାହକରି ସୁଖରେ ଜୀବନଯାପନ କରୁଥିଲେ।
ହଠାତ ତାଙ୍କ ସ୍ବାମୀ ତାଙ୍କୁ ତଲାକ୍ ଦେଇଥିଲେ। ଶିରେନ ସେହି ସମୟରେ ଗର୍ଭବତୀ ଥିଲେ, ନିଜର ଅସହାୟପଣିଆକୁ ଛାତିରେ ଜାବୁଡ଼ିଧରି ବଞ୍ଚିବା ପାଇଁ ସଂଘର୍ଷ ଆରମ୍ଭ କରିଥିଲେ। ଶେଷରେ ରୋଜଗାର ପନ୍ଥା ବାଜିଥିଲେ ଶିରେନ। ନିଜ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଦିନ ରାତି ପରିଶ୍ରମ କରୁଛନ୍ତି ଶିରେନ।
‘ବର୍ତ୍ତମାନ ତ ମୋ ଜୀବନରେ ଗତିପଥରେ ପରିବର୍ତ୍ତନ ହେବା ସହ ମୁଁ ଭଲ ରୋଜଗାର ମଧ୍ୟ କରିପାରୁଛି’ ବୋଲି ଶିରେନ କହିଛନ୍ତି। ଯାତ୍ରୀଙ୍କ ସହ କଥା ହେବା ସମୟରେ ତାଙ୍କୁ ଦବଙ୍ଗ ଲେଡ଼ି ବୋଲି କୁହାଯାଛି। ତାଙ୍କ ଜୀବନ କାହାଣୀ ସୋସିଆଲ ମିଡିଆରେ ଘୂରିବୁଲୁଛି। ଏହାଥିଲା ଜଣେ ଅସହାୟ ମହିଳାଙ୍କ ଦୁଃଖ କାହାଣୀ, ତଥାପି ଜୀବନ ବାଜିରେ ହାରି ନାହାନ୍ତି ଶିରେନ। ଅଟୋ ଚଲାଇବା ସହ ନିଜ ଜୀବନକୁ ମଧ୍ୟ ଆଗକୁ ବଢାଉଛନ୍ତି ।